୪ ହଜାର କୋଟି ଟଙ୍କାର ଫିଲ୍ମ କରିବାକୁ ଏମିତି ପନ୍ଥା ଆପଣାଇଥିଲେ ସାଇ ପଲ୍ଲବୀ: ଖୋଲିଲେ ସିକ୍ରେଟ୍
ନୂଆଦିଲ୍ଲୀ,୨୬।୧୦: ପାଖାପାଖି ୪ ହଜାର କୋଟି ବଜେଟ୍ରେ ନିର୍ମିତ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଭୂମିକାକୁ ନେଇ ସେ ନିଜର ଅନୁଭୂତି ବଖାଣିଛନ୍ତି। ସୀତାଙ୍କ ଚରିତ୍ରରେ ଅଭିନୟ କରିବା ସମୟରେ ସେ ନିଜର ବୁଦ୍ଧି ଅପେକ୍ଷା ଶ୍ରଦ୍ଧା, ପ୍ରାର୍ଥନା ଓ ସମର୍ପଣକୁ ଅଧିକ ଗୁରୁତ୍ୱ ଦେଇଥିବା କହିଛନ୍ତି। ତାଙ୍କ ପାଇଁ ଏହି ଚରିତ୍ର କେବଳ ଅଭିନୟ ନୁହେଁ, ବରଂ ଆତ୍ମଚିନ୍ତନ ଓ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିବାର ଏକ ସୁଯୋଗ।
ନିକଟରେ ସାଇ ପଲ୍ଲବୀ, ରଣବୀର କପୁର ଓ ରବି ଦୁବେ ଲୋକପ୍ରିୟ ଟେଲିଭିଜନ କୁଇଜ ଶୋ’ ‘କୌନ ବନେଗା କରୋଡ଼ପତି’ର ସେଟ୍ରେ ପହଞ୍ଚିଥିଲେ। ଏହି ଶୋ’କୁ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ପରିଚାଳନା କରନ୍ତି। କାର୍ଯ୍ୟକ୍ରମରେ ତିନି ଅଭିନେତା ନିଜ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ ସହ ଜଡ଼ିତ ଅନୁଭୂତି ବାଣ୍ଟିଥିଲେ। ଏଭଳି ପୌରାଣିକ ଓ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିବା ପରେ ମନରେ କ’ଣ ଚାଲିଥିଲା ପ୍ରଶ୍ନରେ ସାଇ ପଲ୍ଲବୀ କହିଥିଲେ, ସାଧାରଣତଃ କୌଣସି ଚରିତ୍ରରେ ଅଭିନୟ କରିବାବେଳେ ସେ ଭାବନ୍ତି ଯେ ସେହି ଚରିତ୍ର ପାଇଁ ସେ କ’ଣ କରିପାରିବେ। କିନ୍ତୁ ମାତା ସୀତାଙ୍କ ଭୂମିକା ମିଳିବା ପରେ ତାଙ୍କ ଚିନ୍ତାଧାରା ବଦଳିଯାଇଥିଲା। ଏହି ଚରିତ୍ର ମାଧ୍ୟମରେ ସେ କ’ଣ ଶିଖିପାରିବେ, କେଉଁ ଜ୍ଞାନ ଲାଭ କରିପାରିବେ ଏବଂ ନିଜ ଜୀବନରେ କ’ଣ ନୂଆ ଅନୁଭବ ହାସଲ କରିପାରିବେ ସେକଥା ଭାବିଥିଲେ।
ଏହି ଚରିତ୍ରକୁ ନେଇ ସେ କୌଣସି ପୂର୍ବଧାରଣା ରଖିବାକୁ ଚାହୁଁ ନ ଥିଲେ ସାଇ ପଲ୍ଲବୀ। ନିଜର ଚିନ୍ତାଧାରାକୁ ଖୋଲା ରଖିବା ସହ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ଏହି ଭୂମିକାକୁ ଗ୍ରହଣ କରିବାକୁ ଚାହୁଁଥିଲେ। ସେ ପ୍ରାର୍ଥନା କରି ମାତା ସୀତାଙ୍କୁ ନିଜ ମାଧ୍ୟମରେ ଏହି ଚରିତ୍ର ଅଭିନୟ କରାଇବାକୁ ଅନୁରୋଧ କରିଥିଲେ। ଏହା ପରେ ସେ ସବୁକିଛି ମା’ଙ୍କ ଉପରେ ଛାଡ଼ିଦେଇଥିଲେ। ସାଇ ପଲ୍ଲବୀଙ୍କ ଏହି କଥା ଶୁଣି ଅମିତାଭ ବଚ୍ଚନ ତାଙ୍କର ପ୍ରଶଂସା କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।