ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

Oct 11, 2026 - 10:24
ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର କାରକ ଭାବେ ବିବେଚନା କରାଯାଉଥିବା ବେଳେ ମଙ୍ଗଳ ସାହସ, କ୍ରୋଧ ଓ ବିବାଦ ସହ ଜଡ଼ିତ ବୋଲି ବିଶ୍ୱାସ ରହିଛି। ଏହି ଗ୍ରହ ସ୍ଥିତି ଯୋଗୁ କେନ୍ଦ୍ର ଦୃଷ୍ଟି ଯୋଗ ସୃଷ୍ଟି ହେଉଥିବା ଜ୍ୟୋତିଷୀୟ ଆକଳନ କରାଯାଉଛି।
ଜ୍ୟୋତିଷ ମତ ଅନୁସାରେ, ଏହି ଯୋଗର ପ୍ରଭାବରେ ମେଷ, କର୍କଟ, ତୁଳା ଓ ମକର ରାଶିର ବ୍ୟକ୍ତିମାନେ ଆର୍ଥିକ କ୍ଷତି କିମ୍ବା ସମ୍ପର୍କରେ ତିକ୍ତତାର ସମ୍ମୁଖୀନ ହୋଇପାରନ୍ତି। ବିଶେଷକରି ରାଗରେ କୌଣସି ନିଷ୍ପତ୍ତି ନେବା ଓ ତରବରିଆ ଭାବେ ଟଙ୍କା ଖର୍ଚ୍ଚ କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତୁ ଜାଣିବା, ଏହି ୪ଟି ରାଶି ଉପରେ କ’ଣ ରହିଛି ଜ୍ୟୋତିଷୀୟ ଆକଳନ।

ଜ୍ୟୋତିଷ ମତ ଅନୁଯାୟୀ, ଶୁକ୍ର ଓ ମଙ୍ଗଳଙ୍କ ଗ୍ରହ ସମ୍ବନ୍ଧ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରେ। ପାରିବାରିକ ଓ ବ୍ୟକ୍ତିଗତ ସମ୍ପର୍କରେ ତିକ୍ତତା ଦେଖାଦେବାର ଆଶଙ୍କା ରହିଛି। ଭାଗିଦାରୀରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ତେଣୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଜ୍ୟୋତିଷୀୟ ଉପାୟ ଭାବେ ହନୁମାନ ଚାଳିଶା ପାଠ କରିବାକୁ ପରାମର୍ଶ ଦିଆଯାଇଛି।

କର୍କଟ ରାଶିର ବ୍ୟକ୍ତିମାନେ ପରିବାରର ସଦସ୍ୟଙ୍କ ସହ ମତଭେଦର ସମ୍ମୁଖୀନ ହୋଇପାରନ୍ତି ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। ଏହି ସମୟରେ ସୁଖ-ସୁବିଧା ପ୍ରତି ଅଧିକ ଆକର୍ଷଣ ଯୋଗୁ ଖର୍ଚ୍ଚ ବଢ଼ିପାରେ। ଫଳରେ ପରବର୍ତ୍ତୀ ସମୟରେ ଆର୍ଥିକ ଅଭାବ ଅନୁଭବ ହୋଇପାରେ। ତେଣୁ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ସହ ଅଯଥା ବ୍ୟୟରୁ ଦୂରେଇ ରହିବା ଆବଶ୍ୟକ।

ତୁଳା ରାଶିର ବ୍ୟକ୍ତିମାନେ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ଚାପ ଅନୁଭବ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ଦେଖାଦେବାର ଆଶଙ୍କା ରହିଛି। ତେଣୁ କଥାବାର୍ତ୍ତା ସମୟରେ ସଂଯମ ରଖିବା ଓ ବିବାଦକୁ ଏଡ଼ାଇବା ଉଚିତ। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ, ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବାକୁ ଉପାୟ ଭାବେ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ଧନଲାଭର ସମ୍ଭାବନା ରହିପାରେ ବୋଲି ବିଶ୍ୱାସ କରାଯାଏ।

ମକର ରାଶିର ବ୍ୟବସାୟୀମାନେ ଆର୍ଥିକ କ୍ଷତିର ଆଶଙ୍କାକୁ ନେଇ ସତର୍କ ରହିବା ଉଚିତ ବୋଲି ଜ୍ୟୋତିଷୀୟ ଆକଳନ କହୁଛି। କୌଣସି ସ୍ଥାନରେ ଟଙ୍କା ଅଟକି ରହିପାରେ କିମ୍ବା ଆର୍ଥିକ କାରବାରରେ ବିଳମ୍ବ ହୋଇପାରେ। ତରବରିଆ ଭାବେ କୌଣସି କାମ କରିବା ଓ ଅନାବଶ୍ୟକ ବିବାଦରେ ପଶିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ନୂଆ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ଦିଗକୁ ଭଲଭାବେ ବିଚାର କରନ୍ତୁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।