ହଜିଲା ପୃଷ୍ଠାର କାହାଣୀ

Oct 06, 2026 - 08:38
ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି ଚାଲିଛି ଏବଂ ବହି ପୃଷ୍ଟାର ପଠନ ଅବଧି କମି କମି ଯାଉଥିବାରୁ ସିଙ୍ଗାପୁର ସରକାର ନୂଆ ପଞ୍ଚବାର୍ଷିକ ଯୋଜନା ଘୋଷଣା କରିଛନ୍ତି। ବହି ପଢ଼ିଲେ ମିଳିବ ପଇସା। ପ୍ରତ୍ୟେକ ଦିନ ୧୫ ମିନିଟ୍‌ ପଢ଼ିବାକୁ ହେବ, ଯାହାକି ଗୋଟିଏ ଅଧିବେଶନ। ଗୋଟିଏ ଅଧିବେଶନରେ ୨୦ଟି ଆଭାସି ମୁଦ୍ରା ମିଳିବ। ୧୦୦୦ଟି ଆଭାସି ମୁଦ୍ରା ମିଳିବା ପରେ, ପଢୁଥିବା ବ୍ୟକ୍ତି ତାହାକୁ ସିଙ୍ଗାପୁର ମୁଦ୍ରାରେ ପରିବର୍ତ୍ତନ କରିପାରିବେ। ଅବଶ୍ୟ ଏହି ଯୋଜନାର ମୂଳଲକ୍ଷ୍ୟ ଟଙ୍କା ରୋଜଗାର ନୁହେଁ ବରଂ ମୋବାଇଲ ପରଦା ଛାଡ଼ି ବହି ଆଡ଼କୁ ଆକୃଷ୍ଟକରିବା। ଏବେ ଆମେ ଫେରିଯିବା ମୋବାଇଲ ଆସିବା ପୂର୍ବ ଦଶକଗୁଡ଼ିକୁ। ଅଳସ ଅପରାହ୍ନ ହେଉ ବା ରେଳ ଯାତ୍ରା, ବହି ଖଣ୍ଡେ ସାଥିରେ ଥିଲେ ଏକାକିତ୍ୱ ଦୂରହୋଇଯାଏ। ବହିଠାରୁ ଭଲ ବନ୍ଧୁ ହୁଏତ ଆଉ କେହି ନାହିଁ। ବନ୍ଧୁ ହୁଏତ ବିଶ୍ୱାସଘାତକତା କରିପାରେ, କିନ୍ତୁ ବହି ନୁହେଁ। ସେତେବେଳେ ବିବାହ ହେଉ କି ଜନ୍ମଦିନ; ଉପହାର ଦେବା କଥା ଭାବିଲେ ଭଲ ବହି ଖଣ୍ଡିଏ ଦେବା କଥା ମନକୁ ଆସେ। ସେହି ଦିନଗୁଡ଼ିକରେ ଯାହାର ଶୈଶବ ବିତି ଥିବ , ନିଶ୍ଚିତ ଭାବରେ ଆଖି ଆଗରେ ଜହ୍ନମାମୁର ସେହି ନିଶା ଗରଜୁଥିବା ରାତ୍ରିରେ ରାଜା ବିକ୍ରମାଦିତ୍ୟଙ୍କ କାନ୍ଧରେ ବେତାଳର ଚିତ୍ର, ଏବେ ବି ମୋଟା ଚଷମାର କାଚ ତଳୁ ଜଳ ଜଳ ଦିଶୁଥିବ। ଜହ୍ନମାମୁ, ଶିଶୁଲେଖା ହିଁ ତ ଶୈଶବର ସୁନ୍ଦର ପୃଷ୍ଠା ଥିଲା; ଯାହାକି ପଢ଼ିବାର ମୂଳଦୁଆ ସୃଷ୍ଟି କରୁଥିଲା। ବିଦ୍ୟାଳୟରେ ଲାଇବ୍ରେରିରୁ ଶିକ୍ଷଣୀୟ ପୁସ୍ତକ ମିଳୁଥିଲା। ସାଙ୍ଗମାନଙ୍କ ଭିତରେ ଅଦଳବଦଳକରି ରାତି ଅନିଦ୍ରା ରହି ପଢ଼ା ହେଉଥିଲା, ସେ ବହି ସବୁ। ଅନେକଙ୍କର ଏ ଅନୁଭୂତି ମଧ୍ୟ ଥିବ। ପଢ଼ା ବହି ତଳେ ଲୁଚାଇ ଗଳ୍ପ କିମ୍ବା ଉପନ୍ୟାସ ପଢ଼ିବା ଆଉ ଅଭିଭାବକ କିମ୍ବା ଶିକ୍ଷକଙ୍କ ହାତରେ ପଡ଼ିବା। ବହି ପଢ଼ିବା ଏକ ଗଠନଭିତ୍ତିକ ନିଶା, ଯାହା ଏବେ ଧୀରେ ଧୀରେ କମିବାରେ ଲାଗିଛି। ଏମିତି ନୁହେଁ, ଲୋକମାନେ ଆଦୌ ବହି ପଢ଼ୁନାହାନ୍ତି। କିନ୍ତୁ ପଢ଼ିବା ଲୋକଙ୍କ ସଂଖ୍ୟା କମୁଛି। ପୁସ୍ତକ ପଢ଼ିବାର ଅଭ୍ୟାସ କମିବାର ଏକ ବଡ଼ କାରଣ ହେଉଛି ତୁରନ୍ତ ମନୋରଞ୍ଜନର ଅଭ୍ୟାସ। ଛୋଟ ଭିଡିଓ, ରିଲ୍ସ, ଗେମ୍‌ ଓ ଅନ୍‌ଲାଇନ କଣ୍ଟେଣ୍ଟ ଆମକୁ ଅତି କମ୍‌ ସମୟରେ ଅନେକ ଉତ୍ତେଜନା ଦେଉଛି। ସୋସିଆଲ ମିଡିଆ, ଛୋଟ ଭିଡିଓ, ଅନ୍‌ଲାଇନ ଗେମ୍‌ ଓ ତୁରନ୍ତ ମିଳୁଥିବା ଡିଜିଟାଲ ବିଷୟବସ୍ତୁ ମଣିଷର ଧ୍ୟାନକୁ ଛୋଟ ଛୋଟ ସମୟଖଣ୍ଡରେ ବାଣ୍ଟିଦେଉଛି। ଫଳରେ ଦୀର୍ଘ ସମୟ ଧରି ଏକ ବହିରେ ମନଯୋଗ ରଖିବା କେତେଜଣ ଲୋକଙ୍କ ପାଇଁ କଷ୍ଟକର ହେଉଛି।
ଏକ ଭଲ ବହି ପଢ଼ିବା ପାଇଁ ଧୈର୍ଯ୍ୟ, ଏକାଗ୍ରତା ଓ ସମୟ ଦରକାର। ଫଳରେ ଦୀର୍ଘ ସମୟ ଧରି ପଢ଼ିବା ଅନେକଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଆଜିକାଲି ଖବରକାଗଜ ପଢ଼ିବା ଲୋକଙ୍କ ସଂଖ୍ୟା ମଧ୍ୟ କମୁଛି। ଆଗରୁ ଘରମାନଙ୍କରେ ରାଶନ ଖର୍ଚ୍ଚ ଭଳି ଏକ ପତ୍ରପତ୍ରିକା କିଣିବା ଖର୍ଚ୍ଚ ମଧ୍ୟ ଥିଲା। ଆଜିକାଲି ଅନେକଙ୍କ ଘରେ ବହି ଥାକରେ ହିଁ ଶୋଭାପାଏ। ପଠନ ଅଭ୍ୟାସ କମିବା , କେବଳ ବହି ବିକ୍ରି କିମ୍ବା ପାଠକ ସଂଖ୍ୟାରେ ସୀମିତ ନୁହେଁ। ନିୟମିତ ପଢ଼ିବା ଆମର ଭାଷାଜ୍ଞାନ, ଶବ୍ଦଭଣ୍ଡାର, କଳ୍ପନାଶକ୍ତି ଓ ଚିନ୍ତା କରିବାର କ୍ଷମତାକୁ ସମୃଦ୍ଧକରେ। ବହି ଆମକୁ ଅନ୍ୟ ମଣିଷର ଅନୁଭବ ବୁଝିବାର ସୁଯୋଗ ଦିଏ। ଇତିହାସ, ସାହିତ୍ୟ, ବିଜ୍ଞାନ କିମ୍ବା ଜୀବନୀ ପ୍ରତ୍ୟେକ ବହି ଆମ ଚିନ୍ତାଜଗତକୁ ନୂଆ ଦିଗ ଦେଇପାରେ।
ବିଶେଷକରି ଯୁବପିଢ଼ି ମଧ୍ୟରେ ପଢ଼ିବାର ଅଭ୍ୟାସକୁ ନୂଆ ରୂପ ଦେବାର ଆବଶ୍ୟକତା ରହିଛି। ଘରେ ମଧ୍ୟ ଏହି ଅଭ୍ୟାସ ଗଢ଼ିବାର ଭୂମିକା ରହିଛି। ଅଭିଭାବକମାନେ ଛୋଟବେଳୁ ପିଲାଙ୍କୁ ବହି ସହ ପରିଚିତ କରାଇପାରନ୍ତି। କିନ୍ତୁ ଅଭିଭାବକ ନିଜେ ମୋବାଇଲ ପରଦାରେ ଲାଖି ରହି ପିଲାଙ୍କୁ ବହି ପଢ଼ିବାକୁ କହିଲେ ସେମାନେ ପଢ଼ିବା ପାଇଁ ଆକୃଷ୍ଟ ହେବେ ନାହିଁ। ନିଜେ ପ୍ରଥମେ ଉଦାହରଣ ହେବାକୁ ପଡ଼ିବ। ବିଦ୍ୟାଳୟରେ ପାଠ୍ୟପୁସ୍ତକ ବାହାରେ ଗଳ୍ପ, ଉପନ୍ୟାସ, ଜୀବନୀ ଓ ସୃଜନଶୀଳ ସାହିତ୍ୟ ପଢ଼ିବା ପାଇଁ ପରିବେଶ ସୃଷ୍ଟି କରାଯାଇପାରେ। ପ୍ରତିଦିନ ମାତ୍ର ୨୦-୩୦ ମିନିଟ୍‌ ବହି ପାଇଁ ରଖିଲେ ମଧ୍ୟ ଧୀରେ ଧୀରେ ଏକ ଭଲ ଅଭ୍ୟାସ ଗଢ଼ିଉଠିପାରେ। ଆମେ ଯେତେ ଆଧୁନିକ ହେଉନା କାହିଁକି, ବହିର ଆବଶ୍ୟକତା ଶେଷ ହେବନାହିଁ। ପ୍ରଯୁକ୍ତି ଆମକୁ ସୂଚନା ଦେଇପାରେ, କିନ୍ତୁ ଗଭୀର ଭାବେ ଚିନ୍ତାକରିବା, ପ୍ରଶ୍ନ କରିବା ଓ ଅନୁଭବ କରିବା ଶିଖାଇବାରେ ପୁସ୍ତକର ଭୂମିକା ଅଲଗା। ମନସ୍ତତ୍ତ୍ୱ ବିଜ୍ଞାନ କହେ ବହି ପଢ଼ିବା ଦ୍ୱାରା ଅକ୍ସିଟୋସିନ, ସେରୋଟିନିନ୍‌ ଏବଂ ଡୋପାମାଇନର କ୍ଷରଣ ହୋଇଥାଏ; ଯାହା ମଣିଷକୁ ସାମାଜିକ ଭାବରେ ସକ୍ରିୟ ରଖିବା ସହ ଚାପମୁକ୍ତ ଓ ଶାନ୍ତ ରଖିଥାଏ। ମୋବାଇଲର ସୋସିଆଲ ମିଡିଆ, ଛୋଟ ଭିଡିଓ ଇତ୍ୟାଦି ଦେଖିବା ଦ୍ୱାରା ମଧ୍ୟ ଡୋପାମାଇନ କ୍ଷରଣ ହୋଇଥାଏ। କିନ୍ତୁ ଏତେ କମ୍‌ ଅବଧିରେ , ବାରମ୍ବାର ତାହାର କ୍ଷରଣ ଆମକୁ ଅଶାନ୍ତକରି କର୍ଟିସଲ ଭଳି ଚାପଗ୍ରସ୍ତ ହର୍‌ମୋନ କ୍ଷରଣ କରିଥାଏ। ମୋବାଇଲ ପରଦାର ନୀଳ ଆଲୋକ, ନିଦ୍ରା ହର୍‌ମୋନ ମେଲେଟିନିନ୍‌କୁ ପ୍ରଭାବିତ କରିଥାଏ ଏବଂ ନିଦ୍ରାହୀନତାର ଶିକାର କରାଇଥାଏ। ସ୍ବାଧୀନତା ସଂଗ୍ରାମୀ ବୀର ଭଗତ ସିଂ ଫାଶୀଖୁଣ୍ଟରେ ଚଢ଼ିବା ପୂର୍ବରୁ ରୁଷ୍‌ ବିପ୍ଳବୀ ଲେନିନ୍‌ଙ୍କର ଏକ ପୁସ୍ତକ ଅଧ୍ୟୟନ କରୁଥିଲେ। ଯେତେବେଳେ କାରାଗାରର ରକ୍ଷୀ ତାଙ୍କୁ ଫାଶୀଖୁଣ୍ଟ ନିକଟକୁ ନେବାକୁ ଆସିଲା, ସେତେବେଳେ ଭଗତ ସିଂ କହିଲେ, ଟିକିଏ ଅପେକ୍ଷାକର। ଜଣେ ବିପ୍ଲବୀ ଆଉ ଜଣେ ବିପ୍ଲବୀ ସହ କଥା ହେଉଛି। ଆଉ ମାତ୍ର କେଇ ପୃଷ୍ଠା ବାକି ଅଛି। ମୋତେ ସାରିବାକୁ ଦିଅ। ତାଙ୍କର ବହି ପ୍ରତି ଯେଉଁ ପ୍ରେମ, ପଢ଼ିବାର ନିଶା, ସେହିଭଳି ନିଶା ଆମ ସମସ୍ତଙ୍କ ଭିତରେ ଜାଗ୍ରତ ହେବା ବର୍ତ୍ତମାନ ପରିସ୍ଥିତିରେ ଏକାନ୍ତ ଆବଶ୍ୟକ।

ସୁପ୍ରଭା ବେହେରା
ମୋ: ୯୦୪୦୩୬୦୨୫୯


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।