ଲୁଲାଙ୍କ ବିଜୟ, ଟ୍ରମ୍ପ୍‌ଙ୍କୁ ଝଟକା

Oct 30, 2026 - 09:09
ଲୁଲାଙ୍କ ବିଜୟ, ଟ୍ରମ୍ପ୍‌ଙ୍କୁ ଝଟକା

ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭାଙ୍କ ବିଜୟ ଘଟିଛି। ଏହିି ବିଜୟ ଯୋଗୁ ପଶ୍ଚିମ ଗୋଲାର୍ଦ୍ଧର ଦେଶଗୁଡ଼ିକ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଯୋଜନାକୁ ଶକ୍ତ ଝଟକା ଲାଗିଛି। ଟ୍ରମ୍ପ୍‌ ଆଶା କରୁଥିଲେ ଯେ ଦକ୍ଷିଣରେ ଥିବା ତାଙ୍କ ଅନୁଗତ ଦେଶଗୁଡ଼ିକୁ ଏକାଠି କରିବେ, ଯେଉଁମାନେ ତାଙ୍କ ପରି ବ୍ୟବସାୟ କୈନ୍ଦ୍ରିକ ଆଭିମୁଖ୍ୟ ଓ କଠୋର ଶାସନ ନୀତି ଅନୁସରଣକରି ଉଦାରବାଦୀ ସହଯୋଗୀଙ୍କୁ ଦୂରେଇଦେବେ। ଗତ ରବିବାର ବ୍ରାଜିଲର ଭୋଟ ଗ୍ରହଣ ପୂର୍ବ ପର୍ଯ୍ୟନ୍ତ ଏହି ଯୋଜନା ସଫଳ ହେବାର ଆଶା ଥିଲା। କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ ଧୂଳିସାତ୍‌ ହୋଇଯାଇଛି।
ଏକ ନିୟନ୍ତ୍ରଣଯୋଗ୍ୟ ଆଞ୍ଚଳିକ ଶକ୍ତିକେନ୍ଦ୍ର ମଧ୍ୟରେ ସୀମିତ ରହିବା ଆମେରିକାର ଏକ ପୁରୁଣା ସ୍ବପ୍ନ। ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଏହି ଚିନ୍ତାଧାରା ରହିଆସିଛି। ୧୮୨୩ରେ ରାଷ୍ଟ୍ରପତି ଜେମ୍ସ ମନ୍‌ରୋ ୟୁରୋପୀୟ ଦେଶଗୁଡ଼ିକୁ ଆମେରିକା ମହାଦେଶରେ ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଥିଲେ। ଏହାକୁ ମନ୍‌ରୋ ସିଦ୍ଧାନ୍ତ କୁହାଯାଏ। ପରେ ୧୮୯୦ ଦଶକରେ ସ୍ପେନ୍‌ ବିରୋଧରେ ଆମେରିକାର ଯୁଦ୍ଧ ସମୟରେ ଏହାର ପୁନରାବୃତ୍ତି କରାଯାଇଥିଲା। ଏହି ଆନ୍ତଃ-ଆମେରିକୀୟ ଯୋଜନା ପରବର୍ତ୍ତୀ ସମୟରେ ପଛାଇଗଲା। ଏବେ ଟ୍ରମ୍ପ୍‌ ଏହାକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରିଛନ୍ତି।
