ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

Oct 11, 2026 - 10:24
ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଧକ୍କା ଏତେ ଜୋରଦାର ଥିଲା ଯେ, ସାଇକେଲ ଆରୋହୀ ଜଣକ ଛିଟିକି ପଡ଼ି ପ୍ରାଣ ହରାଇଥିଲେ। ମୃତକ ହେଲେ ରାମ ବଗର୍ତ୍ତି (୫୮)।

ସୂଚନା ଅନୁଯାୟୀ, ସ୍କୁଟିରେ ତିନି ଜଣ ଥିବାବେଳେ ସେମାନେ ନିଶାଗ୍ରସ୍ତ ଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ପରେ ଦୁଇ ଜଣ ଫେରାର ହୋଇଯାଇଥିବାବେଳେ ଅନ୍ୟ ଜଣେ ଆହତ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଖବର ପାଇ ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା। ଦୁର୍ଘଟଣା ସମ୍ପର୍କରେ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ, ରାମ ଜଣେ ଦିନ ମଜୁରିଆ ଥିବାବେଳେ ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବୋଲି ଜଣାପଡ଼ିଛି। ତେଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଜିଲାପ୍ରଶାସନ ନିକଟରେ ଦାବି କରିଛନ୍ତି। ଏଥିସହ ନିଶାଗ୍ରସ୍ତ ଅବସ୍ଥାରେ ଦ୍ରୁତଗତିରେ ସ୍କୁଟି ଚଳାଇ ଦୁର୍ଘଟଣା ଘଟାଇଥିବା ଚାଳକଙ୍କୁ ଗିରଫ କରିବାକୁ ମୃତକଙ୍କ ପରିବାର ଲୋକେ ଟାଉନ୍ ଥାନାରେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।