ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

Sep 15, 2026 - 23:31
ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ ଯୁବ ଖେଳାଳି ରଜାଉଲ୍ଲାହଙ୍କୁ ପାକିସ୍ତାନରେ ଜଣେ ହିରୋ ଭଳି ଭବ୍ୟ ସ୍ବାଗତ କରାଯାଇଛି। ଇସଲାମାବାଦ ବିମାନବନ୍ଦରରେ ସେ ପହଞ୍ଚିବା ପରେ ପ୍ରଶଂସକ, ପରିବାର ଓ ବନ୍ଧୁମାନେ ତାଙ୍କୁ ଫୁଲମାଳ, ବାଜା ବଜାଇ ବିଭିନ୍ନ ନାରାବାଜି ସହ ସମ୍ବର୍ଦ୍ଧନା ଜଣାଇଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ଏହି ସିରିଜ୍‌ରେ ପାକିସ୍ତାନର ପ୍ରଦର୍ଶନ ନିରାଶାଜନକ ରହିଥିଲେ ସୁଦ୍ଧା ଏଜବେଷ୍ଟନ ଟେଷ୍ଟରେ ରଜାଉଲ୍ଲାହଙ୍କ ଡେବ୍ୟୁ ଦଳ ପାଇଁ ଆଶାର ଏକ ନୂଆ କିରଣ ପାଲଟିଛି। ବୋଲିଂ ଆରମ୍ଭ କରୁଥିବା ରଜାଉଲ୍ଲାହ ନିଜ ଟେଷ୍ଟ କ୍ୟାରିୟରର ମାତ୍ର ଚତୁର୍ଥ ବଲ୍‌ରେ ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍‌ଙ୍କୁ ଆଉଟ କରି କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। ସେହି ଇନିଂସରେ ସେ ସର୍ବାଧିକ ୪ ଉଇକେଟ ନେଇ ଦଳର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ।

ତେବେ କେବଳ ବୋଲିଂ ନୁହେଁ, ବ୍ୟାଟିଂରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଇନିଂସରେ ୯ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସେ ଇଂଲଣ୍ଡର ଦ୍ରୁତ ବୋଲରଙ୍କ ବିପକ୍ଷରେ ଆକ୍ରାମକ ବ୍ୟାଟିଂ କରିଥିଲେ। ମାତ୍ର ୪୩ ବଲ୍‌ରେ ଛକା ମାରି ନିଜର ପ୍ରଥମ ଅର୍ଦ୍ଧଶତକ ପୂରଣ କରିବା ସହ ସେ ୮୧ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯେଉଁଥିରେ ୯ ଛକା ସାମିଲ ଥିଲା। ଏହି ପ୍ରଦର୍ଶନ ବଳରେ ସେ ଟେଷ୍ଟ ଡେବ୍ୟୁର ଗୋଟିଏ ଇନିଂସରେ ସର୍ବାଧିକ ୯ ଛକା ମାରିବାର ନ୍ୟୁଜିଲ୍ୟାଣ୍ଡର ଟିମ ସାଉଦିଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହୋଇପାରିଛନ୍ତି।

ପାକିସ୍ତାନ ସିରିଜ ହାରିଥିଲେ ସୁଦ୍ଧା ଜୋ ରୁଟ୍‌ଙ୍କ ବହୁମୂଲ୍ୟ ଉଇକେଟ ଏବଂ ୮୧ ରନ୍‌ର ଧୂଆଁଧାର ଇନିଂସ ରଜାଉଲ୍ଲାହଙ୍କୁ ଆଗାମୀ ଦିନର ଜଣେ ବଡ଼ ମ୍ୟାଚ-ୱିନର୍‌ ଭାବେ ପ୍ରତିଷ୍ଠିତ କରିସାରିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।