ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ
ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ମଙ୍ଗଳବାର ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ୨ ବର୍ଷରୁ ଅଧିକ ସମୟ ବିତିଲାଣି। ଜବରଦଖଲ ଉଚ୍ଛେଦ ପରେ ବସଷ୍ଟାଣ୍ଡର ଦୁଇ ପାର୍ଶ୍ୱରେ ଡ୍ରେନ୍ ନିର୍ମାଣ ଶେଷ ହୋଇଛି। ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ।
ଫଳରେ ରାସ୍ତାର ଦୁରବସ୍ଥା ଯୋଗୁ ବ୍ୟବସାୟୀ, ଗ୍ରାହକ ଏବଂ ପ୍ରତିଦିନ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଆଗକୁ ଦୁର୍ଗାପୂଜା ଥିବାରୁ ଠିକାଦାରଙ୍କୁ ତାଗିଦ କରି ଶୀଘ୍ର ରାସ୍ତା କାମ ଶେଷ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
ସେହିପରି ନିୟମ ଅନୁଯାୟୀ, କାମ ଆରମ୍ଭ ପୂର୍ବରୁ ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ, ଯଥା—ପ୍ରକଳ୍ପର ଅଟକଳ ମୂଲ୍ୟ, କେଉଁ କାର୍ଯ୍ୟ କରାଯିବ ଏବଂ କେବେ ସୁଦ୍ଧା କାମ ଶେଷ ହେବ, ସେ ସମ୍ପର୍କିତ ସୂଚନା ଫଳକ ଲଗାଯିବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ଫଳକ ଲଗାଯାଇନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ସଭାପତି ଲଡୁ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଲାଚ୍ଛିମି ଆଚାରୀ, ପ୍ରମୋଦ ନାୟକ, ଅଜିତ ପାତ୍ର, ଗଣେଶ ସାହୁ, ରବି ପାତ୍ର, ସତ୍ୟବାନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ଶେଷ କରିବା ସହ ଏନେଇ ପ୍ରଶାସନ ଓ ସରକାର ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।