୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ
ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି ୬୦ ବର୍ଷ ବୟସ ପୂରଣ ହେବାରୁ ପାଚିକା କାର୍ଯ୍ୟରୁ ଅବ୍ୟାହତି ମଧ୍ୟ ମିଳିଛି । ହେଲେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିବା ବେଳକୁ ବୟସ ହୋଇନଥିବା ଦର୍ଶାଇ ଆବେଦନ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟରେ କୁମୁଦିନୀ ନନ୍ଦ ଦୀର୍ଘଦିନ ଧରି ପାଚିକା ଭାବେ କାର୍ଯ୍ୟ କରୁଥିଲେ। ସରକାରୀ ନିୟମ ଅନୁଯାୟୀ ୬୦ ବର୍ଷ ବୟସ ପୂରଣ ହେବା ପରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା। ଇତିମଧ୍ୟରେ ଅବ୍ୟାହତି ନେବାର ୧୦ ମାସ ବିତିଯାଇଛି। ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାବେଳେ ବୟସାଧିକ କାରଣରୁ ଆଉ ରୋଜଗାର କରିବା ସମ୍ଭବ ହେଉନାହିଁ। ଏଭଳି ସ୍ଥିତିରେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଉପରେ ଆଶା ରଖି କୁମୁଦିନୀ ନିକଟସ୍ଥ କେନ୍ଦ୍ରରେ ଆବେଦନ କରିଥିଲେ । ମାତ୍ର ଆବେଦନ ସମୟରେ ତାଙ୍କ ବୟସ ହୋଇନଥିବା ଦର୍ଶାଇ ଫେରାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ତାଙ୍କ ବୟସ ୬୦ ବର୍ଷ ଅତିକ୍ରମ କରିଥିବା ସତ୍ତ୍ୱେ ଭତ୍ତା ଆବେଦନରେ ବୟସ ସମସ୍ୟା କିପରି ଉପୁଜିଲା, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗରିବ ପରିବାରର ଜଣେ ମହିଳା ଅବସର ପରେ ସରକାରୀ ସହାୟତା ଆଶା କରୁଥିବାବେଳେ ଏଭଳି ସମସ୍ୟା ତାଙ୍କୁ ନିରାଶ କରିଛି । ଏ ନେଇ କୁମୁଦିନୀ କ୍ଷୋଭ ପ୍ରକାଶ କରି କହିଛନ୍ତି, “ଯଦି ମୋର ବୟସ ହୋଇନାହିଁ, ତେବେ ପାଚିକା କାର୍ଯ୍ୟରୁ ଅବ୍ୟାହତି ଦିଆଗଲା କାହିଁକି? ମୋର ଆଧାର କାର୍ଡ ଓ ଭୋଟର କାର୍ଡ କ’ଣ ଭୁଲ?” ଏଭଳି ପ୍ରଶ୍ନ କରି ସେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉପଜିଲାପାଳ ସୁରେନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, “ସାଇଟ୍ରେ କିଛି ତ୍ରୁଟି ଥାଇପାରେ। ଆମେ ଯଥାଶୀଘ୍ର ତ୍ରୁଟି ସଂଶୋଧନ କରି ତାଙ୍କୁ ଭତ୍ତା ପ୍ରଦାନ କରିବୁ।” ପ୍ରଶାସନର ଏହି ପ୍ରତିଶ୍ରୁତି ପରେ କୁମୁଦିନୀଙ୍କୁ କେବେ ଭତ୍ତା ମିଳୁଛି, ତାହାକୁ ଅପେକ୍ଷା କରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।