୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା
ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିଛି ସ୍ଥାନରେ ଚାଷ ଜମିଗୁଡିକରେ ପାଣି ପଶି ଜଳାର୍ଣ୍ଣବ ହୋଇପଡି। ଫଳରେ ଫସଲ ନଷ୍ଟ ହେବା ଆଶଙ୍କା ବୃଦ୍ଧି ପାଇଛି। ରୁଷିକୁଲ୍ୟା ନଦୀର ଜଳପତନ ବଢୁଥିବା ବେଳେ ନଦୀ ଫୁଲିଉଠି ଦୁଇ କୁଳ ଲଙ୍ଘି ଗର୍ଜନ କରିବାରେ ଲାଗିଛି। ଏହାକୁ ନେଇ ବନ୍ୟାର ଆଶଙ୍କା କରି ନଦୀକୁଳିଆ ଲୋକମାନେ ଭୟଭିତ ହୋଇପଡିଛନ୍ତି।
ଶୁକ୍ରବାର ପୁରୁଷୋତ୍ତମପୁରରେ ୪୭.୮ ମିଲିମିଟର ବର୍ଷା ହୋଇଥିବା ବେଳେ ପବନରବେଗ ଘଣ୍ଟାପ୍ରତି ୧୦.୩୧୭ କିଲୋମିଟର ରହିଛି। ରୁଷିକୁଲ୍ୟା ଜଳସ୍ତର ବିପଦ ସଂକେତ ୧୬.୮୩୫ ମିଟର ରହିଥିବା ବେଳେ ସତର୍କ ସଂକେତ ୧୫.୮୩୫ ମିଟର ରହିଛି। ବର୍ତ୍ତମାନ ନଦୀରେ ଜଳସ୍ତର ସତର୍କ ସଂକେତ ଟପି ୧୬.୫୧୦ ମିଟର ଉଚ୍ଚତାରେ ଜଳ ପ୍ରବାହିତ ହେବାରେ ଲାଗିଛି। ବନ୍ୟା ଆଶଙ୍କାକୁ ନେଇ ପ୍ରଶାସନ ସଜାଗ ହୋଇ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।