ସମ୍ଭାବ୍ୟ ବାତ୍ୟା ମୁରାସୁ

Nov 02, 2026 - 23:54
ସମ୍ଭାବ୍ୟ ବାତ୍ୟା ମୁରାସୁ

ରାୟଗଡ଼ା: ସମ୍ଭାବ୍ୟ ବାତ୍ୟାମୁରାସୁକୁ ଦୃଷ୍ଟିରେ ରଖି ଆଜି ଠାରୁ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ରହିଥିବା ବଡ଼ନାଳ ଜଳଭଣ୍ଡାରରୁ ଜଳ ନି‌ଷ୍କାସନ ହେଉଥିବା ବିଭାଗ ସୂଚନା ଦେଇଛି । ସୂଚନାରୁ ଜଣାପଡିଛି ବଡ଼ନାଳ ଜଳଭଣ୍ଡାରରେ ୧.୪୧ କ୍ୟୁମେକ ଜଳ ମିଶୁଥିବା ବେଳେ ସେଥିରୁ ୧୬୯.୪୩୦ କ୍ୟୁସେକ ଜଳ ବଂଶଧାରା ନଦୀରେ ଛଡାଯାଉଛି । ସେହିଭଳି ବଡନାଳର ବିଭିନ୍ନ କେନାଲ ମାଧ୍ୟମରେ ୫.୧୨୧ କ୍ୟୁସେକ ଜଳ ଛଡାଯାଉଛି । ସମୁଦାୟ ୧୭୪.୫୫ କ୍ୟୁମେକ ଜଳ ବଡ଼ନାଳରୁ ନି‌ଷ୍କାସନ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି ।

ବର୍ତମାନ ବଡ଼ନାଳ ଜଳଭଣ୍ଡାରର କ୍ଷମତା ୧୭୪.୪୬ ମିଟର ରହିଥିବା ବେଳେ ଏହାର କ୍ଷମତା ୧୭୬ମିଟର । ଆସନ୍ତା ଦୁଇଦିନ ମଧ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଥିବାରୁ ଏହି ଜଳ ନିଷ୍କାସନ ହେଉଛି । ଜଳ ନି‌ଷ୍କାସନ ହେବାରୁ ବଂଶଧାରା ନଦୀରେ ବିପଦ ସୃଷ୍ଟି ହୋଇଛି । ବର୍ତମାନ ବଂଶଧାରାରେ ଜଳସ୍ତର ସତର୍କ ସଂକେତ ତଳେ ରହିଛି । ଭୀଷଣ ବାତ୍ୟା ମୁରାସୁ ଆସିବାର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ନଭେମ୍ବର ୩ ଓ ୪ ତାରିଖ ୨ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଗଣଶିକ୍ଷା ବିଭାଗ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରହିବ। ବାତ୍ୟା ସମୟରେ ଜରୁରୀ ପରିସ୍ଥିତିରେ ବିଦ୍ୟାଳୟଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଇପାରିବ। ଏଥିପାଇଁ ବିଦ୍ୟାଳୟଗୁଡ଼ିକୁ ସର୍ବଦା ଉପଲବ୍ଧ ରଖିବାକୁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସମୟରେ ବିଦ୍ୟାଳୟ ଖୋଲିବା ସୁବିଧା ପାଇଁ ଶ୍ରେଣୀଗୃହର ଚାବି ସ୍ଥାନୀୟ ଶିକ୍ଷକ କିମ୍ବା ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।