୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

Oct 11, 2026 - 16:27
୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର ରାୟଗଡ଼ା ଜିଲ ଗୁଡ଼ାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନିର୍ମିତ ଛାତ୍ରୀନିବାସ ଦୀର୍ଘ ୮ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଅଞ୍ଚଳର ଅନେକ ଛାତ୍ରୀ ହଷ୍ଟେଲ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ସୂଚନା ଅନୁଯାୟୀ, ୨୦୧୭-୧୮ ମସିହାରେ ଆଦିବାସୀ ଛାତ୍ରୀମାନଙ୍କ ରହିବା ପାଇଁ ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀନିବାସ ନିର୍ମାଣ କରାଯାଇଥିଲା। ଏହାର କିଛି ଦିନ ପରେ ଛାତ୍ରୀନିବାସ ପାଇଁ ଆଉ ଏକ ନୂତନ କୋଠା ମଧ୍ୟ ନିର୍ମାଣ କରାଯାଇଥିଲା। ତେବେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଉଭୟ କୋଠା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏବେ ଏହି କୋଠାଗୁଡ଼ିକର ଚାରିପାଖରେ ଗଛଲତା ମାଡ଼ିଯାଇଥିବାରୁ ସେଗୁଡ଼ିକ ଭୂତକୋଠି ସଦୃଶ ଦେଖାଯାଉଛି।

ଏ ସମ୍ପର୍କରେ କଲେଜର ଅଧ୍ୟକ୍ଷ ହିମାଂଶୁ ମୁନା କହିଛନ୍ତି ଯେ, ଛାତ୍ରୀନିବାସ ପାଇଁ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ଏହା ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ। ଏହାକୁ ଚାଲୁ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଛି। ଛାତ୍ରୀନିବାସ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ଅନେକ ଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଅଧିକ ସୁବିଧା ପାଇପାରିବେ।

ତେବେ ଛାତ୍ରୀନିବାସରେ ଏଯାଏଁ ଡ୍ରେନେଜ୍ ବ୍ୟବସ୍ଥା, ପାଣି ଯୋଗାଣ ଓ ପାଇଖାନା ଭଳି ମୌଳିକ ସୁବିଧା ନାହିଁ। ଛାତ୍ରୀମାନଙ୍କ ଶୋଇବା ପାଇଁ ଖଟ ଓ ଆବଶ୍ୟକ ଆସବାବପତ୍ର ମଧ୍ୟ ଉପଲବ୍ଧ ନାହିଁ। ଏପରିକି ହଷ୍ଟେଲ ଚାରିପଟେ ପାଚେରି ନିର୍ମାଣ ହୋଇନାହିଁ। ଏହାବ୍ୟତୀତ ଜଣେ ମହିଳା ମାଟ୍ରନ୍ ଓ ସ୍ଥାୟୀ ହଷ୍ଟେଲ ଅଧୀକ୍ଷକଙ୍କ ନିଯୁକ୍ତି ମଧ୍ୟ ହୋଇନାହିଁ।

ବର୍ତ୍ତମାନ ଏହି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ୧୦୨ ଜଣ ଏବଂ ଦ୍ୱିତୀୟ ବର୍ଷରେ ୯୬ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଅର୍ଥାତ୍ ମୋଟ ୧୯୮ ଜଣ ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି। ହଷ୍ଟେଲ ସୁବିଧା ନଥିବାରୁ ପ୍ରାୟ ୮୦ ପ୍ରତିଶତ ଛାତ୍ରୀ ଗୁଡ଼ାରି ବାହାରୁ ପ୍ରତିଦିନ ଯାତାୟାତ କରୁଛନ୍ତି। ଏଥିପାଇଁ ସେମାନଙ୍କର ବହୁ ସମୟ ନଷ୍ଟ ହେବା ସହ ଯାତାୟାତ ଖର୍ଚ୍ଚ ମଧ୍ୟ ବଢ଼ୁଛି। ସମସ୍ତ ଛାତ୍ରୀଙ୍କ ପାଇଁ ପ୍ରତିଦିନ ଗାଡ଼ି ଭଡ଼ା ଦେଇ ଯାତାୟାତ କରିବା ସମ୍ଭବ ହେଉନାହିଁ ବୋଲି ଅନେକ ଛାତ୍ରୀ ମତ ଦେଇଛନ୍ତି।

ଅନ୍ୟପକ୍ଷରେ, କେତେକ ଛାତ୍ରୀ ହଷ୍ଟେଲରେ ରହି ଟ୍ୟୁସନ୍, କମ୍ପ୍ୟୁଟର ଶିକ୍ଷା ଓ ଅନ୍ୟାନ୍ୟ ତାଲିମ ନେବାକୁ ଇଚ୍ଛୁକ ଥିଲେ ମଧ୍ୟ ଆବଶ୍ୟକ ସୁବିଧା ନଥିବାରୁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି।

ସ୍ଥାନୀୟ ପ୍ରଶାସନ, ଜିଲା  ପ୍ରଶାସନ, ଜିଲା ମଙ୍ଗଳ ବିଭାଗ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ଜରୁରୀ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି। ତେଣୁ ଛାତ୍ରୀନିବାସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଗୁଡ଼ାରି ବ୍ଲକ୍‌ବାସୀ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।

ଏ ନେଇ ସ୍ଥାନୀୟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା କହିଛନ୍ତି ଯେ, ବିଭାଗ ପକ୍ଷରୁ ଛାତ୍ରୀନିବାସକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ବିଦ୍ୟୁତ୍ ସଂଯୋଗ ପାଇଁ ପରିସରରେ ଏକ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ହଷ୍ଟେଲରେ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ ଏବଂ ଆସନ୍ତା ଶିକ୍ଷାବର୍ଷରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।