୧୦ ଦଫା ଦାବି ନେଇ ସିପିଆଇ ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) ବାତ୍ୟା ଅର୍ଣ୍ଣବ ଏବଂ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ବଡ଼ ଖେମୁଣ୍ଡି ଜୋନାଲ କମିଟି ପକ୍ଷରୁ ଅଭିଯୋଗ ହୋଇଛି।
ଏନେଇ ବନ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ ପ୍ରଦାନ, କ୍ଷତି ହୋଇଥିବା ଧାନ, ଆଖୁ, ମକା, ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ, କୃଷି ଋଣ ଛାଡ଼, ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଓ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରିବା, ଭାଙ୍ଗି ଯାଇଥିବା ରାସ୍ତା, ପୋଲ, କେନାଲ ଗୁଡ଼ିକର ମରାମତି, ଦିଗପହଣ୍ଡି ସହର ବସଷ୍ଟାଣ୍ଡ ବାସିନ୍ଦାଙ୍କୁ ଜଳବନ୍ଦୀରୁ ମୁକ୍ତି ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରାଯାଇଛି।
ସେହିପରି ଭୀଷ୍ମଗିରି ଗ୍ରାମ ଗଣେଶ ନଗରର କ୍ଷତିଗସ୍ତ ୮ ବିପନ୍ନ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବା, ସମସ୍ତ ଗ୍ରାମାଞ୍ଚଳର ଗୃହହୀନଙ୍କୁ କ୍ଷତିପୂରଣ ସହ ଆବାସ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ, ସମସ୍ତ ଛୋଟ ବଡ଼ ଜଳ ଭଣ୍ଡାରର ଜଳଧାରଣ କ୍ଷମତାକୁ ବୃଦ୍ଧି କରାଯିବା ସହ ଆବଶ୍ୟକ ସ୍ଥଳେ ଜଳ ନିଷ୍କାସନ ପାଇଁ ରହୁଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରାଯିବା ନେଇ ସୋମବାର ସିପିଆଇ ଜୋନାଲ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ସାହୁଙ୍କୁ ପ୍ରଦାନ କରାଯାଥିଲା।
ବରିଷ୍ଠ ନେତା ଶମ୍ଭୁନାଥ ପଣ୍ଡା, ବୃନ୍ଦାବନ ପଣ୍ଡା, ସିପିଆଇ ଶାଖା ସମ୍ପାଦକ ତପନ କୁମାର ମିଶ୍ର, ମୂଷା ବେହେରା, ଆର୍. ଦୈତାରୀ ରେଡ୍ଡୀ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରଶାସନ ପକ୍ଷରୁ ପ୍ରତି ରାଜସ୍ବ ଗ୍ରାମ ଅନୁଯାୟୀ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ବାଲିଚର ଜମିଗୁଡ଼ିକର ପୁନଃ ରୁଦ୍ଧାର ସହ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ନେଇ ତହସିଲଦାରଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।