ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ପାଳନ କରନ୍ତୁ ଚାଣକ୍ୟ ଏହି ୪ କଥା…
ଆଚାର୍ଯ୍ୟ ଚାଣକ୍ୟ ଜଣେ ପ୍ରାଚୀନ ଭାରତୀୟ ଶିକ୍ଷକ, ଦାର୍ଶନିକ ତଥା ରାଜ ପରାମର୍ଶଦାତା ଥିଲେ। ତାଙ୍କୁ ‘ଅର୍ଥଶାସ୍ତ୍ର’ର ରଚୟିତା ଭାବରେ ଜଣାଯାଏ। ଯିଏ କି ଅର୍ଥନୀତି, ରାଜନୀତି ଏବଂ ଯୁଦ୍ଧନୀତି ଉପରେ ଏକ ପ୍ରଭାବଶାଳୀ ଗ୍ରନ୍ଥ ଲେଖିଯାଇଛନ୍ତି। ଭାରତୀୟ ଇତିହାସରେ ତାଙ୍କୁ ଅନ୍ୟତମ ଶ୍ରେଷ୍ଠ ରଣନୀତିଜ୍ଞ ଏବଂ ରାଜନୈତିକ ଚିନ୍ତକ ଭାବରେ ବିବେଚନା କରାଯାଏ। ‘ଚାଣକ୍ୟ ନୀତି’ ହେଉଛି ରାଜନୈତିକ ଓ ନୈତିକ ଉପଦେଶାତ୍ମକ ବଚନର ଏକ ସଂଗ୍ରହ। ଚାଣକ୍ୟ ତାଙ୍କ ନୀତିରେ ଜଣେ ବ୍ୟକ୍ତି କିପରି ସଫଳତାର ଶୀର୍ଷରେ ପହଞ୍ଚିବେ ସେନେଇ ଉଲ୍ଲେଖ କରିଛନ୍ତି।
ଆତ୍ମନିର୍ଭରଶୀଳତା:
ଚାଣକ୍ୟ ବିଶ୍ୱାସ କରୁଥିଲେ ଯେ, ମଣିଷ ଅନ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା ପରିବର୍ତ୍ତେ ନିଜର କର୍ମ ଓ ସାମର୍ଥ୍ୟ ଉପରେ ଭରସା କରିବା ଉଚିତ୍। ଏହା ଜୀବନକୁ ନିରାଶାରୁ ରକ୍ଷା କରିବା ସହ ଏକ ସନ୍ତୋଷଜନକ ପଥରେ ପରିଚାଳିତ କରିଥାଏ।
ଶିକ୍ଷାକୁ ପ୍ରାଥମିକତା ଦିଅନ୍ତୁ:
ଚାଣକ୍ୟ ଶିକ୍ଷାର ଗୁରୁତ୍ୱ ଉପରେ ଜୋର୍ ଦେଇ କହିଥିଲେ ଯେ ଅଜ୍ଞାନତା ଏକ ବଡ଼ ରୋଗ, ଯାହାକୁ କେବଳ ଜ୍ଞାନ ଦ୍ୱାରା ହିଁ ଦୂର କରାଯାଇପାରିବ। ସେ ବିଶ୍ୱାସ କରୁଥିଲେ ଯେ ଶିକ୍ଷା ହେଉଛି ପ୍ରକୃତ ସଫଳତାର ଚାବିକାଠି ଏବଂ ଏକ ଉତ୍ତମ ଜୀବନର ମୂଳଦୁଆ।
ଧୈର୍ଯ୍ୟବାନ ହୁଅନ୍ତୁ:
ଚାଣକ୍ୟ ଧୈର୍ଯ୍ୟ ଏବଂ ଦୃଢ଼ ସଂକଳ୍ପର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମତ ଦେଇଥିଲେ ଯେ, ପ୍ରକୃତ ସଫଳତା ସେହିମାନଙ୍କୁ ମିଳିଥାଏ, ଯେଉଁମାନେ ବିପଦ ସମୟରେ ଧୈର୍ଯ୍ୟ ରକ୍ଷା କରନ୍ତି, ଦୃଢ଼ ନିଶ୍ଚିତ ରୁହନ୍ତି ଏବଂ କଠିନ ପରିଶ୍ରମ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।
ପରିସ୍ଥିତି ଅନୁଯାୟୀ ନିଜକୁ ଖାପ ଖୁଆଇବା:
ଚାଣକ୍ୟ ଶିକ୍ଷା ଦେଇଥିଲେ ଯେ, ମଣିଷ ସମୟ ଓ ପରିବର୍ତ୍ତନ ସହିତ ଖାପ ଖୁଆଇ ଚଳିବା ଶିଖିବା ଉଚିତ୍। ନୂତନ ପରିସ୍ଥିତି ଉପୁଜିଲେ ତାହାକୁ ସହଜରେ ଗ୍ରହଣ କରିବାର କ୍ଷମତା ଜଣଙ୍କୁ ନମନୀୟ କରିବା ସହ ଜୀବନର ପ୍ରତ୍ୟେକ ଆହ୍ବାନକୁ ସଫଳତାର ସାମ୍ନା କରିବାରେ ସାହାଯ୍ୟ କରିଥାଏ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।