ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ
ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୪୯ ରନର ବିଶାଳ ସ୍କୋର ସଂଗ୍ରହ କରିଥିଲା। ଭାରତର ବୋଲିଂ ଏବଂ ଫିଲ୍ଡିଂ ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଥିଲା ଏବଂ ୱେଷ୍ଟଇଣ୍ଡିଜ ମାତ୍ର ୧୮.୩ ଓଭରରେ ୨୫୨ ରନ ସଂଗ୍ରହ କରି ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ପରାଜୟ ସହିତ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟି-୨୦ କ୍ରିକେଟ ଇତିହାସରେ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ ଯୋଡ଼ିଛନ୍ତି।
ଶ୍ରେୟସ ଆୟର ଟି-୨୦ କ୍ରିକେଟ ଇତିହାସର ପ୍ରଥମ ଏବଂ ଏକମାତ୍ର ଅଧିନାୟକ ହୋଇଛନ୍ତି ଯାହାଙ୍କ ଦଳ ୨୪୦ରୁ ଅଧିକ ରନ ସଂଗ୍ରହ କରିବା ସତ୍ତ୍ୱେ ତିନିଥର ମ୍ୟାଚ ହାରିଛି। ଜଣେ ଅଧିନାୟକ ଭାବରେ, ଆୟର ଆଇପିଏଲ (IPL) ରେ ଦୁଇଥର ୨୪୦+ ରନର ଲକ୍ଷ୍ୟକୁ ରକ୍ଷା କରିବାରେ ବିଫଳ ହୋଇଥିଲେ। ଟିମ ଇଣ୍ଡିଆର ଜର୍ସି ପିନ୍ଧିଥିବା ସମୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୨୪ରେ, ଆୟରଙ୍କ ଅଧିନାୟକତ୍ୱରେ KKR ଦଳ ୨୬୧ ରନର ଲକ୍ଷ୍ୟକୁ ରକ୍ଷା କରିବାରେ ବିଫଳ ହୋଇଥିଲା। ତା’ପରେ, ୨୦୨୫ରେ ତାଙ୍କ ନେତୃତ୍ୱରେ ପଞ୍ଜାବ ଦଳ ୨୪୫ ରନର ଲକ୍ଷ୍ୟକୁ ରକ୍ଷା କରିବାରେ ବିଫଳ ହୋଇଥିଲା। ଟିମ ଇଣ୍ଡିଆ ମଧ୍ୟ ତାଙ୍କ ଅଧିନାୟକତ୍ୱରେ ୨୪୯ ରନ ସଂଗ୍ରହ କରିବା ପରେ ଏକ ମ୍ୟାଚ ହାରିଛି।
ଅନ୍ତର୍ଜାତୀୟ T20 ଇତିହାସରେ ପ୍ରଥମ ଥର ପାଇଁ, ଭାରତୀୟ ଦଳ ୨୨୫ ରନ୍ରୁ ଅଧିକ ସ୍କୋର କରି ମଧ୍ୟ ଏକ ମ୍ୟାଚ ହାରିଯାଇଛି। ଏହା ସହିତ, ନିଜ ଦେଶର ମାଟିରେ ଖେଳାଯାଇଥିବା କୌଣସି T20 ମ୍ୟାଚ୍ରେ ଦଳ ପ୍ରଥମ ଥର ପାଇଁ ୨୫୦ ରନ୍ରୁ ଅଧିକ ରନ ପ୍ରତିପକ୍ଷକୁ ଦେଇଛି।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ସମୟରେ ଭାରତୀୟ T20 ଦଳର ପ୍ରଦର୍ଶନରେ ଏକ ବଡ଼ ଧରଣର ଅବନତି ଦେଖିବାକୁ ମିଳିଛି।
ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ପରାଜୟ: ଭାରତ ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ ବିପକ୍ଷରେ ଏକ ଅନ୍ତର୍ଜାତୀୟ ମ୍ୟାଚ ଏବଂ ସିରିଜ ହାରିଛି।
ବିଜୟହୀନ ଧାରା: ପ୍ରଥମ ଥର ପାଇଁ ଭାରତୀୟ ଦଳ କ୍ରମାଗତ ଭାବେ ୫, ୬ ଏବଂ ୭ଟି T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ବିଜୟ ଲାଭ କରିବାରେ ବିଫଳ ହୋଇଛି।
ଲଜ୍ଜାଜନକ ବ୍ୟବଧାନରେ ପରାଜୟ: T20I ଇତିହାସରେ ଭାରତ ପ୍ରଥମ ଥର ପାଇଁ ୧୦୦ ରନ୍ରୁ ଅଧିକ ବ୍ୟବଧାନରେ ପରାଜିତ ହୋଇଛି ଏବଂ ଦଳର ସବୁଠାରୁ ବଡ଼ ପରାଜୟ (୧୨୫ ରନ ବ୍ୟବଧାନରେ)ର ସମ୍ମୁଖୀନ ହୋଇଛି।
ସ୍ବଳ୍ପ ସ୍କୋର ଏବଂ ରାଙ୍କିଙ୍ଗ ହରାଇବା:ଏହି ସମୟ ମଧ୍ୟରେ ଦଳ ନିଜର ଦ୍ୱିତୀୟ ସର୍ବନିମ୍ନ T20 ସ୍କୋର (୭୬ ରନ୍ରେ ଅଲ ଆଉଟ) କରିଥିଲା। ଏହା ବ୍ୟତୀତ, ଦଳ ୧,୬୦୫ ଦିନ ଧରି ବଜାୟ ରଖିଥିବା T20I ରାଙ୍କିଙ୍ଗର ପ୍ରଥମ ସ୍ଥାନ ମଧ୍ୟ ହରାଇଥିଲା।
ଗୋଟିଏ ସିରିଜ୍ରେ ଚାରୋଟି ପରାଜୟ: ଭାରତ ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷ ସିରିଜ ହାରିଛି ଏବଂ ୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ରମାଗତ T20 ସିରିଜ ପରାଜୟର ସମ୍ମୁଖୀନ ହୋଇଛି। ଏହା ମଧ୍ୟ ପ୍ରଥମ ଭାରତ ଗୋଟିଏ T20 ସିରିଜ୍ରେ ଚାରୋଟି ମ୍ୟାଚ ହାରିଥିଲା।
ଭାରତୀୟ ଦଳର ସାମ୍ପ୍ରତିକ ପ୍ରଦର୍ଶନକୁ ଏହି ତଥ୍ୟରୁ ଅନୁମାନ କରାଯାଇପାରେ ଯେ, ଜାନୁଆରୀ ୨୦୨୪ରୁ ମେ’ ୨୦୨୬ ମଧ୍ୟରେ ଭାରତ ୬୧ଟି ଟି-୨୦ ଅନ୍ତର୍ଜାତୀୟ (T20I) ମ୍ୟାଚ ଖେଳି କେବଳ ୭ଟିରେ ପରାଜିତ ହୋଇଥିଲା। ଏହାର ବିପରୀତରେ, କେବଳ ଗତ ଚାରି ମାସ ମଧ୍ୟରେ ଦଳ ୧୮ଟି ମ୍ୟାଚ ମଧ୍ୟରୁ ୭ଟିରେ ପରାଜୟ ବରଣ କରିଛି। ଏହା ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।