ଶେଷ ହେଲା ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଜନସମୁଦ୍ର ପାଲଟିଲା ଭବାନୀପାଟଣା
ଭବାନୀପାଟଣା, ୧୯।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଭବାନୀପାଟଣା ସହରରେ ମହାସମାରୋହରେ ସମ୍ପନ୍ନ ହୋଇଛି। ଏହି ଅବସରରେ ଭବାନୀପାଟଣା ସହର ଜନସମୁଦ୍ରରେ ପରିଣତ ହୋଇଥିଲା। ମା’ଙ୍କ ବିଜୟ ପ୍ରତୀକ ଛତରର ଦିବ୍ୟ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ମଧ୍ୟରାତ୍ରିରେ ମନ୍ଦିରର ଗର୍ଭଗୃହରେ ଗୁପ୍ତ ରୀତିନୀତି ସମ୍ପନ୍ନ ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ‘ଛତର’କୁ ସହର ଉପକଣ୍ଠସ୍ଥ ଜେନାଖାଲକୁ ନିଆଯାଇଥିଲା। ସେଠାରେ ସନ୍ଧିପୂଜା ସମ୍ପନ୍ନ ହେବା ପରେ ଭୋର ୫ଟାରେ ମା’ଙ୍କ ଛତର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା। ଏହି ସମୟରେ ପାରମ୍ପରିକ ବାଦ୍ୟ ଘୁମୁରା, ନିଶାନ, ଘଣ୍ଟ ଓ ଢୋଲର ତାଳେ ତାଳେ ସାରା ଭବାନୀପାଟଣା ସହର ପ୍ରକମ୍ପିତ ହୋଇଉଠିଥିଲା।
ସକାଳ ୭ଟା ୪୫ ମିନିଟ୍ରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚିଥିଲା। ଏହି ସମୟରେ ଯୁବରାଜ ଅଦ୍ୱୈତ ପ୍ରତାପ ଦେଓ ମା’ଙ୍କ ଛତରକୁ ବନ୍ଦାପନା କରିବା ସହ ମନ୍ଦିରକୁ ପାଛୋଟି ନେଇଥିଲେ। ଏହିପରି ଭାବେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଭକ୍ତି ଓ ଉତ୍ସାହର ମାହୋଲ ମଧ୍ୟରେ ସମ୍ପନ୍ନ ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।