ବ୍ରାଜିଲର ନିର୍ବାଚନରେ ଯଦି ବାମପନ୍ଥୀଙ୍କ ସ୍ଥାନରେ ଦକ୍ଷିଣପନ୍ଥୀଙ୍କ ବିଜୟ ହୋଇଥାନ୍ତା, ତେବେ ଟ୍ରମ୍ପ୍‌ଙ୍କ ପାଇଁ ଲାଟିନ ଆମେରିକାରେ ଏକ ବଡ଼ ସଫଳ ବର୍ଷ ହୋଇଥାନ୍ତା। ବର୍ଷର ଆରମ୍ଭରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋଙ୍କୁ ଅପହରଣକରି ଟ୍ରମ୍ପ୍‌ ସେହି ଦେଶର ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲେ। ଏହା ପୂର୍ବରୁ ଚିଲି ନିର୍ବାଚନରେ ଦକ୍ଷିଣପନ୍ଥୀ ପ୍ରାର୍ଥୀ ଜୋସେ ଆଣ୍ଟୋନିଓ କାଷ୍ଟଙ୍କ ହାତକୁ କ୍ଷମତା ଯାଇଥିଲା। ତା’ପରେ କଲମ୍ବିଆରେ ବାମପନ୍ଥୀ ଦଳ ଟ୍ରମ୍ପ-ସମର୍ଥିତ ଦକ୍ଷିଣପନ୍ଥୀ ପ୍ରାର୍ଥୀ ଆବେଲାର୍ଡୋ ଡେ ଲା ଏସ୍‌ପ୍ରିଏଲାଙ୍କଠାରୁ ପରାଜିତ ହୋଇଥିଲା।
ଏଲ୍‌ ସାଲ୍‌ଭାଡୋରର ନାୟିବ ବୁକେଲେ ଏବଂ ଆର୍ଜେଣ୍ଟିନାର ଜାଭିୟର ମିଲେଇଙ୍କ ଭଳି ପୁରୁଣା ଟ୍ରମ୍ପ୍‌ ସହଯୋଗୀମାନେ ବି ଅଛନ୍ତି। ଯଦି ବ୍ରାଜିଲରେ ଚରମ ଦକ୍ଷିଣପନ୍ଥୀ ଫ୍ଲାଭିଓ ବୋଲ୍‌ସୋନାରୋଙ୍କ ବିଜୟ ହୋଇଥାନ୍ତା, ତେବେ ମେକ୍ସିକୋର ଦକ୍ଷିଣରେ ଥିବା ପ୍ରାୟ ସମସ୍ତ ଦେଶରେ ଟ୍ରମ୍ପ୍‌ଙ୍କ ସହଯୋଗୀଙ୍କର ବିଜୟ ଘଟିଥାନ୍ତା।
ନଭେମ୍ବର ୨୦୨୫ରେ, ଟ୍ରମ୍ପ୍‌ ପ୍ରଶାସନର ଜାତୀୟ ସୁରକ୍ଷା ରଣନୀତି ପଶ୍ଚିମ ଗୋଲାର୍ଦ୍ଧ ଆଡ଼କୁ ମୁହଁାଇଥିଲା। ‘ଅପରେଶନ ଆବ୍‌ସୋଲ୍ୟୁଟ ରିଜଲ୍‌ଭ’ ଅଧୀନରେ ଆମେରିକୀୟ ସେନା ମାଦୁରୋଙ୍କୁ କାବୁକରିଥିଲେ। ଚଳିତବର୍ଷ ମାର୍ଚ୍ଚରେ ହ୍ବାଇଟ ହାଉସ ‘ଆମେରିକାସ୍‌ କାଉଣ୍ଟର କାର୍ଟେଲ କୋଆଲିଶନ’ ଗଠନକରି ଏହି ଆଞ୍ଚଳିକ ଏକତାକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା କରିଥିଲା। ଏହାକୁ ‘ସିଲ୍ଡ ଅଫ୍‌ ଦି ଆମେରିକାସ୍‌’ ବୋଲି କୁହାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମାଦକଦ୍ରବ୍ୟ ବ୍ୟବସାୟ ଓ ସଂଗଠିତ ଅପରାଧ ବିରୋଧରେ ଏକ ଆଞ୍ଚଳିକ ମେଣ୍ଟ ଗଠନ କରିବା। ଫ୍ଲୋରିଡାର ଡୋରାଲସ୍ଥିତ ଆମେରିକାର ଦକ୍ଷିଣ କମାଣ୍ଡ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ସହ ୧୨ ଜଣ ଲାଟିନ ଆମେରିକୀୟ ନେତା ଥିଲେ। ଆମେରିକା ଅଧିକାରୀମାନେ ନିଶା କାରବାର ଗୋଷ୍ଠୀ, ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ବିଶେଷକରି