ଶିକ୍ଷକ ନିଯୁକ୍ତି ଦାବିରେ ଗେଟ୍ରେ ତାଲା ପକାଇଲେ ଅଭିଭାବକ
ଅମରପାଲି,୬ା୧୧(ପୀତାମ୍ବର ସାହୁ): ସ୍କୁଲରେ ଶିକ୍ଷକ ଅଭାବ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ଶେଷରେ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କର୍ଡାପାଲ କ୍ଲଷ୍ଟର ଅନ୍ତର୍ଗତ ତେଲିପାଲି ସରକାରୀ ୟୁପି ସ୍କୁଲରେ ଦେଖିବାକୁ ମିଳିଛି।
ଏହି ବିଦ୍ୟାଳୟରେ ବାଲବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ଆବଶ୍ୟକ ଶିକ୍ଷକ ନ ଥିବାରୁ ନିୟମିତ ପାଠପଢ଼ାରେ ନାନା ସମସ୍ୟା ଉପୁଜୁଛି। ଏନେଇ ଅଭିଭାବକ ଓ ଗ୍ରାମବାସୀ ପୂର୍ବରୁ ଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସହ ଶିକ୍ଷକ ନିଯୁକ୍ତି ପାଇଁ ଦାବି ଜଣାଇ ଆସୁଥିଲେ। ହେଲେ ଏଯାଏ ଦାବି ପୂରଣ ହୋଇନାହିଁ।
ଏହାର ପ୍ରତିବାଦରେ ଶୁକ୍ରବାର ସ୍କୁଲ ପରିଚାଳନା କମିଟିର ସଭ୍ୟାସଭ୍ୟ, ଅଭିଭାବକ ଓ ଛାତ୍ରୀଛାତ୍ର ଏକତ୍ରିତ ହୋଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରାଯାଇ ପାଠପଢ଼ା ସ୍ବାଭାବିକ କରିବାକୁ ସେମାନେ ଦାବି କରିଛନ୍ତି।
ତେବେ ଖବର ଲେଖା ହେବା ସୁଦ୍ଧା ଘଟଣାସ୍ଥଳରେ ଶିକ୍ଷା ବିଭାଗର କୌଣସି ଅଧିକାରୀ ପହଞ୍ଚି ନ ଥିବା ଜଣାପଡ଼ିଛି। ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନକୁ ନେଇ ଚିନ୍ତିତ ଅଭିଭାବକଙ୍କ ଦାବି ପ୍ରତି ଶିକ୍ଷା ବିଭାଗ କେବେ ଗୁରୁତ୍ୱ ଦେଉଛି, ତାହା ଏବେ ଅପେକ୍ଷାର ବିଷୟ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।