ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ ମହଙ୍ଗା ପଡ଼ିଲା ପ୍ରଧାନଶିକ୍ଷକ ନିଲମ୍ବିତ
ପାତ୍ରପୁର, ୧୮ା୯(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଣ୍ଡୁରା ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପ୍ରଧାନଙ୍କୁ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିବା ମହଙ୍ଗା ପଡିଛି। ପ୍ରଧାନଶିକ୍ଷକ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଗୁରୁବାର ଏହି ବିଦ୍ୟାଳୟରେ ମାତ୍ର ୬ ଜଣ ଛାତ୍ରୀଛାତ୍ର ଆସିଥିବା ହେତୁ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସହକାରୀ ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟିକରି ତାଲା ପକାଇ ଚାଲିଯାଇଥିଲେ। ଏନେଇ ବିଇଓଙ୍କ ଦୃଷ୍ଟିକୁ ଆସିବା ପରେ ସ୍ଥାନୀୟ ସିଆର୍ସିସି ଶିସ୍ତୁଭକ୍ତ ସିହ୍ନା ଓ ଏବିଇଓ ସୁଶୀଲ ପାତ୍ରଙ୍କୁ ତଦାରଖ ପାଇଁ ପଠାଇଥିଲେ। ଦୁଇ ଅଧିକାରୀ ଅପରାହ୍ନ ଦୁଇଟାରେ ବିଦ୍ୟାଳୟରେ ପହଞ୍ଚତ୍ଥିଲେ ମଧ୍ୟ ବିଦ୍ୟାଳୟ ବନ୍ଦ ଥିବା ଦେଖି ବିଇଓ ସୀତାରାମ ପାତ୍ରଙ୍କୁ ରିପୋର୍ଟ କରିଥିଲେ।ଏହାକୁ ଭିତ୍ତି କରି ଚିଠି ନମ୍ବର ୧୨୫୩/୨୬ ଅନୁସାରେ ପ୍ରଧାନ ଶିକ୍ଷକ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ, ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟରେ ୬୯ ଛାତ୍ରୀଛାତ୍ର ପାଠ ପଢ଼ୁଥିବା ବେଳେ ୫ ଜଣ ଶିକ୍ଷକ ରହିଛନ୍ତି । ଗୁରୁବାର ବିଦ୍ୟାଳୟରେ ୬ ଜଣ ଛାତ୍ରୀଛାତ୍ର ଉପସ୍ଥିତ ଥିବା ବେଳେ ମଧ୍ୟାହ୍ନଭୋଜନ ଉପସ୍ଥାନ ଖାତାରେ ୬୬ ଜଣ ଛାତ୍ରୀଛାତ୍ର ଉପସ୍ଥିତ ଥିବା ଏବଂ ସେମାନେ ମଧ୍ୟାହ୍ନ ଭୋଜନଖାଇଛନ୍ତି ବୋଲି ଦର୍ଶାଯାଇଥିବା କେତେଜଣ ଗ୍ରାମବାସୀ ପ୍ରକାଶ କରିଛନ୍ତି । ବ୍ଲକର ଅନେକ ବିଦ୍ୟାଳୟରେ ଏଭଳି ଘଟଣା ଘଟୁଥିବା ବେଳେ ସବୁ ଘଟଣା ବିଇଓ, ଏବିଇଓ ଏବଂ ସିଆର୍ସିସିଙ୍କ ନଜରକୁ ଆସୁନାହିଁ।
Dharitri –Odisha’s No.1 Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।