ବର୍ଷକରେ ୧୧୯ଥର ହେଲିକପ୍ଟର

Sep 14, 2026 - 20:50
ବର୍ଷକରେ ୧୧୯ଥର ହେଲିକପ୍ଟର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହେଲିକପ୍ଟର ଓ ଏୟାରକ୍ରାଫ୍ଟ ବ୍ୟବହାର ନେଇ ତଥ୍ୟ ସାମ୍ନାକୁ ଆସିଛି। ସାମାଜିକ କର୍ମୀ ପ୍ରକାଶ ଦାସଙ୍କୁ ସୂଚନା ଅଧିକାର ଆଇନ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ, ମୁଖ୍ୟମନ୍ତ୍ରୀ ଜୁଲାଇ ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ମୋଟ ୧୧୯ଥର ହେଲିକପ୍ଟର ଓ ଏୟାରକ୍ରାଫ୍ଟ ବ୍ୟବହାର କରି ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି। ୬୪ ଥର ହେଲିକପ୍ଟର ଏବଂ ୫୫ ଥର ଏୟାରକ୍ରାଫ୍ଟ ବ୍ୟବହାର କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ଓ ତିନିଦିନିଆ ଗସ୍ତ ପାଇଁ ହେଲିକପ୍ଟର ଓ ଏୟାରକ୍ରାଫ୍ଟ ବୁକିଂ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି।
ଓଡ଼ିଶାର ବିଭିନ୍ନ ଜିଲା ସହିତ ରାଜ୍ୟ ବାହାର ଗସ୍ତ ମଧ୍ୟ ଏଥିରେ ସାମିଲ ରହିଛି। ଭୁବନେଶ୍ୱରରୁ କଟକ, ପୁରୀ ଓ ଜଗତସିଂହପୁର ଭଳି ନିକଟସ୍ଥ ସ୍ଥାନକୁ ମଧ୍ୟ ହେଲିକପ୍ଟରରେ ଯାତ୍ରା କରାଯାଇଛି। କେନ୍ଦୁଝର ଜିଲାକୁ ହେଲିକପ୍ଟରରେ ସର୍ବାଧିକ ଗସ୍ତ ହୋଇଛି। ସାମାଜିକ କର୍ମୀ ଶ୍ରୀ ଦାସ କହିଛନ୍ତି, ଆବଶ୍ୟକ ସରକାରୀ କାର୍ଯ୍ୟକ୍ରମ, ଜରୁରୀ ପ୍ରଶାସନିକ କାର୍ଯ୍ୟ, ବିପର୍ଯ୍ୟୟ ପରିସ୍ଥିତି କିମ୍ବା ସମୟ ସଞ୍ଚୟ ଆବଶ୍ୟକ ଥିବା କ୍ଷେତ୍ରରେ ହେଲିକପ୍ଟର ଓ ଏୟାରକ୍ରାଫ୍ଟ ବ୍ୟବହାର ନିଶ୍ଚିତ ଭାବେ ଯୁକ୍ତିସଙ୍ଗତ ହୋଇପାରେ। କିନ୍ତୁ ପ୍ରତ୍ୟେକ ଗସ୍ତରେ ସରକାରୀ ଯାନବାହନ କିମ୍ବା ବିମାନ ବ୍ୟବହାର କରିବା କେତେଦୂର ଆବଶ୍ୟକ ଥିଲା ଏବଂ ଏଥିପାଇଁ ସରକାରଙ୍କ ରାଜକୋଷରୁ କେତେ ଅର୍ଥ ବ୍ୟୟ ହୋଇଛି; ଏହାର ସ୍ପଷ୍ଟ ହିସାବ ସାର୍ବଜନୀନ ହେବା ଆବଶ୍ୟକ। ଏହି ରିପୋର୍ଟ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମତାମତ ଲୋଡ଼ାଯାଇଥିଲେ ହେଁ ଖବର ଲେଖାହେବା ସୁଦ୍ଧା ତାହା ହସ୍ତଗତ ହୋଇପାରିନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।