୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ
ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ଅତାବିରା ମିନାର ବନ୍ଧ ପଡ଼ାର ବସନ୍ତ ଚୌଧୁରୀ (୩୫)। ସେ ଠେଲାରେ ଜଳଖିଆ ବିକ୍ରି କରି ନିଜର ଆଠ ପ୍ରାଣୀ କୁଟୁମ୍ବ ପୋଷୁଥିଲେ।
ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୬ଟାରେ ବସନ୍ତ ଅତାବିରା ହାଇସ୍କୁଲ ପଟରୁ ନିଜ ଠେଲା ଧରି ଘରକୁ ଫେରୁଥିବା ବେଳେ ଦମଦମା ବ୍ରିଜ ନିକଟରେ ଏକ ଅନିୟନ୍ତ୍ରିତ ପିକଅପ୍ (ସିଜି ୦୪ପିଏସ ୨୧୬୩) ତାଙ୍କୁ ପଛପଟୁ ସଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଠେଲାଟି ସମ୍ପୂର୍ଣ୍ଣ ଚୂରମାର ହୋଇଯିବା ସହ ଗାଡ଼ିଟି ବସନ୍ତଙ୍କୁ ପ୍ରାୟ ୨ କିଲୋମିଟର ଦୂର ଲାଦେରପାଲି ଛକ ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିଲା। ସେଠାରେ ଗାଡ଼ିରୁ ଶବ ତଳେ ପଡ଼ିଯିବା ପରେ ସ୍ଥାନୀୟ ଲୋକେ ଏହା ଦେଖି ରୁଣ୍ଡ ହୋଇଥିଲେ।
ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ଉତ୍ୟକ୍ତ ପଡ଼ାବାସୀ ଓ ପରିବାର ଲୋକେ ଲାଦେରପାଲି ଛକରେ ଶବ ରଖି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହି ଦୀର୍ଘ ସମୟ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଅତାବିରା ଥାନା ଆଇଆଇସି ପ୍ରକାଶ କର୍ଣ୍ଣ, ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ବରଗଡ଼ ଗ୍ରାମାଞ୍ଚଳ ଆଇଆଇସି ସୁଶାନ୍ତ କୁମାର ଦାଶ ଓ ସଦର ଆଇଆଇସି ପ୍ରଣୟ ମୁର୍ମୁ ପହଞ୍ଚି ବୁଝାସୁଝା କରିଥିଲେ ହେଁ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା।
ପରବର୍ତ୍ତୀ ସମୟରେ ଅତାବିରା ଅତିରିକ୍ତ ତହସିଲଦାର ରୋଶନି ରାଣୀ ଖମାରୀ, ଦୀପକ କୁମାର ପତି, ୧ ନମ୍ବର କାଉନସିଲର ଦୀପକ ରାଏ, ବିଜେଡ଼ି ନେତା ସିଦ୍ଧାର୍ଥ ଶଙ୍କର ପଣ୍ଡା ଓ ଆପ୍ ନେତା ଜୟକୃଷ୍ଣ ଛୁରିଆଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ମୃତକଙ୍କ ପରିବାରକୁ ଅତାବିରା ବ୍ଲକରେ ଜମି ଯୋଗାଇ ଆବାସ ଗୃହ ନିର୍ମାଣ, ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ସହାୟତା ଓ ବୀମା କ୍ଷତିପୂରଣ ଦେବାକୁ ପ୍ରଶାସନିକ ନିର୍ଭର ପ୍ରତିଶ୍ରୁତି ମିଳିବା ପରେ ରାତି ୮ଟା ୫୦ରେ ରାସ୍ତାରୋକ ହଟିଥିଲା।

ଏନେଇ ଅତାବିରା ଥାନାରେ କେସ୍ ନଂ ୪୦୦/୨୬ରେ ମାମଲା ରୁଜୁ କରାଯାଇଛି। ଦୁର୍ଘଟଣାଘଟାଇଥିବା ପିକଅପ୍ର ସନ୍ଧାନ ମିଳିସାରିଛି ଓ ତାହାକୁ ଶୀଘ୍ର ଜବତ କରାଯିବ ବୋଲି ଆଇଆଇସି ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମୃତ ବସନ୍ତ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ତାଙ୍କ ରୋଗାକ୍ରାନ୍ତ ପିତା ରାମଦାଶ ଚୌଧୁରୀ, ବିଧବା ପତ୍ନୀ, ଦୁଇ କୋମଳମତି ପୁତ୍ର ଓ ଗୋଟିଏ ଝିଅ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।