ସାର୍ବଜନୀନ ମହାଭିଯୋଗ ସଭାରେ ରାହୁଲଙ୍କ ବଡ଼ ଦାବି: ଜ୍ଞାନେଶ କୁମାର CEC ଭାବେ ତିଷ୍ଠି ପାରିବେ ନାହିଁ
ନୂଆଦିଲ୍ଲୀ,୩୧ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଶନିବାର ପ୍ରତୀକାତ୍ମକ ସାର୍ବଜନୀନ ମହାଭିଯୋଗ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କମିଶନ ମୋଦି ସରକାରଙ୍କ ଇସାରାରେ କାର୍ଯ୍ୟ କରୁଥିବା ଇଣ୍ଡିଆ ବ୍ଲକ୍ ପକ୍ଷରୁ ଅଭିଯୋଗ କରାଯାଇଛି। ଫଳରେ ଲୋକଙ୍କ ମତଦାନ ଅଧିକାର ବିପଦରେ ଥିବା ଇଣ୍ଡିଆ ବ୍ଲକ୍ ପକ୍ଷରୁ କୁହାଯାଇଛି।
ମହାଭିଯୋଗ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ବଡ଼ ଦାବି କରିଥିଲେ। ସେ କହିଥିଲେ ଜ୍ଞାନେଶ କୁମାର CEC ଭାବେ ତିଷ୍ଠି ପାରିବେ ନାହିଁ। ଏପରକି ଜ୍ଞାନେଶଙ୍କ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଜ୍ଞାନେଶ କୁମାରଙ୍କ ବିରୋଧରେ ତାଙ୍କ ପାଖରେ ପ୍ରମାଣ ଅଛି। ଯେଉଁମାନେ ଭୋଟ କାଟିବେ ସେମାନେ ଦେଶର ଅପରାଧୀ। ତେଣୁ, ଭୋଟ ଚୋରି ବିରୋଧରେ ଲଢ଼ିବାର ଆବଶ୍ୟକତା ରହିଥିବା ରାହୁଲ କହିଥିଲେ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନଠାରେ ଅନୁଷ୍ଠିତ ସାର୍ବଜନୀନ ମହାଭିଯୋଗ କାର୍ଯ୍ୟକ୍ରମକୁ ଲୋକ ସଭାର ପୂର୍ବତନ ବାଚସ୍ପତି ମୀରା କୁମାର ପରିଚାଳନା କରିଥିଲେ। ଇଣ୍ଡିଆ ବ୍ଲକ୍ ନେତା, ଏମ୍ପି, ସିଭିଲ ସୋସାଇଟି ପ୍ରତିନିଧି ଏବଂ ଭୋଟର ତାଲିକାରୁ ଭୁଲ୍ବଶତଃ ନାମ କଟିଥିବା ଅନ୍ୟ ବ୍ୟକ୍ତିବିଶେଷ ଉକ୍ତ ବୈଠକରେ ଯୋଗ ଦେଇଥିଲେ। ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ପାଇଁ ଚାପ ବଢ଼ାଇବାକୁ ରବିବାର ଦିଲ୍ଲୀରେ ହେବାକୁ ରାଲି ନିମନ୍ତେ ସେମାନେ ମାହୋଲ ପ୍ରସ୍ତୁତ କରିଥିଲେ।
ମହାଭିଯୋଗ ପ୍ରସ୍ତାବ ଉପସ୍ଥାପନ କରି ଖାର୍ଗେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ସମେତ ୬ଟି ଅଭିଯୋଗ ଆଣିଥିଲେ। ସେ ସିଇସିଙ୍କ ବହିଷ୍କାର ଦାବି କରିବା ସହ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପରିଚାଳନା କରୁଥିବା ୨୦୨୩ର ଆଇନକୁ ରଦ୍ଦ କରିବା ଏବଂ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ବନ୍ଦ କରିବାକୁ ଦାବି କରିଥିଲେ।
ରାଜ୍ୟ ସଭାର ବିରୋଧୀ ଦଳ ନେତା ଖାର୍ଗେ ଅଭିଯୋଗ କରିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଜ୍ଞାନେଶ କୁମାର ନିର୍ବାଚନ କମିଶନ ଚଳାଉଛନ୍ତି, ଯେଉଁଥିପାଇଁ ଭୋଟଦାନ ଅଧିକାର ବିପଦରେ ପଡ଼ିଥିବା କହିଛନ୍ତି। ପୂର୍ବରୁ ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ଏମ୍ପିମାନେ ସିଇସିଙ୍କ ବହିଷ୍କାର ପାଇଁ ପ୍ରସ୍ତାବ ଅଣିଥିଲେ। କିନ୍ତୁ ସେମାନଙ୍କ ନୋଟିସକୁ ଅଗ୍ରାହ କରାଯାଇଥିଲା। ଏକ ସାମ୍ବିଧାନିକ ସଂସ୍ଥାର ମର୍ଯ୍ୟାଦାର ସୁରକ୍ଷା ପାଇଁ ଶନିବାର ଏହି ପ୍ରସ୍ତାବ ଅଣାଯାଇଛି। ଆମର ସିଇସିଙ୍କ ସହ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ସେ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଆମେ ଚାହୁଁ। ଭୁଲ୍କ୍ରମେ ଲୋକମାନଙ୍କ ନାମ ଭୋଟର ତାଲିକାରୁ କାଟି ଦିଆଯିବାକୁ କେହି ଅନୁମତି ଦେବେ ନାହିଁ ବୋଲି ଖାର୍ଗେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।