ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…
ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଞ୍ଚଳ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ନିଜସ୍ବ ଜିଲା ଅଟେ। ଏହି ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭଦାନା ପୂର୍ବରୁ ଭାଜପା କିଷାନ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ।
ରବିବାର ବିଳମ୍ବିତ ସାରେ ଭଦାନା ନିଜର କ୍ରସର୍ ପ୍ଲାଣ୍ଟରେ ଥିବା ସମୟରେ ୭୦ରୁ ୮୦ ଜଣିଆ ଏକ ଉତ୍ତ୍ୟକ୍ତ ଗୋଷ୍ଠୀ ସେଠାରେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପୂର୍ବତନ ବିଧାୟକ ଏବଂ ତାଙ୍କ ସହଯୋଗୀ ଗଗନ ଶର୍ମା ଗୁରୁତର ଆହତ ହୋଇଥିଲେ।
ଅଭିଯୋଗ ରହିଛି ଯେ ଆକ୍ରମଣକାରୀମାନେ ବାଡ଼ି, ରଡ, ଇଟା ଏବଂ ପଥର ବ୍ୟବହାର କରି ଉକ୍ତ ଦୁଇଜଣଙ୍କ ସମେତ ପ୍ଲାଣ୍ଟରେ ଉପସ୍ଥିତ ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପୂର୍ବତନ ବିଧାୟକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଗୁଳି ମଧ୍ୟ କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ଦିଆଯିବା ପରେ ମଧ୍ୟ ପୋଲିସ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ପହଞ୍ଚି ନଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।
ଭଦାନା ଏବଂ ଶର୍ମାଙ୍କୁ ପ୍ରଥମେ ଏକ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ, ଶର୍ମାଙ୍କୁ ଭରତପୁର ସହରର ଏକ ଡାକ୍ତରଖାନାକୁ ଏବଂ ପୂର୍ବତନ ବିଧାୟକଙ୍କୁ ଜୟପୁରର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଜୟପୁରସ୍ଥିତ ଏସଏମଏସ (SMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭଦାନାଙ୍କ ମୃତ୍ୟୁ ଘଟିଥିଲା।
ଭଦାନା ମୂଳତଃ ହରିୟାଣାର ବାସିନ୍ଦା ଥିଲେ। ଏକ ପଥର କ୍ରସର୍ ପ୍ଲାଣ୍ଟକୁ ଯିବା ପାଇଁ ଥିବା ରାସ୍ତାକୁ ନେଇ ପୂର୍ବତନ ବିଧାୟକ ଅତର ସିଂହ ଭଦାନା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ କିଛି ଦିନ ଧରି ବିବାଦ ଚାଲିଥିଲା। ଗ୍ରାମବାସୀମାନେ ଏହାକୁ ନେଇ କିଛି ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ଯାହାକୁ ପୂର୍ବତନ ବିଧାୟକ ବନ୍ଦ କରାଇବାରେ ସଫଳ ହୋଇଥିଲେ। ତେବେ ରବିବାର ପରିସ୍ଥିତି ଉତ୍କଟ ହୋଇପଡ଼ିଥିଲା। ପୂର୍ବତନ ବିଧାୟକ ଅତର ସିଂହ ନିଜ ପତ୍ନୀ ଏବଂ ଅନ୍ୟ ସହଯୋଗୀଙ୍କ ସହ ସେହି କ୍ରସର୍ ପ୍ଲାଣ୍ଟ ପରିଦର୍ଶନ କରିବାକୁ ଯାଇଥିଲେ। ସେଠାରେ ୭୦-୮୦ ଜଣିଆ ଏକ ଗୋଷ୍ଠୀ ତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ।
ପୂର୍ବତନ ବିଧାୟକ ଅତର ସିଂହଙ୍କ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଦଳ ବର୍ତ୍ତମାନ ରାଜ୍ୟର ଭଜନ ଲାଲ ଶର୍ମା ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟ ସଭାପତି ଗୋବିନ୍ଦ ସିଂହ ଡୋଟାସରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଟିକାରାମ ଜୁଲି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲାରେ ଜଣେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କ ହତ୍ୟା ଏକ ଗୁରୁତର ଚିନ୍ତାର ବିଷୟ। ଏହା ସ୍ପଷ୍ଟ ଭାବେ ସୂଚାଉଛି ଯେ ଆଇନଶୃଙ୍ଖଳା ଉପରୁ ସରକାର ନିୟନ୍ତ୍ରଣ ହରାଇଛନ୍ତି। ଯଦି ବରିଷ୍ଠ ଭାଜପା ନେତାମାନେ ସୁରକ୍ଷିତ ନୁହଁନ୍ତି ଏବଂ ପୋଲିସ ସେମାନଙ୍କୁ ସାହାଯ୍ୟ କରିବାରେ ଅସମର୍ଥ, ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ତାହା କେବଳ କଳ୍ପନା କରାଯାଇପାରେ।
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।