୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଗୁଡାରିରେ ଅଖଚକ ସବୁ ଜାମ୍
ଗୁଡାରି,୮।୧୦(ପ୍ରମୋଦ କୁମାର ପତି): ଗୁରୁବାର ଇଣ୍ଡିଆ ମେଣ୍ଟର ଓଡିଶା ବନ୍ଦ ଡାକରା ପ୍ରଭାବ ଗୁଡାରି ସହରରେ ଦେଖିବାକୁ ମିଳିଛି । ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠା, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସମସ୍ତ ବ୍ୟାଙ୍କ ସମ୍ପୂର୍ଣ ବନ୍ଦ ରହିଥିଲା। ଗୁଡାରିକୁ ସଂଯୋଗ କରୁଥିବା ସମସ୍ତ ବସ ଚଳାଚଳ ବନ୍ଦ ଥିବା ବେଳେ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ରାସ୍ତାଘାଟ ଶୂନଶାନ ରହିଥିଲା।
କଂଗ୍ରେସ ଏବଂ ସିପିଆଇ (ଏମ ଏଲ ) ଲିବରସେନ ପକ୍ଷରୁ ଦଳୀୟ କର୍ମୀ ଓ ନେତା ସହରରେ ପିକେଟିଂ କରି ଥିବା ବେଳେ ସରକାରୀ ବିରୋଧୀ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି ବନ୍ଦ ଡାକରାରେ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ, ରୋଗୀ, ଔଷଧ ଦୋକାନ, ପରୀକ୍ଷାର୍ଥୀ, ଆଦୌ ପ୍ରଭାବିତ ହୋଇନଥିଲେ । ସହରକୁ ବସ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରଥମ ଥର ପାଇଁ ବନ୍ଦର ପ୍ରଭାବ ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା। ବ୍ଳକର ସିରିଗୁଡା ଗ୍ରାମପଂଚାୟତର ସଦର ସିରିଗୁଡାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଦୋକାନ ବଜାର ବନ୍ଦ ରହିଥିଲା।
ଗୁଡାରି ବ୍ଲକ କଂଗ୍ରେସ ସଭାପତି କେ. ରାମକ୍ରିଷ୍ଣା, ଏନଏସି ସଭାପତି ରାମଚନ୍ଦ୍ର ନନ୍ଦ, ସାଂସଦ ପ୍ରତିନିଧି ଏସ. ମୀନକେଶ, କଂଗ୍ରେସ ଜିଲା ସମ୍ପାଦକ ଜଳ ସୂର୍ଯ୍ୟ, ପୁରୁଷୋତ୍ତମ ନିମାଲ, ରଘୁନାଥ ବିଡ଼ିକା, କରୁଣାକର ଲିମା, ଜିତେନ୍ଦ୍ର ମାଝୀଙ୍କ ସମେତ ଉଭୟ ଦଳର ବହୁ ନେତା ଓ କର୍ମୀ ବନ୍ଦ ପାଳନରେ ସାମିଲ ଥିଲେ । ବନ୍ଦ ସମୟରେ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହୋଇନଥିବା ବ୍ଲକ କଂଗ୍ରେସ ସଭାପତି କହିଛନ୍ତି ଏବଂ ଏହି ବନ୍ଦକୁ ସାଧାରଣରେ ସହଯୋଗ ମିଳିଥିବା ସେ କହିଛନ୍ତି । ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ସହରର ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।