ଗଞ୍ଜାମରେ ବନ୍ୟା ସ୍ଥିତି: ପ୍ରଶାସନ ପ୍ରସ୍ତୁତ, ଅନୁଧ୍ୟାନ ପାଇଁ ଆସିବେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ଭଞ୍ଜନଗରଠାରୁ ଛତ୍ରପୁର ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀକୂଳିଆ ଅଞ୍ଚଳର ବିଭିନ୍ନ ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ କେତେକ ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ଲୋକେ ଜଳବନ୍ଦୀ ହୋଇଥିଲେ। ଏବେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରାଯାଉଛି।
ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଜଳମଗ୍ନ ସ୍ଥାନରୁ ପାଣି ନିଷ୍କାସନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ରାସ୍ତାଘାଟରେ ଜମିଥିବା ବନ୍ୟାଜଳ ଯୋଗୁ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ଶୀଘ୍ର ନିଷ୍କାସନ କରିବାକୁ ବ୍ୟବସ୍ଥା କରାଯାଉଛି।
ଜିଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯାଇଛି। ଗତକାଲିଠାରୁ ବିପନ୍ନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଯାଉଛି। ଅଧିକ ଜଳସ୍ରୋତ ଯୋଗୁ୍ ଯେଉଁ ସ୍ଥାନରେ ବୋଟ୍ ପହଞ୍ଚିବା ସମ୍ଭବ ହେଉନାହିଁ, ସେଠାରେ ହେଲିକପ୍ଟର ମାଧ୍ୟମରେ ଖାଦ୍ୟ ପ୍ୟାକେଟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଏୟାରଡ୍ରପ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି।
ଗତକାଲି ପରୀକ୍ଷାମୂଳକ ଭାବେ ଆକାଶମାର୍ଗରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ଏହି ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯିବ। ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି।
ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୫ଟି ଓଡ୍ରାଫ ଟିମ୍ ଏବଂ ୫୦ରୁ ଅଧିକ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି। ଟିମ୍ଗୁଡ଼ିକ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସ୍ଥାନରେ ରିଲିଫ ସାମଗ୍ରୀ ପହଞ୍ଚାଉଛନ୍ତି।
ଏପଟେ ଋଷିକୁଲ୍ୟା ନଦୀର ଜଳସ୍ତର ମଧ୍ୟ ଧିରେ ଧିରେ ହ୍ରାସ ପାଉଛି। ଗତକାଲି ପୁରୁଷୋତ୍ତମପୁରଠାରେ ନଦୀର ଜଳସ୍ତର ୧୯.୨ ମିଟର ଥିବା ବେଳେ ବର୍ତ୍ତମାନ ଏହା ୧୮.୯ ମିଟରକୁ ଖସିଛି। ଆଗକୁ ବର୍ଷାର ପରିମାଣ ହ୍ରାସ ପାଇଲେ ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ସ୍ଥିତିରେ ଆହୁରି ସୁଧାର ଆସିବା ନେଇ ଆଶା କରାଯାଉଛି।
ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକେ ପ୍ରଶାସନର ପରାମର୍ଶକୁ ଗୁରୁତ୍ୱ ଦେଇ ଆଗୁଆ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ଜିଲାପାଳ ଅନୁରୋଧ କରିଛନ୍ତି। ପାଣି ଗାଁ ଭିତରକୁ ପ୍ରବେଶ କରିବା ପରେ ସ୍ଥାନାନ୍ତରଣ କାର୍ଯ୍ୟ ଅଧିକ କଷ୍ଟକର ହେଉଥିବାରୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ବନ୍ୟାଜଳ ଚାଷଜମିରେ ପଶିବା ଯୋଗୁ ବହୁ ଫସଲ ନଷ୍ଟ ହୋଇଥିବା ଆଶଙ୍କା ରହିଛି। ଜଳ ନିଷ୍କାସନ ପରେ କ୍ଷୟକ୍ଷତିର ଆକଳନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚାଷଜମିରେ ବାଲି ଓ ପଙ୍କ ଜମିବା ସହ ବିଭିନ୍ନ ରାସ୍ତାଘାଟ ଓ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯିବ। ଏହାପରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ପ୍ରତିନିଧି ଦଳ ଗଞ୍ଜାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।