Jio ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା! ଏକାଥରେ ଏତିକି ଟଙ୍କା ବଢ଼ିବ ରିଚାର୍ଜ ପ୍ଲାନ୍!
ନୂଆଦିଲ୍ଲୀ,୧୫।୧୦: ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ Reliance Jio ଗ୍ରାହକଙ୍କୁ ପୁଣି ଲାଗିପାରେ ମହଙ୍ଗା ରିଚାର୍ଜର ଝଟକା। ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଆଗାମୀ ଦିନରେ ନିଜର ରିଚାର୍ଜ ପ୍ଲାନ୍ର ମୂଲ୍ୟ ବଢ଼ାଇପାରେ । ଏଥିରେ ପ୍ରାୟ ୧୨ ପ୍ରତିଶତ ଟାରିଫ୍ ବୃଦ୍ଧି ହେବାର ଆକଳନ କରାଯାଇଛି । କିନ୍ତୁ ଏନେଇ କମ୍ପାନୀ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।
ଏହି ଖବର ଏପରି ସମୟରେ ଆସିଛି, ଯେତେବେଳେ Jioର IPOକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, IPO ଅକ୍ଟୋବର ୨୧ରେ ଖୋଲିବ ଏବଂ ଅକ୍ଟୋବର ୨୩ରେ ବନ୍ଦ ହେବ। ଏହା ଅଧୀନରେ ୨୭ କୋଟି ନୂଆ ସେୟାର ଜାରି କରାଯିବ ବୋଲି ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରତି ଗ୍ରାହକଙ୍କଠାରୁ ହେଉଥିବା ହାରାହାରି ଆୟ ବଢ଼ାଇବା ପାଇଁ Jio ଟାରିଫ୍ ବୃଦ୍ଧି କରିପାରେ। ଟେଲିକମ୍ କ୍ଷେତ୍ରରେ ଏହାକୁ ARPU (Average Revenue Per User) କୁହାଯାଏ। ଅର୍ଥାତ୍, ଜଣେ ସକ୍ରିୟ ଗ୍ରାହକଙ୍କଠାରୁ କମ୍ପାନୀ ମାସକୁ ହାରାହାରି କେତେ ଆୟ କରୁଛି, ତାହା ଏହି ମାପଦଣ୍ଡରୁ ଜଣାପଡ଼େ।
ଆକଳନ ଅନୁଯାୟୀ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ, ଅର୍ଥାତ୍ ଏପ୍ରିଲ୍ରୁ ଜୁନ୍ ୨୦୨୬ ମଧ୍ୟରେ Jioର ARPU ୨୧୫.୬ ଟଙ୍କାରେ ପହଞ୍ଚିଥିଲା। ଗତ ବର୍ଷ ସମାନ ସମୟରେ ଏହା ୨୦୮.୮ ଟଙ୍କା ଥିଲା। Jioର ଗ୍ରାହକ ସଂଖ୍ୟା ୫୩.୩ କୋଟି ଅତିକ୍ରମ କରିଥିବା ରିପୋର୍ଟରେ କୁହାଯାଇଛି। ପ୍ରତି ଗ୍ରାହକ ମାସକୁ ହାରାହାରି ୪୩.୭ GB ଡାଟା ବ୍ୟବହାର କରୁଛନ୍ତି। ପୂର୍ବରୁ ଏହି ପରିମାଣ ୩୭ GB ଥିଲା।
ସେହିପରି, Jioର ୫G ଗ୍ରାହକ ସଂଖ୍ୟା ୨୮.୫ କୋଟିରେ ପହଞ୍ଚିଥିବା ବେଳେ ହୋମ୍ ବ୍ରଡ୍ବ୍ୟାଣ୍ଡ୍ ଏବଂ JioAirFiber ଗ୍ରାହକଙ୍କ ସଂଖ୍ୟା ୨.୮ କୋଟି ଅତିକ୍ରମ କରିଛି। ତେବେ ରିଚାର୍ଜ ମୂଲ୍ୟ ବଢ଼ିଲେ ନୂଆ ଗ୍ରାହକ ଯୋଡ଼ିବାର ଗତି କମିପାରେ । ପୂର୍ବରୁ ଟାରିଫ୍ ବୃଦ୍ଧି ସମୟରେ କିଛି ଗ୍ରାହକ ଅନ୍ୟ ଟେଲିକମ୍ ନେଟୱର୍କକୁ ନମ୍ବର ପୋର୍ଟ କରିଥିବା ଦେଖାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।