୨୭ ସନ୍ଧ୍ୟାରୁ ଓଡ଼ିଶାରେ ପ୍ରବଳ ବର୍ଷା: ସତର୍କ କରାଇ ପାଣିପାଗ ବିଭାଗ କହିଲା ୨୮ ତାରିଖ ସକାଳେ…
ଭୁବନେଶ୍ୱର,୨୪ା୧୦: ରାଜ୍ୟବାସୀଙ୍କ ପାଇଁ ବଢ଼ିଲା ଚିନ୍ତା। ଓଡ଼ିଶା ଉପରେ ପୁଣି ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା। ଆସନ୍ତା ୨୭ ତାରିଖ ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ପ୍ରକୋପ ଆରମ୍ଭ ହୋଇଯିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ୍ରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେବା ସହ ଆଗାମୀ କିଛି ଦିନ ପାଇଁ ସତର୍କତା ଜାରି କରିଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୭ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିବ। ବିଶେଷ କରି ୨୮ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ରାଜ୍ୟର ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାଯୋଗୁ ନିଚ୍ଛାଟିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଏବଂ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ସୃଷ୍ଟି ସାମୁଦ୍ରିକ ଝଡ଼ ବା ବାତ୍ୟାର ଗତିପଥ ନେଇ ନିର୍ଦ୍ଦେଶିକା ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ୨୮ ତାରିଖ ସକାଳ ସମୟରେ ଏହି ବାତ୍ୟା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାକୁ ଥିଲେ ହେଁ, ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଜିଲାଗୁଡ଼ିକ ଉପରେ ଗୁରୁତର ଭାବେ ପଡ଼ିବ।
ବାତ୍ୟା ପ୍ରଭାବରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ମଧ୍ୟ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।
ପରିସ୍ଥିତି ଉପରେ ପାଣିପାଗ ବିଭାଗ ୨୪ ଘଣ୍ଟିଆ ନଜର ରଖିଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲା ପ୍ରଶାସନଗୁଡ଼ିକୁ ମଧ୍ୟ ଆଗୁଆ ସତର୍କ ରହିବାକୁ ସୂଚନା ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।