ଶିକ୍ଷାରେ କୋହଳ ନୀତି
ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ ନାହିଁ । ଏବର ଦଶମ କିମ୍ବା ଯୁକ୍ତ ଦୁଇ ପଢ଼ିଥିବା ପିଲାଟିଏ ବ୍ୟାଙ୍କ କିମ୍ବା ଡାକଘରେ ଟଙ୍କା ଜମା ଫର୍ମଟିଏ ପୂରଣ କରିପାରୁ ନାହିଁ। ଘରେ କୌଣସି ସମସ୍ୟା ଦେଖାଦେଲେ ଥାନାରେ ରିପୋର୍ଟ ଟିଏ ଦେଇପାରୁ ନାହିଁ। କୋର୍ଟ କଚେରିରେ କୌଣସି କାମ ପାଇଁ ଆବେଦନ କରିବାର ଦକ୍ଷତା ନାହିଁ। ଏପରି କି ନିଜ ଘରର ଛୋଟ ପିଲାମାନଙ୍କୁ ପାଠ ଦି’ଅକ୍ଷର ପଢ଼ାଇବାର କ୍ଷମତା ନାହିଁ। ଏଥିପାଇଁ ସେମାନଙ୍କର ଦୋଷ ନାହିଁ, ଦୋଷ ରହିଛି ଆମ ଶିକ୍ଷା ବ୍ୟବସ୍ଥାର। ପିଲାଙ୍କୁ କେବଳ ଡିଗ୍ରୀ ହାସଲ ପାଇଁ ପାଠ ପଢ଼ିବାର ବ୍ୟବସ୍ଥା ହୋଇଛି। ଜ୍ଞାନ ଅର୍ଜନ ପାଇଁ କିଛି ବି ସୁଯୋଗ ନାହିଁ।
ଯେଉଁଦିନଠାରୁ ଶିକ୍ଷା ବ୍ୟବସ୍ଥାରୁ ଦଣ୍ଡ ଉଠିଗଲା, ସେହିଦିନଠାରୁ ସବୁକ୍ଷେତ୍ରରେ ପିଲାମାନେ ଦୁର୍ବଳ ହେବାରେ ଲାଗିଲେ। ପିଲାମାନେ ଜାଣିଗଲେ ଆମେ ଯାହାକଲେ ମଧ୍ୟ ସ୍କୁଲରେ ଆମକୁ କେହି ଦଣ୍ଡ ଦେଇପାରିବେ ନାହିଁ। ଶିକ୍ଷକଙ୍କ କଥାକୁ ପିଲାମାନେ ବେଖାତିର କଲେ। ରଚନା ପତ୍ରଲିଖନ ଚୁଲିକୁ ଗଲା। ଲିଖନରେ ପିଲାମାନେ ଦୁର୍ବଳ ହୋଇଗଲେ। କ୍ଲାସରେ ପାଠପଢ଼ା ଚାଲିଥିବା ସମୟରେ ପାଠ ପ୍ରତି ଧ୍ୟାନ ନ ଦେଇ ପରସ୍ପର ମଧ୍ୟରେ କଥାବର୍ତ୍ତାରେ ଲିପ୍ତ ରହିଲେ। ସାର୍ କିଛି ବି କରିପାରିବେ ନାହିଁ। ତା’ଛଡା ଆଉ କିଛି କରିବାର ଅଧିକାର ସାର୍ ମାନଙ୍କଠାରୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଛଡ଼ାଇନେଲା। ସାର୍ମାନେ ସ୍ବାଭିମାନ ହରାଇ ବସିଲେ। ଯେଉଁ ଶିକ୍ଷକଙ୍କୁ ଦେଖିଲେ ପିଲାଙ୍କ ମନରେ ଭକ୍ତିଭାବ ଜାତ ହେବା କଥା ତା’ ବଦଳରେ ଦେଖାଦେଉଛି ପିଲାଙ୍କ ବିଦ୍ରୁପ।
ସମୟ କ୍ରମେ ପାଠ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ କରାଗଲା। ଆଗରୁ ନବମ ଦଶମ ପିଲାମାନଙ୍କୁ ବିଭିନ୍ନ ଫର୍ମ ପୂରଣ ଶିକ୍ଷା ଦିଆଯାଉଥିଲା। ବ୍ୟାଙ୍କର ଟଙ୍କା ଡିପୋଜିଟ ଫର୍ମ, ଟଙ୍କା କାଢ଼ିବା ଫର୍ମ, ପୋଷ୍ଟ ଅଫିସର ବିଭିନ୍ନ ଫର୍ମ ମଧ୍ୟ ପୂରଣ କରିବା ଶିକ୍ଷା ଦିଆଯାଉଥିଲା। କିନ୍ତୁ ତାହା ବର୍ତ୍ତମାନ ନାହଁି। ପିଲାମାନେ ଗୋଟିଏ ଶିକ୍ଷାବର୍ଷରେ ଅନ୍ତତଃ ୭ଟି ରଚନା ଓ ୭ଟି ପତ୍ରଲିଖନ ଲେଖୁଥିଲେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ହସ୍ତାକ୍ଷର ଲେଖୁଥିଲେ। ସବୁ ଲେଖାଗୁଡ଼ିକ ସାର୍ମାନେ ସଂଶୋଧନ କରୁଥିଲେ। ପିଲାଙ୍କୁ ଆବଶ୍ୟକ ସ୍ଥଳେ ଉପଯୁକ୍ତ ପରାମର୍ଶ ଦେଉଥିଲେ। ସ୍କୁଲକୁ ପରିଦର୍ଶକମାନେ ଆସିଲେ ପ୍ରଥମେ ପିଲାଙ୍କ ରଚନା ଖାତା ମାଗୁଥିଲେ। ପିଲା ଲେଖୁଛନ୍ତି କି ନାହିଁ, ଶିକ୍ଷକମାନେ ସଂଶୋଧନ କାମ କରୁଛନ୍ତି କି ନାହିଁ ତଦାରଖ କରୁଥିଲେ। ଏବେ ସେସବୁ ମଧ୍ୟ ଉଠି ଗଲା। ଏବର ପରିଦର୍ଶକମାନଙ୍କର କାମ କେବଳ ସ୍କୁଲର ରେକର୍ଡ ଦେଖିବା ଛଡା ଆଉ କିଛି ନାହିଁ। ପିଲାଙ୍କ ସହିତ କୌଣସି ଭାବ ବିନିମୟ ଆଉ ନାହିଁ।
ବର୍ତ୍ତମାନ ନୂଆ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଏହି ବ୍ୟବସ୍ଥାରେ ପିଲାଙ୍କ ବସ୍ତାନି ବୋଝ କମାଇ ଦିଆଯାଇଛି। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସପ୍ତାହକୁ ଗୋଟିଏ ଦିନ ବିନା ବସ୍ତାନିରେ ସ୍କୁଲ ଯିବେ। ନବମ ଦଶମ ପିଲାମାନେ ବର୍ଷକୁ ଦଶଦିନ ବିନା ବସ୍ତାନିରେ ସ୍କୁଲ ଯିବେ। ସେହି ଦିନମାନଙ୍କରେ ସେମାନଙ୍କୁ ବିଭିନ୍ନ ଶିକ୍ଷଣକାର୍ଯ୍ୟ ଦିଆଯିବ। ପାଠକୁ ଆନନ୍ଦଦାୟୀ କରାଯିବାକୁ ପ୍ରୟାସ କରାଯାଇଛି। ଗପ, ଗୀତ ନାଚ, ଖେଳ ଉପରେ ବହୁତ ଗୁରୁତ୍ୱ ଦିଆଯାଇଛି। ଅନେକ ସ୍କୁଲରେ ସ୍ମାର୍ଟ କ୍ଲାସରୁମ ତିଆରି ହୋଇଛି। ସ୍ମାର୍ଟ ଲାଇବ୍ରେରୀରେ ପିଲା ପଢ଼ିପାରୁଛନ୍ତି। ପ୍ରତି ସ୍କୁଲରେ ଟଏଲେଟଗୁଡ଼ିକର ଆଧୁନିକୀକରଣ କରାଯାଇଛି। ପିଇବା ପାଣିର ସୁବ୍ୟବସ୍ଥା କରାଯାଇଛି। ପିଲାଙ୍କୁ ଖେଳିବାର ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି। ସ୍କୁଲଗୁଡ଼ିକରେ ଡ୍ରପ ଆଉଟ କମିଯାଇଛି। ଉପସ୍ଥାନ କମିଲେ ସିଧାସଳଖ ସାର୍ମାନଙ୍କ ଉପରେ ଆକ୍ସନ। ସାର୍ମାନେ ପିଲାଙ୍କ ଘରକୁ ଯିବାକୁ ପଡୁଛି। ପିଲାଙ୍କର ପାଠ ପ୍ରତି ଯେତିକି ଚିନ୍ତା ନାହିଁ ସାର୍ମାନଙ୍କର ତା’ଠୁ ଅଧିକ ଚିନ୍ତା। ପିଲାଙ୍କର କୌଣସି କାମରେ ଅବହେଳା ହେଲେ ସାର୍ ଦାୟୀ ରହିବେ। ହାଇସ୍କୁଲରେ ସବୁ ପିଲାଙ୍କ ଫର୍ମ ପୂରଣ କରିବେ ଏବଂ କୌଣସି ପିଲା ପରୀକ୍ଷା ନ ଦେଲେ ସାର୍ମାନେ ପିଲାଙ୍କ ଘରକୁ ଯାଇ ଡାକିଆଣି ପରୀକ୍ଷା ହଲରେ ବସାଇବେ। ପ୍ରତିଦିନ ଫୋନ ମାଧ୍ୟମରେ କିଛିନା କିଛି ରିପୋର୍ଟ ଦେବାକୁ ପଡ଼ିବ। ସବୁ ତଥ୍ୟ ପ୍ରଧାନ ଶିକ୍ଷକ ନିଜ ଟେବୁଲ ଉପରେ ପ୍ରସ୍ତୁତ କରି ନ ରଖିଲେ ଅପଦସ୍ଥ ହେବା ସୁନିଶ୍ଚିତ। କହିବାକୁ ଗଲେ ଏବକାର ଶିକ୍ଷା ବ୍ୟବସ୍ଥା ପିଲାଙ୍କ ପାଇଁ କୋହଳ ହୋଇଯାଇଛି। କିନ୍ତୁ ଶିକ୍ଷକମାନଙ୍କ ପାଇଁ କଷ୍ଟକର ହୋଇପଡିଛି।
ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ: ୯୯୩୮୭୫୮୩୫୩
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।