୪ ଘଣ୍ଟା ଧରି ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ, ୧୬ ମୃତ
ଲାସା, ୨୩ା୧୦: ତିବ୍ବତରେ ଗୁରୁବାର ରାତିରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୭ ତୀବ୍ରତାର ଏହି ଭୂମିକମ୍ପ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଖବର ଲେଖାଯିବା ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ୪ ଘଣ୍ଟା ମଧ୍ୟରେ ୧୩ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଚାଇନାର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।
ଭୂମିକମ୍ପ ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଏବଂ ୩୪୭ ଜଣ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ପଠାଯାଉଥିବାବେଳେ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ବାସହରା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଭାରତୀୟ ସମୟ ରାତି ପ୍ରାୟ ୮ଟା ୩ ମିନିଟ୍ରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ତିବ୍ବତର ନାଗକୁ ସହରରେ ରହିଥିବାବେଳେ ରାଜଧାନୀ ଲାସାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଥିଲା। ଭୂମିପୃଷ୍ଠଠାରୁ ପ୍ରାୟ ୧୭୩ କିଲୋମିଟର ଗଭୀରରେ ଭୂମିକମ୍ପର କେନ୍ଦ୍ର ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବୈଜ୍ଞାନିକଙ୍କ ମତରେ, ତିବ୍ବତୀୟ ମାଳଭୂମି ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳ ଭାରତୀୟ ଓ ୟୁରେସୀୟ ଟେକ୍ଟୋନିକ୍ ପ୍ଲେଟ୍ର ସଂଘର୍ଷ କ୍ଷେତ୍ର ନିକଟରେ ଅବସ୍ଥିତ ଥିବାରୁ ଏଠାରେ ଭୂମିକମ୍ପ ହେବାର ଆଶଙ୍କା ଅଧିକ ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ପରେ ଅତି କମ୍ରେ ୩୩୯ଟି ଘର ଭୁଶୁଡ଼ି ପଡ଼ିଛି । ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ସହ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଜାରି ରଖିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।