ଆଜି ପ୍ରଧାନମନ୍ତ୍ରୀ ମୋଦୀ-ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

Sep 11, 2026 - 19:58
ଆଜି ପ୍ରଧାନମନ୍ତ୍ରୀ ମୋଦୀ-ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଆସନ୍ତା ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ୧୮ଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ବିଶ୍ବର ପ୍ରମୁଖ ରାଷ୍ଟ୍ରନେତା ଭାରତ ଗସ୍ତ ଆସିବେ। ଏହି ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ବ୍ରିକ୍ସ ସମ୍ମିଳନୀ ନିମନ୍ତେ ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ସ୍ପଷ୍ଟ କରିଛି। ଦୀର୍ଘ ୭ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଏପରି କି ସୀମାନ୍ତ ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଜିନ୍‌ପିଙ୍ଗ ପ୍ରଥମ କରି ଭାରତ ଗସ୍ତରେ ଆସିବେ। ୨୦୧୯ ଅକ୍ଟୋବରରେ ଜିନପିଙ୍ଗ ଶେଷ ଥର ପାଇ ଭାରତ ଗସ୍ତ କରିଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ ଜିନ୍‌ପିଙ୍ଗ ଶନିବାର (ସେପ୍ଟମ୍ବର ୧୨) ତାରିଖ ସକାଳେ ନୂଆଦିଲ୍ଲୀରେ ପହଞ୍ଚିବେ ଓ ୧୩ ତାରିଖରେ ସ୍ବଦେଶ ପ୍ରତ୍ୟାଗମନ କରିବେ। ବ୍ରିକ୍ସ ସମ୍ମିଳନୀ ଅବସରରେ ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ।
ଏହି ସମ୍ମିଳନୀ ନିମନ୍ତେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଭାରତ ଗସ୍ତରେ ଆସିଛନ୍ତି। ଗସ୍ତର ପ୍ରଥମ ଦିନରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ପରେ ସେ ଶନିବାର ବ୍ରିକ୍ସ ସମ୍ମଳନୀରେ ଯୋଗ ଦେବେ। ପୁଟିନଙ୍କ ଗସ୍ତର ପ୍ରସ୍ତୁତି ଓ ସୁରକ୍ଷା ନିମନ୍ତେ ରୁଷ୍‌ର ତିନିଟି ଯୁଦ୍ଧବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ରୁଷ୍‌ ଯୁଦ୍ଧ ବିମାନଗୁଡିକ ଗ୍ରେଟର ନଇଡାସ୍ଥିତ ନଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି। ଏହି ଯୁଦ୍ଧବିମାନ ମଧ୍ୟରେ ରହିଛି ରୁଷ୍ ଆଇଏଲ୍‌-୭୬ ପରିବହନକାରୀ ଯୁଦ୍ଧବିମାନ। ଏଥିରେ ରୁଷ୍‌ର ସୁରକ୍ଷା ବାହିନୀ ଓ ପ୍ରତିରକ୍ଷା ଅଧିକାରୀମାନେ ଆସିଛନ୍ତି। ସେମାନେ ପୁଟିନଙ୍କ ସୁରକ୍ଷା ଦାୟିତ୍ବରେ ରହିବେ। ପୁଟିନ ତାଙ୍କର ଭାରତ ଗସ୍ତ କାଳରେ ନୂଆଦିଲ୍ଲୀର ହୋଟେଲ ମୟୂରରେ ଅବସ୍ଥାନ କରିବେ। ଏଥିପାଇଁ ହୋଟେଲରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ବ୍ରିକ୍ସ ସମ୍ମିଳନୀ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ନିମନ୍ତ୍ରଣ କରାଯାଇଛି। ମାତ୍ର ରହମାନ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ନାହିଁ ବୋଲି ଏହାର ବୈଦେଶିକ ମନ୍ତ୍ରୀ ହୁମାୟୁନ କବିର କହିଛନ୍ତି। କବିର ଭାରତ ସରକାରଙ୍କ ନିମନ୍ତ୍ରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତ ସରକାର ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ନାହାନ୍ତି; ବରଂ ବିମ୍ସଷ୍ଟେକ୍ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ବାଂଲାଦେଶକୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି। ବାଂଲାଦେଶ ୨୦୨୫ରୁ ୨୦୨୭ ପର୍ଯ୍ୟନ୍ତ ବିମ୍ସଟେକ୍ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଥିବାରୁ ଏହାକୁ ଭାରତ ସରକାର ବ୍ରିକ୍ସ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଛନ୍ତି। ତେଣୁ ନିମନ୍ତ୍ରଣ ପତ୍ରର ତ୍ରୁଟି କାରଣରୁ ରହମାନ ଏହି ସମ୍ମିଳନୀକୁ ଯିବେ ନାହିଁ ବୋଲି ବାଂଲାଦେଶ ବୈଦେଶିକ ମନ୍ତ୍ରୀ କହିଛନ୍ତି। ତେ​‌େ​‌ବ ଆଗାମୀ ଦିନରେ ସମୟ ଅନୁକୂଳ ରହିଲେ ରହମାନ ଦ୍ବିପାକ୍ଷିକ କଥାବାର୍ତ୍ତା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଓ ଅନ୍ୟାନ୍ୟ କାରଣକୁ ନେଇ ଭାରତ ଓ ବାଂଲାଦେଶ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ଲାଗି ରହିଛି।
