ସରକାରଙ୍କୁ ଚେତାବନୀ ଦେଲେ ଅଭିନେତା ପ୍ରକାଶ ରାଜ, ଜନ୍ତରମନ୍ତର ହେବ….

Oct 14, 2026 - 15:45
ସରକାରଙ୍କୁ ଚେତାବନୀ ଦେଲେ ଅଭିନେତା ପ୍ରକାଶ ରାଜ, ଜନ୍ତରମନ୍ତର ହେବ….

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପ୍ରଦର୍ଶନକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ ମୁହଁ ଖୋଲିଛନ୍ତି ଅଭିନେତା ପ୍ରକାଶ ରାଜ । କକରୋଚ୍‌ ଜନତା ପାର୍ଟି (CJP)ର ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକ ରଖାଯିବା ଏବଂ ଜନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍‌ ଦେବା ନିଷ୍ପତ୍ତିକୁ ସେ ସମାଲୋଚନା କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ଭିଡିଓ ପୋଷ୍ଟ କରି ପ୍ରକାଶ ରାଜ କହିଛନ୍ତି ଯେ, ପ୍ରତିବାଦ କରିବାର ସ୍ଥାନ ବଦଳାଇ ଦେଲେ ଲୋକଙ୍କ ସ୍ୱରକୁ ଚୁପ୍‌ କରାଯାଇପାରିବ ନାହିଁ । ସେ ପ୍ରଶ୍ନ କରିଛନ୍ତି, ନିଜ ଅଧିକାର ପାଇଁ ପ୍ରଶ୍ନ ପଚାରୁଥିବା ନାଗରିକଙ୍କୁ କାହିଁକି ଅଟକ ରଖାଯାଉଛି? ରିପୋର୍ଟ ଅନୁଯାୟୀ, ଜାତୀୟ ପତାକା ଧରି ଜନ୍ତର ମନ୍ତରରେ ପ୍ରତିବାଦ କରିଥିବା CJPର ସଦସ୍ୟ ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ପାଞ୍ଚ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଏହି ଘଟଣାକୁ ନେଇ ପ୍ରକାଶ ରାଜ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ସେ ଦିଲ୍ଲୀରେ ପ୍ରତିବାଦକାରୀଙ୍କ ସହ ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି । ଜନ୍ତର ମନ୍ତର ବଦଳରେ ରାମଲୀଳା ମୈଦାନରେ ପ୍ରତିବାଦ କରିବା ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରକାଶ ରାଜ ଆପତ୍ତି ଉଠାଇଛନ୍ତି । ତାଙ୍କ ଦାବି ଅନୁସାରେ, ସେଠାରେ ପ୍ରତିବାଦ ପାଇଁ ୫୦ ହଜାର ଟଙ୍କା ଫି’ ସହ ସମାନ ପରିମାଣର ଫେରସ୍ତଯୋଗ୍ୟ ଜମା ରାଶି ଦେବାକୁ ପଡ଼ିପାରେ। ସେ ପ୍ରଶ୍ନ କରିଛନ୍ତି, ସରକାରଙ୍କୁ ପ୍ରଶ୍ନ ପଚାରିବା ଓ ନିଜ ମତ ପ୍ରକାଶ କରିବା ପାଇଁ ସାଧାରଣ ଲୋକଙ୍କୁ କାହିଁକି ଏତେ ଟଙ୍କା ଦେବାକୁ ପଡ଼ିବ?

ପ୍ରକାଶ ରାଜ କହିଛନ୍ତି ଯେ, ପ୍ରତିବାଦର ସ୍ଥାନ ବଦଳାଯାଇପାରେ କିମ୍ବା ପ୍ରତିବାଦ ଉପରେ କଟକଣା ଲଗାଯାଇପାରେ, କିନ୍ତୁ ଦେଶର ଲୋକଙ୍କ ସ୍ୱରକୁ ରୋକାଯାଇପାରିବ ନାହିଁ। ତାଙ୍କର ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। CJP ସମେତ କେତେକ ରାଜନୈତିକ ଗୋଷ୍ଠୀ ଓ ଯୁବକମାନେ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ପ୍ରତିବାଦ କରୁଛନ୍ତି । ଏହି ପ୍ରକ୍ରିୟାରେ ବହୁ ସଂଖ୍ୟକ ଭୋଟରଙ୍କ ନାମ କାଟି ଦିଆଯାଇଥିବା ଏବଂ ପ୍ରକ୍ରିୟାରେ ସ୍ୱଚ୍ଛତାର ଅଭାବ ଥିବା ଅଭିଯୋଗ ଉଠାଇ ସେମାନେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି।

ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରତିବାଦ ହେଉଥିବା ରିପୋର୍ଟରେ କୁହାଯାଇଛି। ପ୍ରକାଶ ରାଜଙ୍କ ମତରେ, ଗଣତନ୍ତ୍ରରେ ନାଗରିକଙ୍କୁ ପ୍ରଶ୍ନ ପଚାରିବା ଓ ନିଜ ମତ ରଖିବାର ଅଧିକାର ରହିବା ଉଚିତ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।