ଭୋଟ୍ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼
ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ ଦଳ ପକ୍ଷରୁ ବିକ୍ଷୋଭକାରୀମାନେ ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ସ୍ଲୋଗାନ ଦେଇଥିଲେ। ଏଥିସହ ଏମଏମ୍ଡିଆର୍ ସଂଶୋଧିତ ଅଧିନିୟମ ବନ୍ଦ କରିବା, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଏସଆଇଆର୍ ପ୍ରତ୍ୟାହାର ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଭଳି ବିଭିନ୍ନ ଦାବି ଉଠାଯାଇଥିଲା। ବିଶ୍ୱନାଥପୁର ଠାରେ ସିପିଆଇ, ସିପିଆଇ(ଏମ), ସିପିଆଇ(ଏମଏଲ) ଲିବରେସନ, ସମାଜବାଦୀ ପାର୍ଟି, ଜେଏମଏମ, ଶିବସେନା ସମେତ ଇଣ୍ଡିଆ ମେଣ୍ଟର କର୍ମୀ ଓ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଥିଲେ। ଶେଷରେ କଂଗ୍ରେସ ଦଳ ପକ୍ଷରୁ ବିଶ୍ୱନାଥପୁର ଠାରୁ ଲାଞ୍ଜିଗଡ଼, ନିୟମଗିରି ବେଦାନ୍ତ ନଗର, କେନ୍ଦୁବୋର୍ଡି, ଜଗନ୍ନାଥପୁର ପର୍ଯ୍ୟନ୍ତ ଏକ ବାଇକ ରାଲିରେ ବାହାରି ଭୋଟ ’ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ନାରାବାଜି ଦେଇଥିଲ। ଏହି ବନ୍ଦ ପାଳନରେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ଯୁବ ସଭାପତି ମକରନ୍ଦ ନିଆଲଙ୍କ ସମେତ ବିଭିନ୍ନ ବାମ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିଲେ। ଜରୁରୀ କାମ ତଥା ମେଡିକାଲ କାମରେ ଯାଉଥିବା ଲୋକମାନଙ୍କୁ ଛାଡ଼ ଦିଆ ଯାଉଥିବା ବେଳେ ବନ୍ଦ ଯୋଗୁ ପୋଖରୀବନ୍ଧ-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା ଓ ଭବାନୀପାଟଣା-ରାୟଗଡ଼ା ମୁଖ୍ୟ ସଡ଼କ, ଲାଞ୍ଜିଗଡ଼- ମୁନିଗୁଡା ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବନ୍ଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲାଞ୍ଜିଗଡ଼, ବିଶ୍ୱନାଥପୁର, ବିଜେପୁର ପୋଲିସ ପକ୍ଷରୁ ବିଭିନ୍ନ ପ୍ରମୁଖ ସ୍ଥାନରେ ସୁରକ୍ଷା କର୍ମୀ ମୁତୟନ କରା ଯାଇଥିଲା। ସେହିପରି ବ୍ଲକର ୨୬ଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।