ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

Oct 07, 2026 - 16:51
ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି ଅଭିଯୋଗ ହେବା ପରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଥାନା ଆଇଆଇସି କିଶୋର କୁମାର ସାମଲ, ଖଣି ଅଧିକାରୀ ରୋହନ ପଟ୍ଟନାୟକ ସଶସ୍ତ୍ର ଫୋର୍ସ ସହ ଉକ୍ତ ପାହାଡ଼ ଇଲାକାରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ପରେ ହିଟାଚି ମେସିନ ସହାୟତାରେ ପାହାଡର ଚତୁର୍ଦ୍ଦିଗରେ ଟ୍ରେଞ୍ଚ ଖୋଳା ଯାଇଥିଲା। ବୁଧବାର ପୁଣି ଥରେ ତହସିଲଦାରଙ୍କ ତତ୍ତ୍ଵାବଧାନରେ ପାହାଡ଼ ଚାରିକଡ଼ରେ ସିମେଣ୍ଟ ପିଲର ପୋତା ଯାଇ ବାରିକେଡ୍‌ କରାଯାଇଛି।

ଉକ୍ତ ପଥର ଖାଦାନ ପାଇଁ କୌଣସି ଲିଜ ଦିଆଯାଇ ନ ଥିବାରୁ ସେଠାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଜାରି ପାଇଁ ଆବେଦନ କରାଯିବ। ସର୍ବସାଧାରଣ ଓ କ୍ରସର କର୍ମଚାରୀଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି।

ଗତ ଅକ୍ଟୋବର ୩ ତାରିଖରେ ହୋଇଥିବା ପ୍ରବଳ ବ୍ଲାଷ୍ଟିଂ ଯୋଗୁ ଆଙ୍କୋରଡ଼ା ଗ୍ରାମର ଘରଗୁଡ଼ିକ ଦୋହଲିଯିବା ସହ ଟିଭି, କାନ୍ଥ, ଛାତ ଓ ନବନିର୍ମିତ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ପଥର ଖଣ୍ଡ ଓ ଗୁଣ୍ଡ ପଡ଼ି ଫସଲ ଏବଂ ଗୃହପାଳିତ ପଶୁଙ୍କର କ୍ଷତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପୂଜା ଚାନ୍ଦା ନ ଦେବାରୁ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଯୁବଗୋଷ୍ଠୀ ମିଥ୍ୟା ଅଭିଯୋଗ ଆଣିଥିବା କ୍ରସର ମାଲିକ କହିଛନ୍ତି। କ୍ରସରକୁ ନେଇ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ରାଜନୈତିକ ଫାଇଦା ପାଇଁ ଏହାକୁ ଉସ୍‌କା ଯାଉଥିବା ଚର୍ଚ୍ଚା ହେଉଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।