ଚାଇନା ପ୍ରଭାବର ମୁକାବିଲା ପାଇଁ ମିଳିତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଶେଷ ଭାଷଣରେ ଟ୍ରମ୍ପ୍‌ ପଶ୍ଚିମ ଗୋଲାର୍ଦ୍ଧର ସୁରକ୍ଷା ପାଇଁ ଇରାନ ଉପରେ ଆକ୍ରମଣ କରାଯିବା କଥା ସୂଚିତ କରିଥିଲେ। ‘ସିଲ୍ଡ ଅଫ୍‌ ଦି ଆମେରିକାସ୍‌’ କେବଳ ସୁରକ୍ଷା ଚୁକ୍ତି ନ ଥିଲା। ଡୋରାଲ୍‌ରେ ଆଲୋଚନା ପରେ ଆମେରିକୀୟ ପ୍ରତିନିଧିମାନେ ଭେନେଜୁଏଲାର ସୁନା ଓ ତୈଳ ସମ୍ପଦ ଏବଂ ଚିଲିର ଖଣିଜ ସମ୍ପଦ ସମ୍ପର୍କିତ ଚୁକ୍ତି କରିଥିଲେ, ଯାହା ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଲାଭଜନକ ଥିଲା।
ଲୁଲାଙ୍କର ସଂଘର୍ଷପୂର୍ଣ୍ଣ ବିଜୟ ପୂର୍ବରୁ ଟ୍ରମ୍ପ୍‌ଙ୍କ ଆଞ୍ଚଳିକ ମେଣ୍ଟ ନିଜର ଶକ୍ତିକୁ ଅତିରଞ୍ଜିତକରି ଦେଖାଉଥିଲା। ‘ସିଲ୍ଡ ଅଫ୍‌ ଦି ଆମେରିକାସ୍‌’ର ପ୍ରାରମ୍ଭିକ ମୁଖ୍ୟ କ୍ରିଷ୍ଟି ନୋଏମ୍‌ଙ୍କୁ ଏହି ଯୋଜନା ଆରମ୍ଭ ହେବାର ୨ ଦିନ ପୂର୍ବରୁ ଆମେରିକାର ଗୃହ ସୁରକ୍ଷା ସଚିବ ପଦରୁ ବହିଷ୍କାର କରାଯାଇଥିଲା। ପଦାବନତ କରାଯାଇ ସ୍ବତନ୍ତ୍ର ଦୂତ ଭାବରେ ରଖାଗଲା ଓ ତାଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହୋଇଯାଇଥିଲା। ଆମେରିକାର ବୈଦେଶିକ ବିଭାଗ ଏପର୍ଯ୍ୟନ୍ତ ଜଣେ ଉତ୍ତରାଧିକାରୀ ନିଯୁକ୍ତ କରିନାହିଁ।
ସିଲ୍ଡ ଅଫ୍‌ ଦି ଆମେରିକାସ ମେଣ୍ଟର ଦୁର୍ବଳତା ହେଉଛି ଅର୍ଥନୀତି। ଦକ୍ଷିଣପନ୍ଥୀ ନେତାମାନଙ୍କ ମଧ୍ୟରେ ଯେତେ ଆତ୍ମୀୟତା ଥାଉ ନା କାହିଁକି, ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧ ମଧ୍ୟରେ ଅର୍ଥନୈତିକ ଦୂରତା ବଢ଼ିଛି। ୨୦୦୦ଠାରୁ ଚାଇନା ଆମେରିକାକୁ ପଛରେ ପକାଇ ଲାଟିନ ଆମେରିକାର ସବୁଠାରୁ ପସନ୍ଦର ରପ୍ତାନି ବଜାର ହୋଇପାରିଛି। ବର୍ତ୍ତମାନ ଲାଟିନ ଆମେରିକାର ମୋଟ ରପ୍ତାନିର ପ୍ରାୟ ୨୮ ପ୍ରତିଶତ ଚାଇନା କିଣୁଥିବାବେଳେ ଆମେରିକାର ଅଂଶ ମାତ୍ର ୧୬%କୁ ଖସିଆସିଛି। ଲାଟିନ ଆମେରିକାର ଧାତୁ, ଖଣିଜ ପଦାର୍ଥ ଓ ଶକ୍ତି