୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ
ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼ ପାର୍ବତ୍ୟ କୃଷି କ୍ଷେତ୍ରଗୁଡ଼ିକରେ ୧୦-୨୦ ପ୍ରତିଶତର ଏକ ମଧ୍ୟମ ଧରଣର ହ୍ରାସ ଘଟିପାରେ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଡିସ୍କଭର୍ ଫରେଷ୍ଟସ’ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମଧ୍ୟମ ଉଚ୍ଚତାବିଶିଷ୍ଟ ଅଞ୍ଚଳ ଏବଂ ବର୍ଷା ନିର୍ଭରଶୀଳ କୃଷି-ବନୀକରଣ କ୍ଷେତ୍ରଗୁଡ଼ିକରେ ଏହି ହ୍ରାସ ସବୁଠାରୁ ଅଧିକ ଜଣାପଡ଼ିବ, ଯେଉଁଠାରେ ଜଳବାୟୁଜନିତ ଚାପ ଆଗକୁ ଆହୁରି ତୀବ୍ର ହେବା ଆଶଙ୍କା ରହିଛି।
ଡେରାଡୁନର ଡୁନ୍ ୟୁନିଭର୍ସିଟି ଏବଂ ଉତ୍ତରପ୍ରଦେଶର ଝାନ୍ସିସ୍ଥିତ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ଏଗ୍ରିକଲ୍ଚରାଲ ରିସର୍ଚ୍ଚ (ଆଇସିଏଆର୍)-ସେଣ୍ଟ୍ରାଲ ଏଗ୍ରୋଫରେଷ୍ଟ୍ରି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ଗବେଷକମାନେ ରାଜ୍ୟରେ ବର୍ତ୍ତମାନର କୃଷି-ବନୀକରଣର ସ୍ଥିତି ଏବଂ ୨୦୫୦ ସୁଦ୍ଧା ଏହାର କ’ଣ ଅବସ୍ଥା ହେବ, ତାହାର ମାନଚିତ୍ର ପ୍ରସ୍ତୁତ କରିବା ପାଇଁ ସାଟେଲାଇଟ ଚିତ୍ର ଏବଂ କ୍ଷେତ୍ର ସର୍ଭେର ବିଶ୍ଳେଷଣ କରିଥିଲେ। ମଧ୍ୟମ ଉଚ୍ଚତାବିଶିଷ୍ଟ ଅଞ୍ଚଳଗୁଡ଼ିକ କୃଷି-ବନୀକରଣର ସମ୍ପ୍ରସାରଣ ପାଇଁ ସବୁଠାରୁ ଉପଯୁକ୍ତ, ଯେଉଁଠାରେ କି ଭବିଷ୍ୟତର ଆକଳନ ଅନୁଯାୟୀ ଛୋଟ ଏବଂ ବିଖଣ୍ଡିତ ବ୍ୟବସ୍ଥାଗୁଡ଼ିକରେ ଜଳବାୟୁ ସହନଶୀଳତା ହ୍ରାସ ପାଇବାର ଦେଖାଯାଉଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଏହାର ପ୍ରଭାବକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଉଥିବା କୃଷି-ବନୀକରଣ ବ୍ୟବସ୍ଥା ବିଶ୍ୱ ତାପାୟନର ପ୍ରଭାବ ପ୍ରତି ଅତି ସମ୍ବେଦନଶୀଳ। ଗବେଷକମାନେ ଏଠାରେ ୧୦୫ ଭିନ୍ନ ପ୍ରଜାତିର ଗଛ ଏବଂ ୮୨ ପ୍ରଜାତିର ଫସଲ ପାଇଛନ୍ତି, ଯାହା ଏକ ଉଚ୍ଚ ଉଦ୍ଭିଦ ସମୃଦ୍ଧତା ପ୍ରଦର୍ଶନ କରୁଛି। ତେବେ ତାପମାତ୍ରା, ବୃଷ୍ଟିପାତ ଏବଂ ଚରମ ପାଣିପାଗ ପରିସ୍ଥିତିରେ ପରିବର୍ତ୍ତନ ଯୋଗୁ ଗଛ ଓ ଫସଲ ପ୍ରଜାତିର ଗଠନ ଏବଂ ପାରିପାର୍ଶ୍ୱିକ ତନ୍ତ୍ର ବଦଳିଯାଇପାରେ। ଗବେଷକମାନଙ୍କ ଅନୁସାରେ, ଭାରତୀୟ ହିମାଳୟ ଅଞ୍ଚଳରେ ଏହି ବ୍ୟବସ୍ଥା ବିଶେଷ ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ ଖାଲୁଆ ଢାଲୁ, ଖଣ୍ଡ ବିଖଣ୍ଡିତ ଜମି ଏବଂ ଜଳବାୟୁର ପରିବର୍ତ୍ତନଶୀଳତା ପାରମ୍ପରିକ କୃଷି ପାଇଁ ଆହ୍ବାନ ସୃଷ୍ଟି କରିଥାଏ। ଏହି ଅଞ୍ଚଳ ମଧ୍ୟ ଜଳବାୟୁ ପରିବର୍ତ୍ତନ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ।
୧,୧୦୦ ମିଟରରୁ ୧,୬୦୦ ମିଟର ଉଚ୍ଚତା ମଧ୍ୟରେ ଥିବା ଏବଂ ୨୦-୩୦ ଡିଗ୍ରୀ ଢାଲୁ ବିଶିଷ୍ଟ ମଧ୍ୟମ ଉଚ୍ଚତା ଅଞ୍ଚଳ କୃଷି-ବନୀକରଣ ସମ୍ପ୍ରସାରଣ ପାଇଁ ସବୁଠାରୁ ଉପଯୁକ୍ତ ବୋଲି ଜଣାପଡ଼ିଛି, ଯାହାର କ୍ଷେତ୍ରଫଳ ପ୍ରାୟ ୧୫୦ ବର୍ଗ କିଲୋମିଟର। ସେହିପରି ୫୨୫ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳକୁ ପାର୍ବତ୍ୟ କୃଷି ସମ୍ପ୍ରସାରଣ ପାଇଁ ମଧ୍ୟମ ଉପଯୁକ୍ତ ଭାବେ ଚିହ୍ନଟ କରାଯାଇଛି, ଯାହା ୧୦ ଡିଗ୍ରୀରୁ କମ୍ ଢାଲୁ, ୧,୬୦୦-୨,୧୦୦ ମିଟର ଉଚ୍ଚତା ଏବଂ ମଧ୍ୟମ ଧରଣର ବୃଷ୍ଟିପାତ ବିଶିଷ୍ଟ ଅଞ୍ଚଳ। ୬୦୦ ମିଟରରୁ କମ୍ କିମ୍ବା ୨,୧୦୦ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଜମିକୁ ସମ୍ପ୍ରସାରଣ ପାଇଁ ସବୁଠାରୁ କମ୍ ଉପଯୁକ୍ତ ଶ୍ରେଣୀଭୁକ୍ତ କରାଯାଇଛି। ଅନେକ ଛୋଟ କୃଷି-ବନୀକରଣ ଅଞ୍ଚଳ (୫ ବର୍ଗ କିଲୋମିଟରରୁ କମ୍) ୬୦-୭୦% ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଥିବାବେଳେ ବଡ଼ ବ୍ୟବସ୍ଥାଗୁଡ଼ିକ (୧୫ ବର୍ଗ କିଲୋମିଟରରୁ ଅଧିକ) ତୁଳନାତ୍ମକ ଭାବେ ୧୦-୨୦% ମଧ୍ୟମ ହ୍ରାସ ପ୍ରଦର୍ଶନ କରୁଛନ୍ତି। ଏହି ହ୍ରାସ ମଧ୍ୟମ ଉଚ୍ଚତା ବିଶିଷ୍ଟ ଅଞ୍ଚଳ ଏବଂ ବର୍ଷା-ନିର୍ଭରଶୀଳ କୃଷି-ବନୀକରଣ କ୍ଷେତ୍ରଗୁଡ଼ିକରେ ସବୁଠାରୁ ଅଧିକ ସ୍ପଷ୍ଟ ହେବ, ଯେଉଁଠାରେ ଜଳବାୟୁଜନିତ ଚାପ ଆହୁରି ତୀବ୍ର ହେବାର ଆଶଙ୍କା ରହିଥିବା ଗବେଷକମାନେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।