ସୁରକ୍ଷା ବଳୟରେ ଦିଲ୍ଲୀ
ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ପ୍ରତିନିଧି ଏବଂ ବିଦେଶୀ ଅତିଥିମାନେ ଯୋଗଦେବେ। ଦିଲ୍ଲୀ ପୁଲିସ ଏବଂ ଟ୍ରାଫିକ ପୁଲିସ ଶିଖର ସମ୍ମିଳନୀ ପାଇଁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ ପରିଚାଳନା ବ୍ୟବସ୍ଥା କରିଛନ୍ତି। ସମଗ୍ର କାର୍ଯ୍ୟକ୍ରମରେ ସୁରକ୍ଷା ବଜାୟ ରଖିବା ପାଇଁ ୭,୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ୪, ୮୦୦ ଟ୍ରାଫିକ ପୁଲିସଙ୍କୁ ନିୟୋଜିତ କରାଯାଇଛି। ଶିଖର ସମ୍ମିଳନୀ ସମୟରେ ରାଜଧାନୀରେ ସୁରକ୍ଷା ବଳୟ
କେବଳ ଭାରତ ମଣ୍ଡପମ୍‌ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଦିଲ୍ଲୀ-ଏନ୍‌ସିଆର, ହରିୟାଣା, ଉତ୍ତର ପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ଚଣ୍ଡିଗଡ଼ର ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ବିମାନବନ୍ଦରରୁ ବିଦେଶୀ ଅତିଥିଙ୍କ ହୋଟେଲ ଏବଂ ଭାରତ ମଣ୍ଡପମ୍‌କୁ ଫେରିବା ପର୍ଯ୍ୟନ୍ତ ସମଗ୍ର ଭିଭିଆଇପି ଯାତ୍ରାପଥ ଉପରେ ନଜର ରଖିବେ। ଭିଭିଆଇପି ଯାତ୍ରାକାଳୀନ ଗତିବିଧି ସମୟରେ ସାଧାରଣ ଟ୍ରାଫିକ ପରିଚାଳନା ପାଇଁ ୨୨ଟି ପ୍ରମୁଖ ଡାଇଭର୍ସନ ପଏଣ୍ଟ ଏବଂ ୩୫ରୁ ଅଧିକ ପ୍ରମୁଖ ରାସ୍ତା ଚିହ୍ନଟ କରାଯାଇଛି। ଆବଶ୍ୟକ ହେଲେ ଏହି ରାସ୍ତାଗୁଡ଼ିକରେ ଯାତାୟାତକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇପାରେ।
ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ, ଅର୍ଦ୍ଧସାମରିକ ବଳ, ଏନ୍‌ଏସଜି, ଆଇବି, ଏସପିଜି ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ନିଜ ନିଜ ସ୍ତରରେ ସୁରକ୍ଷା ଦାୟିତ୍ୱ ନେବେ। ଭାରତ ମଣ୍ଡପମ୍‌ର ୫ କିଲୋମିଟର ପରିଧି ମଧ୍ୟରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନଏସଜି କମାଣ୍ଡୋ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର କର୍ମଚାରୀମାନେ ଭାରତ ମଣ୍ଡପମ୍ ଭିତରେ ଏବଂ ଚାରିପାଖରେ ସୁରକ୍ଷା ଯୋଗାଇବେ।
ବିଦେଶୀ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ୧୦ଟି ପ୍ରମୁଖ ହୋଟେଲ ଉପରେ ମଧ୍ୟ ନଜର ରଖାଯାଇଛି। ବିମାନବନ୍ଦରରୁ ହୋଟେଲ ଏବଂ ହୋଟେଲରୁ ଭାରତ ମଣ୍ଡପମ୍‌କୁ ଯିବା ରାସ୍ତାରେ ସୁରକ୍ଷା ଏବଂ ଟ୍ରାଫିକ୍ ଏଜେନ୍ସିଗୁଡ଼ିକ ମଧ୍ୟରେ ନିରନ୍ତର ସମନ୍ୱୟ ରହିବ। ସମ୍ମିଳନୀ ସ୍ଥାନ, ଭାରତ ମଣ୍ଡପମ୍‌ରେ ପ୍ରବେଶ ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି। କେବଳ ପ୍ରାଧିକୃତ ପ୍ରତିନିଧି, କର୍ମଚାରୀ ଏବଂ ବୈଧ ପାସ୍ ଥିବା ବ୍ୟକ୍ତିମାନଙ୍କୁ ପ୍ରବେଶ ଅନୁମତି ଦିଆଯିବ। ସିସିଟିଭି ଏବଂ ବୈଷୟିକ ନିରୀକ୍ଷଣ ପ୍ରବେଶ ଫାଟକରୁ ପାର୍କିଂ ସ୍ଥାନ ଏବଂ ସମ୍ମିଳନୀ ସ୍ଥାନର ସମ୍ବେଦନଶୀଳ ଅଞ୍ଚଳ ପର୍ଯ୍ୟନ୍ତ ସବୁ କିଛି ଉପରେ ନଜର ରଖିବ। ବାୟୋମେଟ୍ରିକ୍ ପାସ୍ ଏବଂ ଅନ୍ୟାନ୍ୟ ବୈଷୟିକ ବ୍ୟବସ୍ଥା ନିଶ୍ଚିତ କରିବ ଯେ କେବଳ ପ୍ରାଧିକୃତ ବ୍ୟକ୍ତିମାନେ ସମ୍ମିଳନୀ ସ୍ଥାନକୁ ପ୍ରବେଶ କରିପାରିବେ। ସୁରକ୍ଷା ଏଜେନ୍ସିଗୁଡ଼ିକ ଯେକୌଣସି ସନ୍ଦିଗ୍ଧ ବସ୍ତୁ, ଯାନବାହନ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବେ। ଯଦି କୌଣସି ସନ୍ଦିଗ୍ଧ ବସ୍ତୁର ଖବର ମିଳେ, ତେବେ ବୋମା ନିଷ୍କ୍ରିୟକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।