ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

Sep 18, 2026 - 21:52
ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ନେସଲେ ଇଣ୍ଡିଆ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କମ୍ପାନୀ ବିରୋଧରେ ନିୟମ ଉଲ୍ଲଂଘନ ଅଭିଯୋଗରେ ତିନୋଟି ପୃଥକ ‘ଏଡଜୁଡିକେସନ୍ କେସ୍’ ରୁଜୁ କରାଯାଇଛି।

FSSAI ଅନୁଯାୟୀ, ନେସଲେ ଇଣ୍ଡିଆର ଦୁଇଟି ପ୍ରମୁଖ ଶିଶୁ ଆହାର NAN Excella Pro Stage 1 ଏବଂ Lactogen Pro 1 ର ପ୍ରଚାରରେ ନିୟମ ବହିର୍ଭୂତ ଦାବି କରାଯାଇଥିବା ଦେଖିବାକୁ ମିଳିଛି। NAN Excella Pro Stage 1 ର ବିଜ୍ଞାପନରେ ‘5 HMOs’ ଏବଂ ‘Whey Protein’ ସମ୍ପର୍କିତ ଦାବି କରାଯାଇଥିବା ବେଳେ Lactogen Pro 1 ରେ ‘Whey Protein being easy to digest’ (ୱେ ପ୍ରୋଟିନ୍ ସହଜରେ ପଚିଯାଏ) ବୋଲି ଦାବି କରାଯାଇଥିଲା।

ତଦନ୍ତ ପରେ ଏହି ଦାବିଗୁଡ଼ିକ ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡସ (ଫୁଡ୍ ଫର୍ ଇନ୍‌ଫାଣ୍ଟ ନ୍ୟୁଟ୍ରିସନ୍) ରେଗୁଲେସନ୍, ୨୦୨୦ ର ଧାରା 4(2) ଏବଂ ଇନ୍‌ଫାଣ୍ଟ ମିଲ୍କ ସବ୍‌ଷ୍ଟିଚ୍ୟୁଟ୍ସ (IMS) ଆକ୍ଟ, ୧୯୯୨ର ଧାରା ୩ର ଉଲ୍ଲଂଘନ ବୋଲି ଜଣାପଡ଼ିଛି। ଏହି ନିୟମ ଅନୁସାରେ ଶିଶୁ ଆହାରର ବିକ୍ରି ବଢ଼ାଇବା ପାଇଁ କୌଣସି ପ୍ରକାରର ବିଭ୍ରାନ୍ତିକର ବିଜ୍ଞାପନ କିମ୍ବା ପ୍ରଚାର କରିବା ସମ୍ପୂର୍ଣ୍ଣ ନିଷିଦ୍ଧ।

କେବଳ ବିଜ୍ଞାପନ ନୁହେଁ, ବରଂ ନେସଲେର ଏକ ‘ଫଲୋ-ଅପ୍ ଫର୍ମୁଲା’ ର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ପ୍ରାଥମିକ ଲ୍ୟାବ୍ ପରୀକ୍ଷାରେ ଏହି ଉତ୍ପାଦରେ ବାୟୋଟିନର ମାତ୍ରା ନିର୍ଦ୍ଧାରିତ ମାନକଠାରୁ କମ୍ ଥିବା ଜଣାପଡ଼ିଥିଲା। ପରେ ରେଫରାଲ୍ ଲ୍ୟାବୋରେଟରୀକୁ ନମୁନା ପଠାଯାଇ ପୁନଃ ପରୀକ୍ଷା କରାଯିବା ପରେ ମଧ୍ୟ ବାୟୋଟିନ୍‌ର ମାତ୍ରା ନିୟମାନୁଯାୟୀ ନଥିବା ସ୍ପଷ୍ଟ ହୋଇଛି।

ଶିଶୁଙ୍କ ଶାରୀରିକ ବିକାଶ ପାଇଁ ବାୟୋଟିନ୍ ଏକ ଅତ୍ୟାବଶ୍ୟକ ଭିଟାମିନ୍ ହୋଇଥିବାରୁ, ଏଥିରେ ତ୍ରୁଟି ଦେଖାଯିବା ପରେ FSSAI ପକ୍ଷରୁ ଏହି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।