ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

Oct 07, 2026 - 16:51
ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର ଦରରେ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛି। ଅର୍ଥାତ ଆସନ୍ତାକାଲିଠାରୁ ଏୟାରଟେଲ ପୋଷ୍ଟପେଡ କନେକ୍ସନ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ପୂର୍ୱ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ମୂଲ୍ୟ ବୃଦ୍ଧି ସହିତ କମ୍ପାନୀ ସମସ୍ତ ନୂଆ ପ୍ଲାନରେ ପ୍ରତିବର୍ଷ ଏକ ମାଗଣା ଆନ୍ତର୍ଜାତୀୟ ରୋମିଂ ଟ୍ରିପ (Free International Roaming Trip) ସୁବିଧା ମଧ୍ୟ ଯୋଡ଼ିଛି।

ଏୟାରଟେଲର ଇଣ୍ଡିଭିଜୁଆଲ ପୋଷ୍ଟପେଡ ପ୍ଲାନ (Individual Postpaid Plan) ଏବେ ୪୯୯ ଟଙ୍କାରୁ ଆରମ୍ଭ ହେବ। ପୂର୍ୱରୁ କମ୍ପାନୀର ସବୁଠାରୁ ଶସ୍ତା ପ୍ଲାନ ୪୪୯ ଟଙ୍କାର ଥିଲା। ଅର୍ଥାତ ଏଣ୍ଟ୍ରି ଲେଭଲ ପ୍ଲାନ ସିଧାସଳଖ ୫୦ ଟଙ୍କା ମହଙ୍ଗା ହୋଇଯାଇଛି। କେବଳ ଇଣ୍ଡିଭିଜୁଆଲ ପ୍ଲାନ ନୁହେଁ, ଏୟାରଟେଲର ପୁରୁଣା ଫ୍ୟାମିଲି ପ୍ଲାନ୍ଗୁଡ଼ିକର ମୂଲ୍ୟ ମଧ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। କମ୍ପାନୀର ନୂଆ ପୋଷ୍ଟପେଡ ପ୍ଲାନ ଏବେ ୪୯୯ ଟଙ୍କାରୁ ଆରମ୍ଭ ହୋଇ ୧୭୯୯ ଟଙ୍କା ପର୍ଯ୍ୟନ୍ତ ରହିଛି।

ଦର ବୃଦ୍ଧି ସହିତ ଏୟାରଟେଲ ନିଜ ପୋଷ୍ଟପେଡ ପ୍ଲାନରେ ଏକ ନୂଆ ସୁବିଧା ଯୋଡ଼ିଛି। ଏବେ ସମସ୍ତ ନୂଆ ପୋଷ୍ଟପେଡ ପ୍ଲାନ ସହିତ ପ୍ରତିବର୍ଷ ଏକ ମାଗଣା ଆନ୍ତର୍ଜାତୀୟ ରୋମିଂ ଟ୍ରିପ ମିଳିବ। ଏହି ରୋମିଂ ପ୍ୟାକରେ 5GB ଡାଟା, ୬୦ ମିନିଟର କଲିଂ ଏବଂ ୨୫ଟି ଆଉଟଗୋଇଂ SMS ମିଳିବ। ଏହି ପ୍ୟାକଟି ୫ ଦିନ ପର୍ଯ୍ୟନ୍ତ ବୈଧ (valid) ରହିବ।

ନୂଆ ପୋର୍ଟଫୋଲିଓରେ ୪୯୯ ଟଙ୍କାର ପ୍ଲାନ ହେଉଛି ସବୁଠାରୁ ଶସ୍ତା ଇଣ୍ଡିଭିଜୁଆଲ ପୋଷ୍ଟପେଡ ପ୍ଲାନ। ଏଥିରେ ଗୋଟିଏ ସିମ କନେକ୍ସନ ମିଳେ। ଏହା ସହିତ ଅନଲିମିଟେଡ ଡାଟା ଏବଂ କଲିଂ ସୁବିଧା ଦିଆଯାଇଛି। ଏୟାରଟେଲ ଏଥିରେ ସ୍ପାମ ଓ ଫ୍ରଡ ପ୍ରୋଟେକ୍ସନ (Spam and Fraud Protection) ଭଳି ଫିଚର୍ସ ମଧ୍ୟ ଦେଉଛି। ଏହା ବ୍ୟତୀତ Airtel Xstream Play Premium ଏବଂ Google One ଭଳି ସୁବିଧା ମଧ୍ୟ ଏହି ପ୍ଲାନରେ ଅନ୍ତର୍ଭୁକ୍ତ।

