ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ
କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପର୍ଶୁରାମ ସୌରା (୩୦) ନାମକ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ବି. ସିଂହପୁର ଥାନା ଅଧୀନ ପଖନାଗୁଡ଼ା ଗ୍ରାମର ଶ୍ୟାମସୁନ୍ଦର ସୌରାଙ୍କ ପୁଅ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପର୍ଶୁରାମ ଘରୋଇ ଆବଶ୍ୟକତା ପାଇଁ ସଜନା ଗଛରୁ ଶାଗ ତୋଳିବାକୁ ଯାଇଥିଲେ। ତେବେ ଗଛ ନିକଟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ସେ ଅସାବଧାନତାବଶତଃ ଆସିଯାଇଥିଲେ। ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇ ସେ ଗଛର ଦୁଇ ଡାଳ ମଝିରେ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ସମ୍ପର୍କରେ ପ୍ରଚାର ହେବା ପରେ ପଖନାଗୁଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସାଧାରଣ ସଜନା ଶାଗ ତୋଳିବାକୁ ଯାଇ ଜଣେ ରୋଜଗାରିଆ ଯୁବକ ଏଭଳି ଅକାଳରେ ଜୀବନ ହରାଇବା ଘଟଣା ସ୍ଥାନୀୟ ଗ୍ରାମବାସୀଙ୍କୁ ମର୍ମାହତ କରିଛି।
ଖବର ପାଇ ବି. ସିଂହପୁର ଥାନା ଆଇଆଇସି ସୂରଜ ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗଛ ଉପରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।