(ଏମ୍.ଡି ଅବଦୁଲ୍ଲା) ଅପହରଣ-ଧର୍ମାନ୍ତରଣ : ପାକିସ୍ତାନକୁ ଆମେରିକାର ଆହ୍ୱାନ
ଅଠର ବର୍ଷୀୟା ନେହା ଫକିର ନାମକ ଜଣେ ପାକିସ୍ତାନୀ ଖ୍ରୀଷ୍ଟିଆନ୍ ଯୁବତୀଙ୍କ ଅପହରଣ ପରେ ତାଙ୍କୁ ଲାହୋରସ୍ଥିତ ଏକ ମଦ୍ରାସାରୁ ଉଦ୍ଧାର କରାଯିବା ଏବଂ ଧର୍ମାନ୍ତରଣ ହୋଇଥିବା ଅଭିଯୋଗକୁ ନେଇ ଏବେ ଆନ୍ତର୍ଜାତିକ ସ୍ତରରେ ଆଲୋଚନା ହେଉଛି। ଏହି ମାମଲାରେ ଆମେରିକା କଂଗ୍ରେସର ୧୧ ଜଣ ଆଇନପ୍ରଣେତା ପାକିସ୍ତାନ ସରକାରଙ୍କୁ ନେହା ଫକିରଙ୍କ ସୁରକ୍ଷା ଓ ମୌଳିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଛନ୍ତି।
ନେହା ଫକିରଙ୍କୁ ମାର୍ଚ୍ଚ ମାସରେ ଅପହରଣ କରାଯାଇଥିଲା ଏବଂ ପରେ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଟମ୍ ଲାଣ୍ଡୋସ୍ ମାନବାଧିକାର କମିଶନର ସହ-ଅଧ୍ୟକ୍ଷ କଂଗ୍ରେସମ୍ୟାନ କ୍ରିସ୍ ସ୍ମିଥ ପାକିସ୍ତାନ ସରକାରଙ୍କୁ ନେହା ଫକିରଙ୍କ ସୁରକ୍ଷା, ଏବଂ ମୌଳିକ ଅଧିକାରକୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି। କ୍ରିସ୍ ସ୍ମିଥ କହିଛନ୍ତି ଯେ ନେହା ଫକିରଙ୍କ ଅପହରଣ ପରେ ପରେ ଧର୍ମାନ୍ତରଣ ଭଳି ପରିସ୍ଥିତି ତାଙ୍କ ସୁରକ୍ଷା, ଧର୍ମର ସ୍ୱାଧୀନତା ଏବଂ ବଳପୂର୍ବକ କିମ୍ବା ଭୟଭୀତ ନକରି ତାଙ୍କ ଅଧିକାରକୁ ବ୍ୟବହାର କରିବାର କ୍ଷମତା ବିଷୟରେ ଗଭୀର ଚିନ୍ତାଜନକ ପ୍ରଶ୍ନ ଉଠାଇଛି।
ଖ୍ରୀଷ୍ଟିଆନ୍ ସଲିଡାରିଟି ଇଣ୍ଟରନେସନାଲ (ସି.ଏସ୍.ଆଇ.) ଜୁନ୍ ୧୦ ରେ ଏହି ମାମଲାକୁ ନେଇ ଚିନ୍ତା ପ୍ରକାଶ କରିବା ପରେ ଆମେରିକାର ପ୍ରତିକ୍ରିୟା ଆସିଥିଲା। ସି.ଏସ୍.ଆଇ. ରିପୋର୍ଟ ଅନୁଯାୟୀ ନେହା ଫକିର ମାର୍ଚ୍ଚ ୨୪ ତାରିଖରେ ସିଲେଇ ଶିଖିବା ପାଇଁ ଯାଇଥିବାବେଳେ ନିଖୋଜ ହୋଇଥିଲେ ଏବଂ ପରବର୍ତ୍ତି ସମୟରେ ତାଙ୍କୁ ଲାହୋରସ୍ଥିତ ଏକ ମଦ୍ରାସାରୁ ଉଦ୍ଧାର କରାଯାଇଥିଲା ଯେଉଁଠାରେ ସେ ଇସଲାମ ଧର୍ମ ଗ୍ରହଣ କରିଥିବା ଜଣାପଡ଼ିଥିଲା।
ଏହି ପରିପ୍ରେକ୍ଷୀରେ ଆମେରିକୀୟ କଂଗ୍ରେସ ସଦସ୍ୟମାନଙ୍କ ହସ୍ତକ୍ଷେପ ଗୁରୁତ୍ୱ ବହନ କରୁଛି। କ୍ରିସ୍ ସ୍ମିଥଙ୍କ ସମେତ ୧୦ ଜଣ ଆମେରିକୀୟ କଂଗ୍ରେସ ସଦସ୍ୟ ଅଗଷ୍ଟ ୨୦ ରେ ପାକିସ୍ତାନର ଆଇନ ଓ ନ୍ୟାୟ ବିଷୟକ ଫେଡେରାଲ ମନ୍ତ୍ରୀ ଆଜମ୍ ନଜୀର ତରାରଙ୍କୁ ପତ୍ର ଲେଖି ମାମଲାର ନ୍ୟାୟସଙ୍ଗତ ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜଣାଇଥିଲେ। ସ୍ମିଥଙ୍କ ବ୍ୟତୀତ ଏହି ପତ୍ରରେ ପ୍ରତିନିଧି ଜେମ୍ସ ପି. ମ୍ୟାକଗଭର୍ନ, ଫ୍ରେଞ୍ଚ ହିଲ୍, ଗସ୍ ବିଲିରାକିସ୍, ଆଣ୍ଡି ହାରିସ୍, ମାରିଆ ଏଲଭିରା ସାଲାଜାର, ରାଇଲି ମୁର୍, ରାଣ୍ଡି ୱେବର, ମାଇକେଲ୍ କ୍ଲାଉଡ୍, ବ୍ରାଡ୍ ଶର୍ମାନ୍ ଏବଂ ବ୍ଲେକ୍ ମୁର ମଧ୍ୟ ସ୍ୱାକ୍ଷର କରିଛନ୍ତି।
ଆମେରିକୀୟ ଆଇନପ୍ରଣେତାମାନେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେଇ ନେହା ଫକିରଙ୍କ ଶାରୀରିକ ସୁରକ୍ଷା ଓ ସୁସ୍ଥତା ସୁନିଶ୍ଚିତ କରିବାକୁ କହିଛନ୍ତି। ଏଥି ସହ ତାଙ୍କୁ ଗୋପନୀୟ ଭାବେ ସ୍ୱାଧୀନ ଆଇନଜୀବୀଙ୍କ ପରାମର୍ଶ ପାଇବାର ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି। ଏତଦ୍ ବ୍ୟତୀତ ନେହା ଫକିର ଯେପରି ନିଜ ପରିବାର ସହିତ ସ୍ୱାଧୀନ ଓ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିପାରିବେ, ସେଥିପାଇଁ ପାକିସ୍ତାନ ସରକାର ସୁଯୋଗ ସୃଷ୍ଟି କରୁ ବୋଲି ଆମେରିକୀୟ ଆଇନପ୍ରଣେତାମାନେ ଅନୁରୋଧ କରିଛନ୍ତି। ସେମାନେ ଇସଲାମବାଦକୁ ଏହା ମଧ୍ୟ ଜଣାଇଛନ୍ତି ଯେ ଭବିଷ୍ୟତରେ ହେବାକୁ ଥିବା ଯେକୌଣସି ନ୍ୟାୟିକ ପ୍ରକ୍ରିୟା, ଏଭଳି ଏକ ପରିବେଶରେ ହେବା ଦରକାର ଯେଉଁଠାରେ ନେହା ଫକିର କୌଣସି ଧମକ, ଭୟ କିମ୍ବା ଅନାବଶ୍ୟକ ପ୍ରଭାବ ବିନା ନିଜ ମତ ସ୍ୱାଧୀନ ଭାବେ ପ୍ରକାଶ କରିପାରିବେ।
ଏଠାରେ ପାକିସ୍ତାନର ନିଜ ସମ୍ବିଧାନର ବ୍ୟବସ୍ଥା ମଧ୍ୟ ପ୍ରାସଙ୍ଗିକ। ଏହି ପତ୍ରରେ ଆଇନପ୍ରଣେତାମାନେ ପାକିସ୍ତାନର ସମ୍ବିଧାନରେ ଥିବା ମୌଳିକ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ବିଶେଷକରି ନିଜ ଧର୍ମକୁ ମାନିବା, ପାଳନ କରିବା ଓ ପ୍ରଚାର କରିବାର ସ୍ୱାଧୀନତା ପ୍ରଦାନ କରୁଥିବା ଧାରା ୨୦ ଏବଂ ଆଇନ ଆଗରେ ସମାନତାର ନିଶ୍ଚିତତା ପ୍ରଦାନ କରୁଥିବା ଧାରା ୨୫ କଥା ସେମାନେ ମନେ ପକାଇଛନ୍ତି। ତେଣୁ ଜଣେ ନାଗରିକ ନିଜ ଧାର୍ମିକ ବିଶ୍ୱାସ ସମ୍ପର୍କରେ ସ୍ୱାଧୀନ ଭାବେ ମତ ପ୍ରକାଶ କରି ପାରୁଛନ୍ତି କି ନାହିଁ, ଏହା କେବଳ ଏକ ପାରିବାରିକ ବିବାଦର ପ୍ରଶ୍ନ ନୁହେଁ, ଏହା ମୌଳିକ ଅଧିକାରର ପ୍ରଶ୍ନ ମଧ୍ୟ।
