୫୫ ବଲରେ ଶତକ ପରେ ସରଫରାଜଙ୍କ ଚାଞ୍ଚଲ୍ୟକର ବୟାନ: ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟକୁ ନେଇ କହିଦେଲେ ସାଂଘାତିକ କଥା
ନୂଆଦିଲ୍ଲୀ, ୨।୧୧: ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟରେ ରନର ପାହାଡ଼ ଛିଡ଼ା କରୁଥିବା ସରଫରାଜ ଖାନ ୨୦୨୬ ରଣଜୀ ଟ୍ରଫିରେ ମାତ୍ର ୫୫ଟି ବଲରେ ଶତକ ହାସଲ କରିବା ପରେ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ଟିମ ମ୍ୟାନେଜମେଣ୍ଟ ତାଙ୍କୁ କେବଳ ଘରୋଇ ପରିସ୍ଥିତିରେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଉପଯୁକ୍ତ ମନେ କରୁଛି ବୋଲି ସେ କହିଛନ୍ତି। ଏହି କାରଣରୁ ବିଦେଶ ଗସ୍ତରେ ଟେଷ୍ଟ ମ୍ୟାଚ ପାଇଁ ତାଙ୍କୁ ଟିମ ଇଣ୍ଡିଆରେ ସୁଯୋଗ ମିଳୁନାହିଁ ବୋଲି ସରଫରାଜଙ୍କ ମତ। ତେବେ ଚୟନକର୍ତ୍ତା କିମ୍ବା ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କ ଭୂମିକାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ସେ ଦାବି କରିଛନ୍ତି।
୨୦୨୬ ରଣଜୀ ଟ୍ରଫିରେ ରେଲେଓ୍ବ ବିପକ୍ଷରେ ମାତ୍ର ୫୫ଟି ବଲର ଶତକ ହାସଲ କରିଥିବା ସରଫରାଜ ଖାନ ଖବରଦାତାଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଯେତେବେଳେ ମୁଁ ଭାରତୀୟ ଦଳ ସହ ଥିଲି, ସେତେବେଳେ ମୁଁ ଏହା ଶୁଣିବାକୁ ପାଇଥିଲି ଯେ ସେମାନେ ମୋତେ ଭାରତୀୟ ପରିସ୍ଥିତିରେ ଖେଳିବା ପାଇଁ ଅଧିକ ଉପଯୁକ୍ତ ମନେ କରୁଛନ୍ତି। ତେବେ କୌଣସି ଚୟନକର୍ତ୍ତା ମୋତେ ସିଧାସଳଖ ଏପରି କିଛି କହିନାହାନ୍ତି।
ବିଦେଶ ଗସ୍ତ ପାଇଁ ଦଳରେ ଚୟନ ନହେବାକୁ ନେଇ ମଧ୍ୟ ସରଫରାଜ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଅଭ୍ୟାସ ମ୍ୟାଚରେ ଶତକ ହାସଲ କରିଥିବା କଥା ସେ ମନେ ପକାଇଛନ୍ତି।
ସେ କହିଛନ୍ତି, ଯେତେବେଳେ ମୁଁ ଦକ୍ଷିଣ ଆଫ୍ରିକା ଯାଇଥିଲି, ସେଠାରେ ଅଭ୍ୟାସ ମ୍ୟାଚରେ ଭାରତ-ଏ ପକ୍ଷରୁ ଖେଳି ମାତ୍ର ୬୩ଟି ବଲରେ ଶତକ ହାସଲ କରିଥିଲି। ଏହାପରେ ଇଂଲଣ୍ଡରେ ମଧ୍ୟ ୭୬ଟି ବଲରେ ୧୦୧ ରନର ଇନିଂସ ଖେଳିଥିଲି। ଏପରି ନୁହେଁ ଯେ ମୁଁ ଭାରତ ବାହାରେ ରନ କରିନାହିଁ। ମୁଁ ସେଠାରେ ମଧ୍ୟ ରନ କରିଛି। ଏହା ଚୟନକର୍ତ୍ତାଙ୍କ ଦୃଷ୍ଟିକୋଣ ଏବଂ ସେମାନଙ୍କ ନିଷ୍ପତ୍ତି। ମୋର କାମ ହେଉଛି କ୍ରିକେଟ ଖେଳିବା।
ସୂଚନାଯୋଗ୍ୟ, ୨୦୨୪ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ସରଫରାଜ ଖାନ ସେହି ବର୍ଷ ହିଁ ନିଜର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ଏପର୍ଯ୍ୟନ୍ତ ୬ଟି ଟେଷ୍ଟ ମ୍ୟାଚ ଖେଳି ୩ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ମୋଟ ୩୭୧ ରନ ସଂଗ୍ରହ କରିଛନ୍ତି। ତାଙ୍କର ସମସ୍ତ ୬ଟି ଟେଷ୍ଟ ମ୍ୟାଚ ଭାରତରେ ହିଁ ଖେଳାଯାଇଛି।
ଶ୍ରୀଲଙ୍କା ଗସ୍ତ ସମୟରେ ସାଇ ସୁଦର୍ଶନ ଆହତ ହେବା ପରେ ସରଫରାଜଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।