ଉତ୍ପାଦଗୁଡ଼ିକ ଏହି ନୂତନ ବାଣିଜି୍ୟକ ସମ୍ପର୍କର ମୁଖ୍ୟ ଆଧାର ହୋଇଛି। ଆର୍ଜେଣ୍ଟିନା, ବଲିଭିଆ ଓ ଚିଲିକୁ ନେଇ ଗଠିତ ‘ଲିଥିୟମ ଟ୍ରାଏଙ୍ଗଲ’ର ମୋଟ ଉତ୍ପାଦନର ୭୭ ପ୍ରତିଶତ ଚାଇନାକୁ ଯାଉଛି। ବିଶ୍ୱର ସବୁଠାରୁ ବଡ଼ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଓ ନିକେଲ ଉତ୍ପାଦକ କମ୍ପାନୀଗୁଡ଼ିକ ମଧ୍ୟରେ ଅନ୍ୟତମ ସିଙ୍ଗସାନ ଉତ୍ତର ଆର୍ଜେଣ୍ଟିନାରେ ନିଜର ଆଞ୍ଚଳିକ ମୁଖ୍ୟାଳୟ ସ୍ଥାପନ କରିଛି। ଏହି କମ୍ପାନୀ ବିଦ୍ୟୁତ୍‌-ରାସାୟନିକ ଶିଳ୍ପ, ଶିଳ୍ପଭିତ୍ତିକ ପ୍ଲାଷ୍ଟିକ ଏବଂ ବିଶାଳ ରାସାୟନିକ ସଂରକ୍ଷଣ କେନ୍ଦ୍ର ଭଳି ଅନେକ ସେବା କ୍ଷେତ୍ରରେ ବିପୁଳ ନିବେଶ କରିଛି। ଏହିସବୁ ପ୍ରକଳ୍ପ ଜୀବାଶ୍ମ ଇନ୍ଧନ ପରବର୍ତ୍ତୀ ଅର୍ଥନୀତିକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ।
ଚାଇନାର ମହାକାଶ ଅଭିଯାନ ପାଇଁ ଦକ୍ଷିଣ ଆମେରିକା ବା ଲାଟିନ ଆମେରିକା ଗୁରୁତ୍ୱପୂର୍ଣ୍ଣ। ପୃଥିବୀ ଉପରେ ଜିଓଷ୍ଟେଶନାରି ଅର୍ବିଟାଲ ସୋଲାର ପାୱାର ଷ୍ଟେଶନଗୁଡ଼ିକରେ ଚାଇନା ଶତାଧିକ ଟେଲିସ୍କୋପ୍‌ରେ ପୁଞ୍ଜିନିବେଶ କରୁଛି। ଟ୍ରମ୍ପ ଷ୍ଟ୍ରେଟ୍‌ ଅଫ୍‌ ମ୍ୟାଗେଲାନ ଦେଇ ଯୁଦ୍ଧ ଜାହାଜ ଚଳାଇବାର ସ୍ବପ୍ନ ଦେଖୁଥିବାବେଳେ ଚାଇନା ଏରୋସ୍ପେସ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କର୍ପୋରେଶନ ଏବଂ ପିପୁଲ୍ସ ଲିବରେଶନ ଆର୍ମିର କିଛି ବିଭାଗ ସାଟେଲାଇଟ ଏବଂ ମହାକାଶ ଶକ୍ତି କେନ୍ଦ୍ରଗୁଡ଼ିକର ଏକ ବିସ୍ତୃତ ନେଟ୍‌ୱର୍କକୁ ପରିଚାଳନା କରିବା ପାଇଁ ପାଟାଗୋନିଆରେ ଭିତ୍ତିଭୂମି ନିର୍ମାଣ କରୁଛି।
‘ସିଲ୍ଡ ଅଫ୍‌ ଦି ଆମେରିକାସ୍‌’ କେବେହେଲେ ଦକ୍ଷିଣ ଆମେରିକାର ପ୍ରକୃତ ଆବଶ୍ୟକତା ଉପରେ ଦୃଷ୍ଟିଦେଇନାହିଁ। ଏହି ଅଞ୍ଚଳର ଦକ୍ଷିଣପନ୍ଥୀ ନେତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ନିଜ ଦେଶଗୁଡ଼ିକୁ ଉତ୍ପାଦକତାର ମାନ୍ଦାବସ୍ଥାରୁ ମୁକ୍ତକରିବା। ଏକବିଂଶ ଶତାବ୍ଦୀର ପ୍ରଥମ ୨୫ ବର୍ଷ ମଧ୍ୟରେ ଏହି ଅଞ୍ଚଳର ଶ୍ରମ ଉତ୍ପାଦକତା ପ୍ରତିବର୍ଷ ହାରାହାରି ୦.