IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…
ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ ଭବିଷ୍ୟତକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ମନେ ପକାଇଦେଉଛୁ ଯେ, ଆଘାତ ଲାଗିବା କାରଣରୁ CSKର ପୂର୍ବତନ ଅଧିନାୟକ ଗତ ସିଜିନରେ ଗୋଟିଏ ବି ମ୍ୟାଚ ଖେଳିପାରି ନଥିଲେ। ଏହା ପରେ ଧୋନିଙ୍କ IPLରୁ ଅବସର ନେବା ନେଇ ଲଗାତାର ଚର୍ଚ୍ଚା ଜୋର ଧରିଛି।
ନିକଟରେ ଏମଏସ ଧୋନୀ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ସେଠାରେ ସେ ଏକ ହେଲ୍ଥକେୟାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ IPLରେ ନିଜ ଭବିଷ୍ୟତକୁ ନେଇ ପ୍ରଶ୍ନ କରାଯାଇଥିଲା। ଧୋନୀ କହିଥିଲେ ଯେ ପ୍ରଥମେ ତାଙ୍କୁ ଡାକ୍ତରୀ ପରୀକ୍ଷା କରାଇବାକୁ ପଡ଼ିବ। ଏହା ପରେ ରିପୋର୍ଟକୁ ଅପେକ୍ଷା କରିବେ ଏବଂ ତା’ପରେ ହିଁ ଆଗାମୀ ସିଜିନରେ ଖେଳିବେ କି ନାହିଁ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଧୋନୀ କହିଛନ୍ତି, ମୋତେ ପ୍ରଥମେ ଡାକ୍ତରୀ ପରୀକ୍ଷା କରାଇବାକୁ ପଡ଼ିବ। ଡାକ୍ତରମାନେ ମୋତେ ରିପୋର୍ଟ ଦେବେ। ଏହା ପରେ ଡିସେମ୍ବର ପୂର୍ବରୁ ମୋତେ ନିଷ୍ପତ୍ତି ନେବାକୁ ହେବ ଯେ ମୁଁ ଆଉ ଏକ ସିଜିନ ଖେଳିବା ସ୍ଥିତିରେ ଅଛି କି ନାହିଁ। ଆଗାମୀ ସିଜିନ ପୂର୍ବରୁ ଜାହିର ଖାନ୍ଙ୍କ ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଭାବେ ଚୟନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଜାହିର ଖାନ୍ଙ୍କ ନିଯୁକ୍ତିରେ ଧୋନୀଙ୍କର ମଧ୍ୟ ବଡ଼ ଭୂମିକା ରହିଛି। ଏହା ବ୍ୟତୀତ ଧୋନୀ ଆଗାମୀ ସିଜିନରେ ଖେଳାଳି ଭାବେ ଖେଳନ୍ତୁ କିମ୍ବା ନ ଖେଳନ୍ତୁ, ନିଲାମ ପ୍ରକ୍ରିୟା ଏବଂ ଆଗାମୀ ସିଜିନ୍ର ରଣନୀତି ପ୍ରସ୍ତୁତିରେ ତାଙ୍କର ବଡ଼ ଯୋଗଦାନ ରହିପାରେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।