କ୍ରିସ୍ ସ୍ମିଥ ମଧ୍ୟ ଏହି ପ୍ରସଙ୍ଗକୁ ଉଠାଇ କହିଛନ୍ତି ଯେ ପାକିସ୍ତାନର ସମ୍ବିଧାନ ଧାର୍ମିକ ସ୍ୱାଧୀନୃତା ଓ ଆଇନ ଆଗରେ ସମାନତାର ସୁରକ୍ଷା ପ୍ରଦାନ କରୁଥିବାବେଳେ, ଜଣେ ଯୁବତୀ ନିଜ ବିଶ୍ୱାସ ଓ ମତାମତକୁ ସୁରକ୍ଷିତ ଏବଂ ସ୍ୱାଧୀନ ଭାବେ ପ୍ରକାଶ କରିନପାରିବା, ସେହି ସାମ୍ବିଧାନିକ ଅଧିକାରର ପ୍ରୟୋଗିକ ମୂଲ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି।
ନେହା ଫକିରଙ୍କ ମାମଲାକୁ ନେଇ ଆମେରିକୀୟ ଆଇନପ୍ରଣେତାମାନେ ପାକିସ୍ତାନର ଧାର୍ମିକ ସଂଖ୍ୟାଲଘୁମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ମଧ୍ୟ ସାମ୍ନାକୁ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଓ ଯୁବତୀମାନେ ଅପହରଣ, ଜବରଦସ୍ତ ଧର୍ମାନ୍ତରଣ ଏବଂ ବାଧ୍ୟତାମୂଳକ ବିବାହ ଭଳି ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏପରି ମାମଲାରେ ଦୋଷୀ ମାନଙ୍କୁ ଉତ୍ତରଦାୟୀ କରିବାରେ କର୍ତ୍ତୃପକ୍ଷଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ତେବେ ଏହି ମାମଲାର ମୂଳ ପ୍ରଶ୍ନ ହେଉଛି- ନେହା ଫକିର ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଛନ୍ତି କି, ନା ତାଙ୍କ ଉପରେ କୌଣସି ପ୍ରକାରର ଚାପ କିମ୍ବା ପ୍ରଭାବ ଥିଲା? ଏହାର ନିରପେକ୍ଷ ଉତ୍ତର ପାଇଁ ତାଙ୍କୁ ଉପଯୁକ୍ତ ପରିବେଶରେ ନିଜ ଇଛା ପ୍ରାକଶ କରିବାର ସୁଯୋଗ ମିଳିବା ଆବଶ୍ୟକ। ତାଙ୍କ ସହ ସ୍ୱାଧୀନ ଆଇନଜୀବୀଙ୍କ ଗୋପନୀୟ ଆଲୋଚନା ଏବଂ ପରିବାର ସହ ସ୍ୱାଧୀନ ଯୋଗାଯୋଗର ସୁଯୋଗ ଏହି ପ୍ରକ୍ରିୟାକୁ ଅଧିକ ବିଶ୍ୱସନୀୟ କରିପାରିବ।
ଧର୍ମ ପରିବର୍ତ୍ତନ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଅଧିକାରର ବିଷୟ ହୋଇପାରେ, କିନ୍ତୁ ସେହି ନିଷ୍ପତ୍ତିି ସ୍ୱେଚ୍ଛାକୃତ କି ନାହିଁ ସ୍ପଷ୍ଟ ହେବା ମଧ୍ୟ ସମାନ ଭାବେ ଜରୁରୀ। ତେଣୁ ନେହା ଫକିରଙ୍କ ମାମଲାରେ ପାକିସ୍ତାନୀ ନ୍ୟାୟ ବ୍ୟବସ୍ଥାର ସ୍ୱଚ୍ଛତା, ଆଇନଗତ ସୁରକ୍ଷା ଓ ତାଙ୍କ ସ୍ୱାଧୀନ ଇଛାର ସମ୍ମାନ – ଏହି ତିନିଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଏହା କେବଳ ଜଣେ ଯୁବତୀଙ୍କ ମାମଲା ନୁହେଁ, ଏହା ଜଣେ ନାଗରିକଙ୍କ ମୌଳିକ ଅଧିକାର ଓ ସମ୍ବିଧାନ ପ୍ରଣୟନର ପରୀକ୍ଷା ମଧ୍ୟ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।