୯ ପ୍ରତିଶତରୁ କମ୍‌ ବୃଦ୍ଧି ପାଇଛି, ଯାହା ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି) ହାରାହାରି ତୁଳନାରେ କ୍ରମାଗତ ଭାବେ ପଛରେ ପଡ଼ିଯାଇଛି। ପରିଣାମସ୍ବରୂପ ନବସୃଜନର ଅଭାବ, ଅନୌପଚାରିକ ଅର୍ଥନୀତିର ବିସ୍ତାର ଏବଂ ବୃଦ୍ଧ ଜନସଂଖ୍ୟାର ବୃଦ୍ଧି। ଏଗୁଡ଼ିକ ହେଉଛି ସେହି ଦୀର୍ଘକାଳୀନ ଆହ୍ବାନ, ଯାହାକୁ ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀନେତାମାନେ ଅଣଦେଖା କରିଥାନ୍ତି।
ଶେଷରେ ଲାଟିନ ଆମେରିକାର ଋଣ ସ୍ତର ଅଧିକ ବୃଦ୍ଧିପାଇଛି। ଏହି ଅଞ୍ଚଳର ଜିଡିପିର ପ୍ରାୟ ୩.୫% ସରକାରୀ ଋଣ ପରିଶୋଧରେ ଖର୍ଚ୍ଚ ହେଉଛି। ଏହି ବିପୁଳ ଅର୍ଥରାଶକୁ ଜନହିତକର କାର୍ଯ୍ୟ କିମ୍ବା ସାମାଜିକ ସେବାରେ ନିବେଶ ନ କରି ଋଣ ପରିଶୋଧରେ ଖର୍ଚ୍ଚ କରାଯାଉଛି। ଫଳରେ ସୁଧ ହାର ବଢ଼ିବା ସହ ଋଣ ପରିଶୋଧ ବାବଦ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ଏବଂ ସରକାରମାନେ ଖର୍ଚ୍ଚ କାଟ ଓ ମିତବ୍ୟୟିତାମୂଳକ ନୀତି ଗ୍ରହଣ କରିବାକୁ ବାଧ୍ୟହେବେ। ଲାଟିନ ଆମେରିକୀୟ ସହଯୋଗୀମାନଙ୍କୁ ଏହି ସଙ୍କଟରୁ ମୁକ୍ତକରିବା ପାଇଁ ‘ସିଲ୍ଡ ଅଫ୍‌ ଦି ଆମେରିକାସ୍‌’ କୌଣସି ସହଯୋଗ କରି ନ ଥିଲା। ଲୁଲାଙ୍କ ପାଇଁ ମଧ୍ୟ ଆଗାମୀ ଦିନରେ ଅନେକ କଠିନ କାମ ରହିଛି, କାରଣ ସେ ଏହି ସମାନ ମୌଳିକ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଆମେରିକା ମହାଦେଶକୁ ନେଇ ଟ୍ରମ୍ପ୍‌ଙ୍କ ବିଶାଳ ଯୋଜନା ବିପର୍ଯ୍ୟସ୍ତ ହୋଇଯାଇଥିବାରୁ ଲୁଲାଙ୍କ ପାଇଁ ଏହି କାର୍ଯ୍ୟ କିଛିଟା ସହଜ ହୋଇପାରେ।

ଜେରେମି ଆଡେଲମ୍ୟାନ୍‌
-କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ‘ଗ୍ଲୋବାଲ ହିଷ୍ଟ୍ରି ଲାବ୍‌’ର ନିର୍ଦ୍ଦେଶକ

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।