ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

Sep 26, 2026 - 07:47
ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି ନ ନେଇ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଅନେକ ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତିକୁ ନେଇ ଅଭିଯୋଗ ପଦାକୁ ଆସିଥିଲା। ଫଳରେ କକ୍‌ରୋଚ ଜନତା ପାର୍ଟି (ସିଜେପି) ସମେତ ବିରୋଧୀ ଦଳଗୁଡ଼ିକ ଜ୍ଞାନେଶଙ୍କ ଇସ୍ତଫା ଦାବି କରିଛନ୍ତି। କେବଳ ସେତିକି ନୁହେଁ, ଏନ୍‌ଡିଏର ସହଯୋଗୀ ୩ଟି ଦଳ ଏସଂକ୍ରାନ୍ତରେ ସ୍ପଷ୍ଟୀକରଣ ମାଗିବା ସରକାରଙ୍କୁ ଅଡ଼ୁଆରେ ପକାଇଛି। ସେହିପରି ସିଇସି ସାମ୍ବିଧାନିକ ଆବଶ୍ୟକତାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଶୁକ୍ରବାର ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ବିଭିନ୍ନ ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଜ୍ଞାନେଶ କୁମାର ଶନିବାର ସୁଦ୍ଧା ଇସ୍ତଫା ନ ଦେଲେ ସିଜେପି ଅକ୍ଟୋବର ୨ରୁ ଦେଶବ୍ୟାପୀ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି। ଫଳରେ ଜ୍ଞାନେଶଙ୍କ ଭୂମିକାକୁ ନେଇ ବିବାଦ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି।

ନୂଆଦିଲ୍ଲୀ,୨୬ା୯: ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ୨ ନିର୍ବାଚନ କମିଶନର ଚିନ୍ତାବ୍ୟକ୍ତ କରିଥିବାବେଳେ ଏହା ଉପରେ ଏନ୍‌ଡିଏର ୩ ସହଯୋଗୀ ଦଳ ଏଲ୍‌ଜେପି (ରାମ ବିଳାସ), ଟିଡିପି ଏବଂ ଆର୍‌ଏଲ୍‌ଏମ୍‌ ଶୁକ୍ରବାର ନିର୍ବାଚନ କମିଶନଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ନିର୍ବାଚନ ଉପରେ ଲୋକଙ୍କ ଭରସା ବାଜିରେ ଲାଗିଥିବା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ ସତର୍କ କରାଇ ଦେଇଛନ୍ତି। ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ନେତା ଚିରାଗ କହିଛନ୍ତି, ସେ ନିର୍ବାଚନ କମିଶନଙ୍କ ପାଇଁ କହୁନାହାନ୍ତି କି ବିରୋଧୀଙ୍କ ଅଭିଯୋଗକୁ ସମର୍ଥନ କରୁନାହାନ୍ତି। ତେବେ ବର୍ତ୍ତମାନ ଲୋକଙ୍କ ଆଗରେ ଉଠିଥିବାର ପ୍ରଶ୍ନର ଉତ୍ତର କମିଶନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍‌ଏଲ୍‌ଏମ୍‌) ମୁଖ୍ୟ ଉପେନ୍ଦ୍ର କୁଶଓ୍ବାହା ମଧ୍ୟ ତୁରନ୍ତ ସ୍ପଷ୍ଟୀକରଣ ପାଇଁ ଆହ୍ବାନ ଦେଇଛନ୍ତି। ସ୍ବଚ୍ଛତା ହିଁ ସାମ୍ବିଧାନିକ ସଂସ୍ଥାର ଆତ୍ମବିଶ୍ୱାସକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଲୋକ ସଭାର ନେତା ଲାଭୁ ଶ୍ରୀକ୍ରିଷ୍ଣା ଦେବରାୟଲୁ କହିଛନ୍ତି।
ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଜୋଷୀଙ୍କ ସମ୍ମତି ବିନା ମୁଖ୍ୟ ନିର୍ବାଚନ କମିଶନର ଏସ୍‌ଆଇଆର୍‌ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେଉଥିବା ନେଇ ସେମାନେ ଗତ ୧୦ ମାସ ମଧ୍ୟରେ ୧୪ ଥର ଲିଖିତ ଆପତ୍ତି କରିଥିବା ଖବର ଏକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେମାନେ ଏଭଳି ମନ୍ତବ୍ୟ ଦେଇଛନ୍ତି। ବୈଧାନିକ ଭୋଟର ପଞ୍ଜୀକରଣ ଫର୍ମ-୬ରେ ପରିବର୍ତ୍ତନ, ଭୋଟ ତାଲିକାରେ ନାମ ଯୋଡ଼ିବା ଏବଂ କାଟିବା ଆଦିର ପରିଚାଳନା ଏବଂ ଭୋଟର ତାଲିକା ତଥ୍ୟାବଳୀ ଉପରେ ନିୟନ୍ତ୍ରଣର କେନ୍ଦ୍ରୀକରଣକୁ ନେଇ ସେମାନେ ପ୍ରତିବାଦ ଜଣାଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ସମେତ ଏସ୍‌ଆଇଆର୍‌କୁ ସ୍ଥଗିତ ରଖିବା ପାଇଁ ଦାବି କରିଛନ୍ତି।
ଚିରାଗ କହିଛନ୍ତି, ନିର୍ବାଚନ ବ୍ୟବସ୍ଥା ଉପରେ ଲୋକେ ଯଦି ଆସ୍ଥା ହରାଇବା ଆରମ୍ଭ କରନ୍ତି, ତେବେ ତାହା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ। ସେଥିପାଇଁ ନିର୍ବାଚନ କମିଶନ ନିଜର ସ୍ପଷ୍ଟୀକରଣ ଅଧିକ ଦୃଢ଼ତାର ସହ ପ୍ରଦାନ କରିବା ଉଚିତ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ସହଯୋଗୀମାନେ କ’ଣ କହୁଛନ୍ତି, ତାହାର ଜବାବ ଦେବା ଆବଶ୍ୟକ ନାହିଁ। ତେବେ ଲୋକଙ୍କ ମନରୁ ସନ୍ଦେହ ଦୂର ହେବା ଜରୁରୀ। ଆନ୍ଧ୍ରପ୍ରଦେଶରେ ଏସ୍‌ଆଇଆର୍‌ ସ୍ବଚ୍ଛତାର ସହ ହୋଇଥିବାରୁ ନିର୍ବାଚନ କମିଶନଙ୍କ ତରଫରୁ ଏହା ଉପରେ ସ୍ପଷ୍ଟୀକରଣ ଲାଭଦାୟକ ହେବ ବୋଲି ଡିଟିପି ନେତା ଦେବରାୟଲୁ କହିଛନ୍ତି। ସେହିପରି ରାଜ୍ୟ ସଭା ସଦସ୍ୟ କୁଶଓ୍ବାହା କହିଛନ୍ତି, ଏସ୍‌ଆଇଆର୍‌ ସମ୍ପର୍କିତ ନିଷ୍ପତ୍ତିକୁ ନେଇ ନିର୍ବାଚନ କମିଶନରେ ଆଭ୍ୟନ୍ତରୀଣ ବିବାଦ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଏହାକୁ ଦୂର କରାଯିବା ଆବଶ୍ୟକ। ସେଥିପାଇଁ ନିର୍ବାଚନ କମିଶନ ପ୍ରକୃତ ସ୍ଥିତି ସମ୍ପର୍କରେ ତୁରନ୍ତ ସ୍ପଷ୍ଟୀକରଣ ଜାରି କରିବା ଉଚିତ ବୋଲି ସେ କହିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।