ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…
ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ କରିଛନ୍ତି।
ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଛି। ଏଥିରେ ଓଡ଼ିଶାରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ବେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପ ପରିବେଶ ଏବଂ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ସମ୍ଭାବନାକୁ ଉପସ୍ଥାପନ କରିବା ସହ ୟୁଏଇର ନିବେଶକମାନଙ୍କୁ ଓଡ଼ିଶାରେ ସୁଯୋଗ ଅନ୍ବେଷଣ ଏବଂ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟାଲ ଡାଉନଷ୍ଟ୍ରିମ, ସ୍ଲରି ପାଇପ୍ଲାଇନ୍, କ୍ରିଟିକାଲ ମିନେରାଲ୍ସ ଓ ରେୟାର ଆର୍ଥ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଉପକରଣ, ସ୍ବାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଭିତ୍ତିଭୂମି ସାମିଲ ରହିଛି। ଏହି ସମନ୍ବିତ ଆଲୁମିନିୟମ ପ୍ରକଳ୍ପ ପାଇଁ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ତହସିଲରେ ଆଲୁମିନା ରିଫାଇନେରି ଏବଂ ସୁନ୍ଦରଗଡ଼ ଜିଲାର ସଦର ତହସିଲରେ ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ପାଇଁ ଜମି ପ୍ରସ୍ତାବ ଦିଆଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଇଣ୍ଟରନ୍ୟାଶନାଲ ରିସୋର୍ସେସ ହୋଲ୍ଡିଂ (ଆଇଆର୍ଏଚ୍) ସିଇଓ ଅଲି ରସିଦ ଅଲ୍ ରସିଦ, ଟୁ ପଏଣ୍ଟ ଜିରୋ ସିଇଓ ମହମ୍ମଦ ହେସାମ, ଘିଥା ହୋଲ୍ଡିଂସ ଗ୍ରୁପ୍ ସିଇଓ ଫଲାଲ ଅମିନ, ବୁର୍ଜିଲ ହୋଲ୍ଡିଂସର ଗ୍ରୁପ୍ ସିଇଓ ଫଲାଲ ଅମିନ, ବୁର୍ଜିଲ ହୋଲ୍ଡିଂର ଅଧ୍ୟକ୍ଷ ଶମଶୀର ଭାୟାଲିଲ, ଏମ୍ଏମ୍ଡିସି ଗ୍ରୁପ୍ର ସିଇଓ ୟାସିର ଜାଗଲୁଲ ପ୍ରମୁଖ ଏଥିରେ ସାମିଲ ଥିଲେ। ମୁଖ୍ୟମନ୍ତ୍ରୀ ‘ଇଣ୍ଡିଆନ ବିଜ୍ନେସ୍ ଆଣ୍ଡ୍ ପ୍ରଫେସନାଲ ଗ୍ରୁପ’ (ଆଇବିପିଜି) ସଭାପତି ରାଜୀବ ଶାହ ଓ ସାଧାରଣ ସମ୍ପାଦକ ବରୁଣ ୱାହିଙ୍କ ସମେତ ସଦସ୍ୟମାନଙ୍କୁ ଭେଟିଛନ୍ତି। ଓଡ଼ିଶା ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଏବଂ ଆଇବିପିଜି ମଧ୍ୟରେ ଏକ ସହଯୋଗିତାମୂଳକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅଧୀନରେ ଓଡ଼ିଶାରୁ ହଳଦୀ, ଅଦା ଭଳି ମସଲାଜାତୀୟ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି, ୟୁଏଇର ପ୍ରମୁଖ ବ୍ରାଣ୍ଡ୍ଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମାନୁଫାକ୍ଚରିଂ ଏବଂ ରାଜ୍ୟର ଦକ୍ଷ ମାନବସମ୍ବଳ ନିଯୁକ୍ତି ଉପରେ ବିଶେଷ ଆଲୋଚନା ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ଉଦ୍ୟୋଗୀମାନେ ମଧ୍ୟ ଭାଗନେଇଛନ୍ତି। ସେମାନେ ବ୍ୟବସାୟିକ ଭାଗୀଦାରି ବିସ୍ତାର, ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ ୟୁଏଇ ବଜାରରେ ପହଞ୍ଚ ବୃଦ୍ଧି କରିବା ନେଇ ନିଜ ନିଜର ମତ ରଖିଛନ୍ତି। ଏହି ଆଲୋଚନା ଓଡ଼ିଶା-ୟୁଏଇ ବାଣିଜି୍ୟକ ସହଯୋଗକୁ ଅଧିକ ମଜଭୁତ କରିବା ସହ ବାଣିଜ୍ୟ, ନିବେଶ ଏବଂ ବ୍ୟବସାୟିକ ସହଯୋଗିତା ପାଇଁ ନୂଆ ପନ୍ଥା ସୃଷ୍ଟି କରିବାକୁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।