ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

Oct 10, 2026 - 10:34
ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ବିହାର ରାଜ୍ୟର ସୌରଭ କୁମାର ଯାଦବ (୨୦) ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁଯାୟୀ, ବିହାର ରାଜ୍ୟର ସାସାରାମ ଜିଲା ଅନ୍ତର୍ଗତ ବିହିରା ଥାନା ଅଞ୍ଚଳର ଆରାନ ଗ୍ରାମନିବାସୀ ଟୁନଟୁନ ଯାଦବଙ୍କ ପୁଅ ସୌରଭ କୁମାର ଯାଦବ ଗତ କିଛିଦିନ ହେଲା ଚିକିଟି ଅଞ୍ଚଳରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସେ ମା’ ରତନେଇ ଠାକୁରାଣୀ ମନ୍ଦିର ନିକଟରେ ଏକ କୋଠାରେ ସିମେଣ୍ଟ ପଲସ୍ତରା କାମ କରୁଥିଲେ। ଏହି ସମୟରେ ସୁଇଚ ବୋର୍ଡରୁ ଆସିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ଆହତ ହୋଇଥିଲେ। ଅଚେତ ଅବସ୍ଥାରେ ସୌରଭଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତରଙ୍କଠାରୁ ସୂଚନା ପାଇ କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ ଅପମୃତ୍ୟୁ ମାମଲା ନଂ. ୧୬/୨୬ ରୁଜୁ କରିଥିଲେ। ଅନୁସନ୍ଧାନକାରୀ ପୋଲିସ ଅଧିକାରୀ ଏଏସଆଇ ସି.ଏଚ. ତାରକେଶ୍ୱର ରାଓ ପୋଲିସ ଟିମ ସହ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।