ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

Sep 09, 2026 - 10:06
ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ ବାରାମତୀରେ କାମ କରୁଥିଲେ।ଗତ ୩ ତାରିଖରେ ସମୀର ତାଙ୍କ ସାଙ୍ଗ କୃଷ୍ଣ ଗୌଡ଼ ଏବଂ କଙ୍ଗୁରୁ ଗୌଡ଼ଙ୍କ ସହ ପୁଣେ – ଭୁବନେଶ୍ବର ସୁପରଫାଷ୍ଟ ଏକ୍ସପ୍ରେସ(ଟ୍ରେନ ନଂ.୨୨୮୮୧) ଯୋଗେ ବ୍ରହ୍ମପୁର ରେଲୱେ ଷ୍ଟେଶନକୁ ଫେରୁଥିବାବେଳେ ତେଲଙ୍ଗାନାର ସିକନ୍ଦରାବାଦ ରେଲୱେ ଷ୍ଟେଶନରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ତାଙ୍କ ସହ ଆସୁଥିବା ସାଙ୍ଗ ଦ୍ବୟ ସମୀରଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ତାଙ୍କ ପୋଷାକ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଥିବା ବ୍ୟାଗଟି ଟ୍ରେନ ବଗିର ସିଟରୁ ମିଳିଥିଲା। ଉଭୟ ସାଙ୍ଗ ଗତ ୪ ତାରିଖରେ ବ୍ରହ୍ମପୁର ରେଲୱେ ଷ୍ଟେଶନରେ ଓହ୍ଲାଇ ଥିଲେ। ଉଭୟେ ସମୀରଙ୍କ ଗାଁରେ ପହଞ୍ଚି ସମସ୍ତ ଘଟଣା ତାଙ୍କ ବାପା ନିରଞ୍ଜନ ଗୌଡ଼ ଏବଂ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ବାପା ନିରଞ୍ଜନ ସମୀରଙ୍କ ମୋବାଇଲ ଫୋନକୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା।
ପରେ ନିରଞ୍ଜନ ଦିଗପହଣ୍ଡି ଥାନାରେ ପହଞ୍ଚି ଏନେଇ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଥାନା ନିଖୋଜ ମାମଲା ଏମ.ଏମ.ଆର ନଂ.୪୯/୨୬ ରୁଜୁ କରି ଏସ.ଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀର ଗତ ଫେବୃୟାରୀ ୨୧ ତାରିଖ ରେ ସାନଖେମୁଣ୍ଡି ବ୍ଲକ ଗୁମା ଗ୍ରାମର କୈଳାସ ଗୌଡ଼ଙ୍କ ଝିଅ ରୋଜିଙ୍କୁ ବିବାହ କରିଥିଲେ। ଟ୍ରେନରୁ ତାଙ୍କ ରହସ୍ୟମୟ ନିଖୋଜ ନେଇ ପୋଲିସ ତଦନ୍ତ ଚଳାଇଛି। ସମୀରଙ୍କ ଗାଁରୁ ସମ୍ପର୍କୀୟ ଭାଇ ଶଙ୍କର ଗୌଡ଼,ସାଙ୍ଗ ବିଜୟ ସେଠୀ ଏବଂ ଶ୍ବଶୁର ଘର ଗୁମା ଗାଁରେ ରହୁଥିବା ସମୀରଙ୍କ ଦାଦା ଶ୍ବଶୁର କୁନା ଗୌଡ଼ ଏବଂ ସ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ରବି ଗୌଡ଼,ପ୍ରଶାନ୍ତ ଗୌଡ଼ ମଙ୍ଗଳବାର ସନ୍ଧ୍ୟାରେ ସିକନ୍ଦରାବାଦ ଅଭିମୁଖେ ଯାଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।