ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ
କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର ପ୍ରକାଶ କରିଛନ୍ତି। ଏହାଦ୍ୱାରା ଏକ ପ୍ରମୁଖ ସାମୁଦ୍ରିକ ଜାହାଜ ଚଳାଚଳପଥ ଉପରେ ସେମାନଙ୍କର ନିୟନ୍ତ୍ରଣ ଆହୁରି ମଜଭୁତ ହୋଇଛି। ବାବ୍-ଏଲ୍-ମାଣ୍ଡେବ ପ୍ରଣାଳୀ ନିକଟରେ ବିଦ୍ରୋହୀମାନେ ଦ୍ରୁତ ବେଗରେ ଆଗେଇ ଚାଲିଥିବାବେଳେ, ବୃହତ ଏବଂ କ୍ଷୁଦ୍ର ହାନିସ ଦ୍ୱୀପକୁ ଦଖଲ କରିଛନ୍ତି ଯାହା ସାଉଦିର ତେଲ ପରିବହନ ପାଇଁ ଏକ ପ୍ରମୁଖ ଜଳପଥ ଏବଂ ହର୍ମୁଜ ପ୍ରଣାଳୀର ବିକଳ୍ପ ଭାବେ କାର୍ଯ୍ୟ କରିଥାଏ। ଗତ ଏକ ମାସରୁ ଅଧିକ ସମୟ ଧରି ହାଉତିମାନେ ଲୋହିତ ସାଗରରେ ସାଉଦିର ତେଲ ଇନଫ୍ରାଷ୍ଟ୍ରକଚର୍ ଏବଂ ଜାହାଜ ଚଳାଚଳ ଉପରେ ଆକ୍ରମଣ ଜାରି ରଖିଛନ୍ତି, ଯାହା ବିଶ୍ୱ ବଜାରରେ ତେଲ ଦର ଉପରେ ଚାପ ବୃଦ୍ଧି କରୁଛି ଏବଂ ଆମେରିକା ସହିତ ଚାଲିଥିବା ଯୁଦ୍ଧରେ ଇରାନର ଆଧିପତ୍ୟକୁ ବୃଦ୍ଧି କରୁଛି।
୧୬୦ କିଲୋମିଟର ଉତ୍ତରରେ ଥିବା ହାନିସ ଦ୍ୱୀପପୁଞ୍ଜରେ ଶହ ଶହ ସରକାରୀ ସମର୍ଥିତ ସେନା ପ୍ରତ୍ୟାହାର କରିନେବା ପରେ ବିଦ୍ରୋହୀମାନେ ସେଠାରେ ମୁତୟନ ହୋଇଛନ୍ତି ବୋଲି ୨ଜଣ ସରକାରୀ ଅଧିକାରୀ ଏବଂ ଜଣେ ହାଉତି ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଏହି ଦ୍ୱୀପଗୁଡ଼ିକୁ ଦଖଲ କରିବା ପୂର୍ବରୁ ଗତ ସପ୍ତାହରେ ବିଦ୍ରୋହୀମାନେ ନିକଟସ୍ଥ ମୁଖ୍ୟ ଭୂମିରେ ଥିବା ମୋଖା ବନ୍ଦର ସହର ଏବଂ ବାବ୍-ଏଲ୍-ମାଣ୍ଡେବ ପ୍ରଣାଳୀ ଭିତରେ ଥିବା ମାୟୁନ ଦ୍ୱୀପକୁ ଦଖଲ କରିଥିଲେ। ହାଉତିମାନଙ୍କର ଏହି ଅଗ୍ରଗତି ସେମାନଙ୍କୁ ବାବ୍-ଏଲ-ମାଣ୍ଡେବ ପ୍ରଣାଳୀର ଅପର ପାର୍ଶ୍ୱରେ ଥିବା ଡିଜିବୁତିସ୍ଥିତ ଆମେରିକୀୟ ସାମରିକ ଘାଟିରୁ ମାତ୍ର ୩୨ କି.ମି ଦୂରରେ ପହଞ୍ଚାଇ ଦେଇଛି।
ଜାରି ରହିଥିବା ଭୀଷଣ ହିଂସା ଓ ସଂଘର୍ଷ କାରଣରୁ ଦେଶ ପୁଣିଥରେ ଏକ ପୂର୍ଣ୍ଣାଙ୍ଗ ଗୃହଯୁଦ୍ଧ ପରିସ୍ଥିତି ଆଡ଼କୁ ଠେଲି ହୋଇଯାଇଥିବାବେଳେ, ଗତ କିଛି ସପ୍ତାହ ମଧ୍ୟରେ ୮୦,୦୦୦ରୁ ଅଧିକ ଲୋକ ନିଜ ଘରଦ୍ୱାର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ହୌଟି ବିଦ୍ରୋହୀମାନଙ୍କ ଆକ୍ରମଣ ଓ ସୀମାପାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଶହ ଶହ ସାଧାରଣ ନାଗରିକ ମୃତାହତ ହୋଇଥିବାବେଳେ, ଖାଦ୍ୟ ଓ ଜଳ ସମସ୍ୟା ସହିତ ସମ୍ପୂର୍ଣ୍ଣ ଗ୍ରାମଗୁଡ଼ିକ ଖାଲି ହୋଇଯାଇଥିବା ଜାତିସଂଘ ଏବଂ ସ୍ବେଚ୍ଛାସେବୀ ସଂସ୍ଥାଗୁଡ଼ିକ ପ୍ରକାଶ କରିଛନ୍ତି। ଅପରପକ୍ଷେ ୟେମେନ ସରକାରୀ ସେନା ଏବଂ ସାଉଦି ସମର୍ଥିତ ମେଣ୍ଟ ପକ୍ଷରୁ ପୁନଃସଂଗଠିତ ହୋଇ ପ୍ରତିଆକ୍ରଣ ଜାରି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।