ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’
ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା ସହ ସେମାନଙ୍କର ଏକ ସ୍ବତନ୍ତ୍ର ସ୍ବର ଶୈଳୀ ବିକଶିତ ହୋଇଥାଏ। ଶିମ୍ପାଞ୍ଜିଙ୍କର ହସ, ଗର୍ଜନ ଏବଂ କାନ୍ଦର ସ୍ବର (ଆକୋଷ୍ଟିକ୍ସ)କୁ ଅନୁଧ୍ୟାନକରି ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି।
‘ପ୍ଲସ୍ ୱାନ୍’ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଶିମ୍ପାଞ୍ଜିଙ୍କର ସ୍ବର କେବଳ ବଂଶଗତ ବା ଜେନେଟିକ୍ସ ଦ୍ୱାରା ନିର୍ଦ୍ଧାରିତ ହୋଇ ନ ଥାଏ। ବରଂ ଭିନ୍ନ ଭିନ୍ନ ଅଞ୍ଚଳରେ ରହୁଥିବା ଶିମ୍ପାଞ୍ଜିଙ୍କ ମଧ୍ୟରେ ସ୍ବରର ଭିନ୍ନତା ଦେଖିବାକୁ ମିଳେ। ଗବେଷକମାନେ ଜାମ୍ବିଆର ‘ଚିମଫୁନଶୀ ୱାଇଲ୍ଡଲାଇଫ୍ ଅର୍ଫାନେଜ୍’ ଏବଂ ତାଞ୍ଜାନିଆର ‘ଗୋମ୍ବେ ନ୍ୟାଶନାଲ ପାର୍କ’ରେ ଥିବା ଦୁଇଟି ଭିନ୍ନ ଶିମ୍ପାଞ୍ଜି ଗୋଷ୍ଠୀର ଶିଶୁ ଓ କିଶୋର ଶିମ୍ପାଞ୍ଜିଙ୍କ ସ୍ବରକୁ ତୁଳନା କରିଥିଲେ। ସେମାନେ ଦେଖିଲେ ଯେ ଉଭୟ ଅଞ୍ଚଳର ଶିମ୍ପାଞ୍ଜିଙ୍କ ଡାକିବା ଶୈଳୀରେ ସ୍ପଷ୍ଟ ପାର୍ଥକ୍ୟ ରହିଛି। ଲଣ୍ଡନସ୍ଥିତ କୁଇନ୍ ମେରୀ ୟୁନିଭର୍ସିଟିର ମୁଖ୍ୟ ଗବେଷିକା କାସାଣ୍ଡ୍ରା ଗିରାଗୋସିଆନ କହିଛନ୍ତି, ‘ଶିମ୍ପାଞ୍ଜିଙ୍କ ସ୍ବର ଜନ୍ମରୁ ସ୍ଥିର ନ ଥାଏ। ବରଂ ସେମାନେ ବଡ଼ହେବା ସହ ନିଜ ସାମାଜିକ ଏବଂ ପରିବେଶ ସହ ମିଶି ଏହାକୁ ବିକଶିତ କରନ୍ତି।’ ମଣିଷ ବିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟ ବିଭିନ୍ନ ଗୋଷ୍ଠୀର ସ୍ବର ପ୍ରାୟ ସମାନ ଥିଲା, କିନ୍ତୁ ସମୟ ସହ ଆଞ୍ଚଳିକ ଭାଷା ବା ସ୍ବର ଶୈଳୀରେ ପାର୍ଥକ୍ୟ ଆସିଲା। ଶିମ୍ପାଞ୍ଜିଙ୍କ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ଘଟୁଛି।
ଛୋଟ ବେଳୁ ହିଁ କିଛି ସ୍ବରର ପାର୍ଥକ୍ୟ ଜଣାପଡ଼ୁଥିବା ବେଳେ ବୟସ ବଢ଼ିବା ସହ ଏହା ଆହୁରି ସ୍ପଷ୍ଟ ହୋଇଥାଏ। ଏହି ଗବେଷଣା ପ୍ରମାଣିତ କରୁଛି ଯେ ପ୍ରାଣୀମାନଙ୍କର ଯୋଗାଯୋଗ ବ୍ୟବସ୍ଥା ପୂର୍ବରୁ ଅନୁମାନ କରାଯାଉଥିବା ଅପେକ୍ଷା ଅଧିକ ନମନୀୟ ଏବଂ ଗତିଶୀଳ। ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ସ୍ବରର ବିକାଶ କିପରି ହୁଏ, ତାହା ବୁଝିବାରେ ଏହି ଅଧ୍ୟୟନ ଏକ ନୂଆ ଦିଗ ଦେଖାଇବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକଟ କରିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।