ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Oct 06, 2026 - 19:36
ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ପ୍ରାୟ ୨୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଏଥିସହ ସେ ସୁଖୋଇ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ। ବେଙ୍ଗାଲୁରୁରୁ ଆସିଥିବା ହାଲ୍‌ର ବରିଷ୍ଠ ପଦାଧିକାରୀଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ। ଏହି ଅବସରରେ ହାଲ୍‌ ଦ୍ୱାରା ନିର୍ମାଣ କରାଯାଇଥିବା ୨୦୦୦ ତମ ଏରୋ ଇଞ୍ଜିନକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବରଙ୍ଗପୁର ବିଧାୟକ ବଳଭଦ୍ର ମାଝୀ, କୋରାପୁଟ ଜିଲାପାଳ ମନୋଜ ସତ୍ୟୱାନ ମହାଜନ, ଏସ୍‌ପି ରୋହିତ ବର୍ମାଙ୍କ ସହ ହାଲ୍‌ର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନାନୁଯାୟୀ, ଅପରାହ୍ନ ରେ ପ୍ରତିରକ୍ଷା ମନ୍ତ୍ରୀ ସିଂ ସେନା ହେଲିକପ୍ଟର ଯୋଗେ ସୁନାବେଡା ଟିଟିଏସ୍‌ସ୍ଥିତ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରୁ ସଡ଼କ ପଥରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସୁଖୋଇ ଇଞ୍ଜିନ ଡିଭିଜନକୁ ଯାଇଥିଲେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସୁନାବେଡାରେ ୩୦ ପ୍ଲାଟୁନ ଫୋର୍ସ ସହ ୮ଜଣ ଡିଏସ୍‌ପି, ୩ ଏଏସ୍‌ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଅଖିଳେଶ୍ୱର ସିଂହ, କୋରାପୁଟ ଏସ୍‌ପି ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ।

ପ୍ରକାଶ ଯେ, ଭାରତର ହାଲ୍‌ ଓ ଫ୍ରାନ୍ସର ସାଫରନ ଆର୍‌ଡିଡେନ ୧ଏଚ୍‌୧ର ମିଳିତ ଜ୍ଞାନକୌଶଳରେ ବିକଶିତ ଶକ୍ତି ଏକ ଲାଇଟ ହେଲିକପ୍ଟର ଇଞ୍ଜିନ। ଯାହା ସେନାର ଧ୍ରୁବ ଓ ପ୍ରଚଣ୍ଡ ପରି ଲାଇଟ କମ୍ପାକ୍ଟ ହେଲିକପ୍ଟରରେ ବ୍ୟବହୃତ ହୋଇଥାଏ। ପୂର୍ବରୁ ହାଲ୍‌ ବର୍ଷକୁ ମାତ୍ର ୮୦ଟି ଇଞ୍ଜିନ ଉତ୍ପାଦନ କରିବା କ୍ଷମତା ରହିଥିବାବେଳେ ସୁନାବେଡ଼ାରେ ଶକ୍ତିର ଦ୍ୱିତୀୟ ପ୍ରକଳ୍ପ ଆରମ୍ଭ ହେଲେ ଏହାର ଉତ୍ପାଦନ କ୍ଷମତା ୧୮୦କୁ ବୃଦ୍ଧି ପାଇବ। ଯାହାକି ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

Dharitri – Odisha’s No.1 Odia Daily


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।