ହୀରାକୁଦର ୩୦ ଗେଟ୍‌ ଖୋଲିଲା

Sep 28, 2026 - 21:43
ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି ଦିଆଯାଇଛି। ଫଳରେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାଶର୍‌ବର ୨୦ ଓ ଦକ୍ଷିଣ ପାଶର୍‌ବର ୧୦ ମିଶି ଚଳିତଋ଼ତୁରୁ ସର୍ବାଧକ ୩୦ ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଜଳଭଣ୍ଡାର ପାଣିପାଗ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ଆଦୌ ବର୍ଷା ରେକର୍ଡ ହୋଇ ନ ଥିବାବେଳେ ତଳମୁଣ୍ଡରେ ୦.୨୭ ମିମି ବର୍ଷା ରେକର୍ଡ ହୋଇଛି। ମାତ୍ର ପୂର୍ବରୁ ଛତିଶଗଡ଼ ରାଜ୍ୟରେ ହୋଇଥିବା ବର୍ଷା ଯୋଗୁ ବିଭିନ୍ନ ଜଳଭଣ୍ଡାରରେ ଗଛିତ ମାତ୍ରାଧିକ ଜଳକୁ ମହାନଦୀକୁ ନିଷ୍କାସନ କରାଯାଉଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଏକକାଳୀନ ପ୍ରତି ସେକେଣ୍ଡରେ ଜଳ ପ୍ରବେଶ ପରିମାଣ ୬ ଲକ୍ଷ ଟପିଥିଲା। ମାତ୍ର ଏହା ସନ୍ଧ୍ୟା ସୁଦ୍ଧା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ସେକେଣ୍ଡ ପ୍ରତି ୬ ଲକ୍ଷ ୩୦ ହଜାର ୬୦୫ ଘନଫୁଟ୍‌ରେ ପହଞ୍ଚତ୍ଥିଲା। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୯ ଫୁଟ୍‌ ଟପିଥିଲା। ତେବେ ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୋମବାର ସନ୍ଧ୍ୟା ୬ ଟା ୩୦ରେ ପ୍ରାପ୍ତ ଶେଷ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ୬୨୯.୬୯ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପ୍ରତି ସେକେଣ୍ଡରେ ହାରାହାରି ୫ ଲକ୍ଷ ୮୬ ହଜାର ୯୯୨ ଘନଫୁଟକୁ ହ୍ରାସ ପାଇଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍‌ ୫ ଲକ୍ଷ ୨୯ ହଜାର ୧୧୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୩୦ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ୪ ଲକ୍ଷ ୯୨ ହଜାର ୩୬୦ ଘନଫୁଟ ଏବଂ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୨,୨୭୨ ଘନଫୁଟ, ବରଗଡ଼ କେନାଲରେ ୩,୬୬୧ ଘନଫୁଟ, ଶାସନ କେନାଲରେ ୫୦୦ ଘନଫୁଟ, ସମ୍ବଲପୁର କେନାଲରେ ୧୦୫ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସିତ ହେଉଛି।

ମହାନଦୀ ତଳମୁଣ୍ଡରେ ସେକେଣ୍ଡ ପ୍ରତି ହାରାହାରି ବେଲଗଁାରେ ୪୫,୮୦୦ ଘନଫୁଟ୍‌, ପଥର୍ଲାରେ ୯୯,୩୪୦ ଘନଫୁଟ୍‌, ଖଇର୍‌ମାଲ୍‌ରେ ୬ ଲକ୍ଷ ୫୪ ହଜାର ଘନଫୁଟ୍‌, ବାରମୂଲ୍‌ରେ ୬ ଲକ୍ଷ ୨୮ ହଜାର ଘନଫୁଟ୍‌ ଓ ମୁଣ୍ଡଳୀରେ ହାରାହାରି ମୋଟ୍‌ ୭ ଲକ୍ଷ ୮୩ ହଜାର ୭୭୦ ଘନଫୁଟ୍‌ ବନ୍ୟାଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।