ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

Oct 30, 2026 - 17:42
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କ ପାଇଁ ଖୁସି ଖବର; ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଚେନ୍ନାଇ,୩୦।୧୦: ଶୁକ୍ରବାର (ଅକ୍ଟୋବର ୩୦, ୨୦୨୬) , ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷର କୋହଳ (relaxation) ପ୍ରଦାନ କରି ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି କୋହଳ ବ୍ୟବସ୍ଥା ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ସରକାରୀ ପଦବୀ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ପ୍ରାର୍ଥୀମାନଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି କୋହଳ ପ୍ରଦାନ କରିଛନ୍ତି। ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ବୟସ ସୀମାରେ ଏହି କୋହଳ ବ୍ୟବସ୍ଥା, ବର୍ତ୍ତମାନ ଲାଗୁ ଥିବା ନିୟମାବଳୀ ବ୍ୟତୀତ ଅତିରିକ୍ତ ଭାବରେ ଲାଗୁ ହେବ।’
ତାମିଲନାଡୁ ସରକାରଙ୍କ ଏକ ବିବୃତ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦ୍ୱାରା ଘୋଷିତ ଏହି ନିଷ୍ପତ୍ତି ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେତୁ ଯେଉଁ ପ୍ରାର୍ଥୀମାନେ ବୟସ ସୀମା ଅତିକ୍ରମ କରିଯିବା କାରଣରୁ ଅଯୋଗ୍ୟ ହୋଇଯାଇଥିଲେ, ସେମାନଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବୟସ ସୀମାରେ ମିଳିଥିବା ଏହି ୫ ବର୍ଷର ଅତିରିକ୍ତ ସମୟସୀମା, BC, BC(M), MBC, DNC, SC ଏବଂ ST ବର୍ଗର ପ୍ରାର୍ଥୀଙ୍କ ସହିତ ଅସହାୟ ବିଧବା ମହିଳାମାନଙ୍କ ପାଇଁ ପୂର୍ବରୁ ଉପଲବ୍ଧ ଥିବା ବୟସ କୋହଳ ବ୍ୟବସ୍ଥା ବ୍ୟତୀତ ଅତିରିକ୍ତ ଭାବରେ ଲାଗୁ ହେବ।
ସଂଶୋଧିତ ନିୟମ ଅନୁଯାୟୀ, ଗ୍ରୁପ-୧ (Group-I) ପଦବୀ ପାଇଁ ଆବେଦନ କରୁଥିବା ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୨ ବର୍ଷରୁ ବୃଦ୍ଧି କରାଯାଇ ୩୭ ବର୍ଷ କରାଯାଇଛି, ଅନ୍ୟପକ୍ଷରେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଏହା ୪୨ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଦିବ୍ୟାଙ୍ଗ ପ୍ରାର୍ଥୀମାନେ ୫୨ ବର୍ଷ ବୟସ ପର୍ଯ୍ୟନ୍ତ ଆବେଦନ କରିବାକୁ ଯୋଗ୍ୟ ହେବେ। ଗ୍ରୁପ-୨ (Group-II) ଏବଂ ଗ୍ରୁପ-୨ଏ (Group-IIA) ପଦବୀ ପାଇଁ, ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଥିବା ବେଳେ, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ସର୍ବାଧିକ ବୟସ ସୀମା ରହିବ ନାହିଁ।
ଗ୍ରୁପ-୪ (Group-IV) ପଦବୀ ପାଇଁ, ଯେଉଁ ବିସି (BC – ପଛୁଆ ବର୍ଗ) ଏବଂ ଏମବିସି (MBC – ଅତି ପଛୁଆ ବର୍ଗ) ପ୍ରାର୍ଥୀଙ୍କ ପାଖରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ନାହିଁ, ସେମାନଙ୍କ ପାଇଁ ବୟସ ସୀମା ବୃଦ୍ଧି କରାଯାଇ ୩୭ ବର୍ଷ କରାଯାଇଛି ଏବଂ ଏସସି/ଏସଟି (SC/ST) ପ୍ରାର୍ଥୀମାନଙ୍କ ପାଇଁ ଏହାକୁ ୪୦ ବର୍ଷ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ହଜାର ହଜାର ପ୍ରାର୍ଥୀ ଉପକୃତ ହେବେ ବୋଲି ଆଶା କରାଯାଉଛି, ଯେଉଁମାନେ ପୂର୍ବରୁ ଥିବା ବୟସ ସୀମା ଅତିକ୍ରମ କରିବା ଅବସ୍ଥାରେ ଥିଲେ ଏବଂ ସରକାରୀ ଚାକିରିରେ ଯୋଗ ଦେବା ପାଇଁ ଅନ୍ୟ ଏକ ସୁଯୋଗ ଖୋଜୁଥିଲେ।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।