ମାଗଣା ଆନ୍ତର୍ଜାତୀୟ ରୋମିଂର ଲାଭ ଉଠାଇବା ପାଇଁ ଗ୍ରାହକମାନଙ୍କୁ ଏହାକୁ ତୁରନ୍ତ ଆକ୍ଟିଭେଟ କରିବାର ଆବଶ୍ୟକତା ନାହିଁ। ଯଦି ଆପଣ ବର୍ତ୍ତମାନ ପୋଷ୍ଟପେଡ ପ୍ଲାନ ନେଇଛନ୍ତି ଏବଂ କିଛି ମାସ ପରେ ବିଦେଶ ଯାତ୍ରା କରୁଛନ୍ତି, ତେବେ ଯାତ୍ରା ସମୟରେ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହି ରୋମିଂ ପ୍ୟାକକୁ ଆକ୍ଟିଭେଟ କରିପାରିବେ। କମ୍ପାନୀ ଅନୁଯାୟୀ, ଏହି ମାଗଣା ଆନ୍ତର୍ଜାତୀୟ ରୋମିଂ ସୁବିଧାର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଅଟେ।

ଫ୍ୟାମିଲି ପ୍ଲାନର ମୂଲ୍ୟ ବଢ଼ିବା ସହିତ ସେଥିରେ ମିଳୁଥିବା ମନୋରଞ୍ଜନ ଓ କ୍ଲାଉଡ ସେବାର ସୁବିଧା ମଧ୍ୟ ବୃଦ୍ଧି ପାଏ। ଭିନ୍ନ ଭିନ୍ନ ପ୍ଲାନରେ Amazon Prime, JioHotstar, Apple Music, Apple iCloud+ ଏବଂ Netflix ଭଳି ସବସ୍କ୍ରିପସନ ଅନ୍ତର୍ଭୁକ୍ତ ରହିଛି। ୧୭୯୯ ଟଙ୍କାର ସବୁଠାରୁ ମହଙ୍ଗା ଫ୍ୟାମିଲି ପ୍ଲାନରେ Netflix Standard ସମେତ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି।

ଏୟାରଟେଲ ପୋଷ୍ଟପେଡ ପ୍ଲାନର ମୂଲ୍ୟ ବଢ଼ାଇଛି ସତ, କିନ୍ତୁ ଏହା ସହିତ Free International Roaming Trip ଯୋଡ଼ି ଗ୍ରାହକଙ୍କୁ ନୂଆ ଫାଇଦା ମଧ୍ୟ ଦେଇଛି। ବିଶେଷ କରି ଯେଉଁ ଗ୍ରାହକମାନେ ବର୍ଷକୁ ଅନ୍ତତଃ ଥରେ ବିଦେଶ ଯାତ୍ରା କରନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ବର୍ଦ୍ଧିତ ମୂଲ୍ୟକୁ କିଛି ମାତ୍ରାରେ ଉଚିତ ପ୍ରମାଣିତ କରିପାରେ। ଅନ୍ୟପକ୍ଷରେ, ଯେଉଁ ଗ୍ରାହକମାନେ ବିଦେଶ ଯାତ୍ରା କରନ୍ତି ନାହିଁ, ସେମାନଙ୍କ ପାଇଁ ଏହି ୫୦ ଟଙ୍କାର ବୃଦ୍ଧି ଅଧିକ ବୋଝ ସଦୃଶ ହୋଇପାରେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।