ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି

Nov 04, 2026 - 15:54
ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି

ନୀଳଗିରି, ୪।୧୧ : ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଅପେକ୍ଷାର ଅନ୍ତ ଘଟିଛି। ବୁଧବାରଠାରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଖୋଲିଛି କୁଲଡିହା ଅଭୟାରଣ୍ୟ। ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଆଗମନରେ ଅଭୟାରଣ୍ୟ ଉତ୍ସବମୁଖର ହୋଇଉଠିଛି। ମନୋରମ ପରିବେଶ ଓ ବନ୍ୟପ୍ରାଣୀଙ୍କୁ ଦେଖିବାର ଆଶା ନେଇ ପର୍ଯ୍ୟଟକମାନେ ଏଠାରେ ପହଞ୍ଚିଥିଲେ।ବର୍ଷା ଋତୁରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ୍‌ ୧୫ ତାରିଖରୁ କୁଲଡିହା ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା। ଶୀତ ଋତୁର ଆଗମନ ସହ ନୀଳଗିରି ଉପଖଣ୍ଡର ଏହି ସୌନ୍ଦର୍ଯ୍ୟମୟ ଅଭୟାରଣ୍ୟକୁ ନଭେମ୍ବର ୪ ତାରିଖ ବୁଧବାର ପୂର୍ବାହ୍ନ ୧୦ଟାରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି।

ଚଳିତ ପର୍ଯ୍ୟଟନ ଋତୁର ପ୍ରଥମ ଦିନରେ ପଶ୍ଚିମବଙ୍ଗରୁ ଆସିଥିବା କିଛି ପର୍ଯ୍ୟଟକ ପୂର୍ବ ରାତିରେ ପଞ୍ଚଲିଙ୍ଗେଶ୍ୱର ପୀଠ ନିକଟସ୍ଥ ହୋଟେଲରେ ରାତ୍ରିଯାପନ କରିଥିଲେ। ବୁଧବାର ସକାଳେ ସେମାନେ ଟୁରିଷ୍ଟ ଗାଇଡ୍‌ ମନୋରଞ୍ଜନ ଦାସଙ୍କ ସହ ଅଭୟାରଣ୍ୟର ବାଲିଆନାଳ ଫାଟକ ନିକଟରେ ପହଞ୍ଚିଥିଲେ। ବନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ, ଚନ୍ଦନ ଲଗାଇବା ଓ ମିଠା ଖୁଆଇ ଆତ୍ମୀୟ ସ୍ୱାଗତ କରାଯାଇଥିଲା।

ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଫିତା କାଟିଥିବା ବେଳେ ବାଲେଶ୍ୱର ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରତୀକ ପ୍ରକାଶ ଇନ୍ଦଲକର ଅଭୟାରଣ୍ୟର ଫାଟକ ଖୋଲିଥିଲେ। ଏହି ଅବସରରେ ଏସିଏଫ୍‌ ମାଣିକେଶ୍ୱରୀ ହେମ୍ବ୍ରମ, କୁଲଡିହା ରେଞ୍ଜର ମନୋରଞ୍ଜନ ନାୟକ, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ସବୁଜ ବାହିନୀର ସଦସ୍ୟମାନେ ଉପସ୍ଥିତ ଥିଲେ।

୨୭୨.୭୫ ବର୍ଗ କିଲୋମିଟର ପରିମିତ ଏହି ଶାଳବଣରେ ହାତୀ, ବାଘ, ଭାଲୁ, ହରିଣ, ବଜ୍ରକାପ୍ତା, ମାଙ୍କଡ଼, ବହୁରୂପୀ ଓ ମୟୂର ଆଦି ବନ୍ୟପ୍ରାଣୀ ଦେଖିବାକୁ ମିଳିଥାନ୍ତି। ଏଥିସହ ବିଭିନ୍ନ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି କାରଣରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ପର୍ଯ୍ୟଟକ କୁଲଡିହା ଅଭୟାରଣ୍ୟକୁ ଆସିଥାନ୍ତି।

ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି। ପର୍ଯ୍ୟଟକମାନେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅଭୟାରଣ୍ୟ ଭ୍ରମଣ କରିପାରିବେ। ପ୍ରବେଶ ଶୁଳ୍କ ବାବଦରେ ଜଣେ ବ୍ୟକ୍ତିଙ୍କ ପାଇଁ ୪୦ ଟଙ୍କା, କ୍ୟାମେରା ପାଇଁ ୫୦ ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।