ହାଟଡିହୀ ତହସିଲରେ ପଲିଥିନ୍ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…
ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ ଉପୁଜିଛି।
ମିଳିଥିବା ସୂଚନା ଅନୁସାରେ, ଗତ ଅକ୍ଟୋବର ୨୬ ତାରିଖରେ ଚୋରି ହୋଇଥିବାବେଳେ ୨୮ ତାରିଖ ରାତି ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ପୋଲିସ କେସ୍ ନଂ ୩୯୨/୨୦୨୬ ପଞ୍ଜୀକରଣ କରି ଅନୁଧ୍ୟାନ ଆରମ୍ଭ କରିଛି। ତେବେ ଦୁଇ ଦିନର ବିଳମ୍ବରେ ଅଭିଯୋଗ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଏବଂ ପରିତାପର ବିଷୟ ହେଉଛି ତହସିଲର ଷ୍ଟୋର ରୁମ୍ର ତାଲା ଭାଙ୍ଗିନାହିଁ। ତାଲା ଅକ୍ଷତ ଥିବା ବେଳେ ଭିତରୁ ପଲିଥିନ ଗାଏବ ହୋଇଛି। ଏହା ବାହାର ଚୋର କାମ ନୁହେଁ, ଭିତର ଲୋକଙ୍କ ହାତ ଅଛି ବୋଲି ସନ୍ଦେହ ପ୍ରକାଶ କରାଯାଉଛି। ଅପରପକ୍ଷେ ଏହି ଚୋରି ପଛରେ ବଡ ଦୁର୍ନୀତି ଲୁଚିଛି। ପଲଥିନ୍ଗୁଡ଼ିକୁ ଆଗରୁ ଲୁଚାଣିଆ ଭାବେ ବିକ୍ରି କରି ଦିଆଯାଇଛି। ଏବେ ଯାଞ୍ଚ ଡରରେ ଚୋରିର ନାଟକ କରି ନିଜକୁ ବଞ୍ଚାଇବାକୁ ଥାନାରେ ଏତଲା ଦିଆଯାଇଛି ବୋଲି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ସାଜିଛି। ଯଦି ସତରେ ଚୋରି ହୋଇଛି, ତେବେ ୨୬ ତାରିଖରେ ସିସିଟିଭି ଫୁଟେଜ କେଉଁଠି? ତହସିଲ ପରି ସୁରକ୍ଷିତ ସ୍ଥାନରୁ ବସ୍ତା ବସ୍ତା ପଲଥିନ୍ କିଏ ନେଲା ଆଉ କେହି ଦେଖିଲେ ନାହିଁ କେମିତି? ତେବେ ପୋଲିସ ତଦନ୍ତ ନାଁରେ ଲୁଚାଇବ ନା ସତ ସାମ୍ନାକୁ ଆଣିବ, ତାହା ଦେଖିବାକୁ ବାକି ରହିଲା।
ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି, ତହସିଲ ପକ୍ଷରୁ ତୁରନ୍ତ ଅଭିଯୋଗ କରା ନ ଯାଇ ଘଟଣା ଘଟିବାର ୪୮ ଘଣ୍ଟା ପରେ ଅଭିଯୋଗ କରାଯାଇଛି। ନାଜିରଙ୍କ ଅଭିଯୋଗ ଅନୁସାରେ ତାଲା ଭାଙ୍ଗିନି, କିନ୍ତୁ ଜଞ୍ଜିର ହୁଗୁଳା ବା ଢିଲା ଥିବାର ସୁଯୋଗ ନେଇ ଚୋରି ହୋଇଛି। ଯାହାକି ସନ୍ଦେହ ସୃଷ୍ଟି କରୁଛି। ତଦନ୍ତ ଆରମ୍ଭ ହୋଇଛି। ପରେ ସତ୍ୟତା ଧରାପଡ଼ିବ।
ହାଟଡିହୀ ତହସିଲଦାର ସଞ୍ଜୟ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ମୁଁ ଏକ ସରକାରୀ କାର୍ଯ୍ୟରେ ଦୁଇ ଦିନ ହେବ ବାହାରେ ଥିଲି। କିନ୍ତୁ ଚୋରି ହେବା ନେଇ ମତେ କୌଣସି କର୍ମଚାରୀ ଜଣାଇ ନ ଥିଲେ। ଅଫିସରେ ବୁଧବାର ପହଞ୍ଚିବା ପରେ ଘଟଣା ବାବଦରେ ଜାଣିଲି। ତୁରନ୍ତ ନାଜିରଙ୍କୁ ଥାନାରେ ଅଭିଯୋଗ କରିବାକୁ କହିବା ସହ ଆନନ୍ଦପୁର ଏସ୍ଡିପିଓ କମଳ କୁମାର ପଣ୍ଡାଙ୍କୁ ଜଣାଇଛି।ବିଭାଗୀୟ ତଦନ୍ତ ପାଇଁ ଏକ ଟିମ୍ ମଧ୍ୟ ଗଠନ ହୋଇଛି। ତହସିଲରେ ସିସିଟିଭି କ୍ୟାମେରା ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।