ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

Sep 18, 2026 - 22:35
ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି। କାଶୀପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମର ଶଙ୍କର ମାଝୀଙ୍କ ୧୬ ବର୍ଷୀୟା ଝିଅ ପଦ୍ମାବତୀ ମାଝୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରୁ ଦୁର୍ବ୍ୟବହାର କରି ବାହାର କରିଦିଆଯାଇଥିବା ନେଇ ତାଙ୍କ ବାପା ଶଙ୍କର ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୬ ତାରିଖରେ ପଦ୍ମାବତୀଙ୍କୁ ପ୍ରବଳ ଜ୍ୱର ହେବାରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ପୂର୍ବାହ୍ନରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ତେବେ ସ୍ଥାନୀୟ ସମାଜସେବୀ ବଳରାମ ପଣ୍ଡାଙ୍କ କହିବା ଅନୁଯାୟୀ, ଆଡମିଟ୍‌ ହେବା ସମୟରେ ପଦ୍ମାବତୀଙ୍କ ପ୍ଲେଟଲେଟ୍‌ ୭୫ ହଜାର ଓ ହିମୋଗ୍ଲୋବିନ୍‌ ୮ ଥିବାବେଳେ ଡିସଚାର୍ଜ ସମୟରେ ପ୍ଲେଟଲେଟ୍‌ କମି ୬୩ ହଜାର ଏବଂ ହିମୋଗ୍ଲୋବିନ୍‌ ୬.୯ ରହିଥିଲା।

ରୋଗୀ ଠିକ୍‌ ଭାବେ ଛିଡ଼ା ହୋଇପାରୁ ନ ଥିବା କିମ୍ବା ବସିପାରୁ ନ ଥିବାବେଳେ ତାଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀ ଜୋରଜବରଦସ୍ତ ଡିସଚାର୍ଜ କରିଥିବା ଶଙ୍କର ଅଭିଯୋଗ କରିଛନ୍ତି। ତାଙ୍କ ଝିଅର ଅବସ୍ଥା ଭଲ ନ ଥିବାରୁ ଚିକିତ୍ସାଳୟରେ ରଖି ଚିକିତ୍ସା କରିବାକୁ ସେ ଅନୁରୋଧ କରିଥିଲେ। ହେଲେ ଚିକିତ୍ସାଳୟର କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ଶଙ୍କର କହିଛନ୍ତି। ଏପରିକି ତାଙ୍କୁ ଧକ୍କା ଦେଇ ବାରଣ୍ଡାକୁ ବାହାର କରିଦିଆଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଶଙ୍କର ନିଜେ ଅଶିକ୍ଷିତ ହୋଇଥିବାରୁ ଝିଅର ରିପୋର୍ଟ ଦେଖିବା ପାଇଁ ଅନ୍ୟମାନଙ୍କୁ ଅନୁରୋଧ କରୁଥିବାବେଳେ ଏଭଳି ଦୁର୍ବ୍ୟବହାରର ଶିକାର ହୋଇଥିବା ସେ କହିଛନ୍ତି। ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସମାଜସେବୀ ବଳରାମ ପଣ୍ଡା ଚିକିତ୍ସାଳୟରେ ପହଞ୍ଚି କର୍ତ୍ତୃପକ୍ଷଙ୍କୁ ଏନେଇ ପ୍ରଶ୍ନ କରିଥିଲେ। ସେ ଏଭଳି ଅଭିଯୋଗକୁ ନେଇ ପ୍ରତିବାଦ କରିବା ସହ ଘଟଣାର ତଦନ୍ତ ଦାବି କରିଥିଲେ। ତାଙ୍କ ହସ୍ତକ୍ଷେପ ପରେ ରୋଗୀଙ୍କୁ ପୁଣି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଏନେଇ ମେଡିସିନ୍‌ ୱାର୍ଡ ଇନ୍‌ଚାର୍ଜ କହିଛନ୍ତି ଯେ, ଘଟଣା ସମୟରେ ସେ ରାଉଣ୍ଡରେ ନ ଥିଲେ। ଦାୟିତ୍ୱରେ ଥିବା ଡାକ୍ତର ରୋଗୀଙ୍କୁ ଜ୍ୱର ନ ଥିବା କହି ଡିସଚାର୍ଜ କରିଥିଲେ। ରୋଗୀଙ୍କ ରିପୋର୍ଟ ସମ୍ପର୍କରେ ସେତେବେଳେ ଜଣା ନ ଥିବାରୁ ଡିସଚାର୍ଜ କରାଯାଇଥିଲା। ଏବେ ରିପୋର୍ଟ ଦେଖିବା ପରେ ତାଙ୍କୁ ପୁଣି ଆଡମିଟ୍‌ କରାଯାଇଛି ବୋଲି ସେ କହିଥିଲେ। ତେବେ ରୋଗୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଅସ୍ବୀକାର କରିଥିଲେ।

ଘଟଣାର ପ୍ରକୃତ ତଦନ୍ତ କରି ଯଦି କୌଣସି କର୍ମଚାରୀ ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବଳରାମ ପଣ୍ଡା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।